କେନ୍ଦୁଝର : କମ୍ପାନୀର ସ୍ଥାନୀୟ ଲୋକଙ୍କ ପ୍ରତି ଅବହେଳା ଯୋଗୁଁ କ୍ରମାଗତ ଦ୍ଵିତୀୟ ଥର ପାଇଁ ଗ୍ରାମସଭା ବିଫଳ ହୋଇଛି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ଗ୍ରାମପଂଚାୟତ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଥିବା ନର୍ଭେରାମ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ଼ କମ୍ପାନୀର କଥା । କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ପେଲେଟ ପ୍ଲାଣ୍ଟ ନିମନ୍ତେ ୨୭.୨୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି କିସମ କୁ ପରିବର୍ତ୍ତନ କରିବାକୁ ଆଜି ସ୍ୱତନ୍ତ୍ର ଗ୍ରାମସଭା ଟଣ୍ଟୋ ଗ୍ରାମରେ ଆୟୋଜନ କରାଯାଇଥିଲା । ତେବେ ବର୍ଷ ବର୍ଷ ଧରି ଏହି କମ୍ପାନୀ ଏଠାରେ ଖଣି ଉତ୍ତୋଳନ କରି ଆସୁଥିବା ବେଳେ ଗ୍ରାମର ବିକାଶରେ ଅବହେଳା ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଉନଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏ ନେଇ ଗତ ଜୁଲାଇ ୨୦ ତାରିଖରେ ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ନିମନ୍ତେ ଏହି ଗ୍ରାମସଭା ଅନୁଷ୍ଠିତ କରାଯାଇଥିଲେ ହେଁ ଉକ୍ତ ଗ୍ରାମସଭାରେ ଗ୍ରାମର ସାଧାରଣ ଅଧିବାସୀ ଭାଗ ନେଇନଥିଲେ ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମସଭାକୁ ସ୍ଥଗିତ ରଖାଯାଇଥିଲା । ତେବେ କମ୍ପାନୀ ପକ୍ଷରୁ ଅଂଚଳର କିଛି ମୁଷ୍ଟିମେୟ ବ୍ୟକ୍ତି ଓ ପ୍ରଶାସନକୁ ହାତବାରିସୀ କରି ରାତି ଅଧିଆ ନୋଟିସ ଜାରି କରି ଉକ୍ତ ଗ୍ରାମସଭାକୁ ସଫଳ କରିବାକୁ କମ୍ପାନୀ ଚେଷ୍ଟା କରିଥିଲା ତେବେ ଆଜି ମଧ୍ୟ ନର୍ଭେରାମ କମ୍ପାନୀ କୁ ଗ୍ରାମବାସୀ ମାନେ ଘୋର ବିରୋଧ କରିଥିଲେ । ଏହି ଗ୍ରାମସଭାରେ ବନ ଅଧିକାରୀ, ବ୍ଲକ୍ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଓ ପୋଲିସ ଛାଉଣୀରେ ଗ୍ରାମସଭାରେ ଆରମ୍ଭ ହୋଇଥିଲା । ଏହି ଗ୍ରାମସଭା ରେ କେତେ ଜଣ ଗ୍ରାମବାସୀ ନିଜର ମତାମତ ରଖିଥିଲେ ଓ କେତେଜଣ ଏହାକୁ ବିରୋଧ କରିଥିଲେ ବୋଲି ଉପସ୍ଥିତ ଥିବା ବନ ବିଭାଗର ଗୁଆଳି ଫରେଷ୍ଟରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ରଖିନଥିବା ବେଳେ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଏହି ଗ୍ରାମସଭାରେ ମୋଟ ୧୨୨ ଜଣ ନିଜର ମତ ରଖିଥିବା କଥା କହିଥିବା ବେଳେ ୭୨ ଜଣ ଏହି ଗ୍ରାମସଭାକୁ ବିରୋଧ କରିଥିଲେ ବୋଲି କହିଥିଲେ