କେନ୍ଦ୍ରାପଡା, ୮/୧୨ (Rabindra Dash) : କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ୩ଟି ଯାକ କୃଷି ସଂଶୋଧନ ଆଇନକୁ କୃଷି-କୃଷକ ଓ ଜନବିରୋଧୀ ଦର୍ଶାଇ ଏହାକୁ ସଂପୂର୍ଣ୍ଣ ରୂପେ ବାତିଲ କରିବା ଦାବିରେ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନକ୍ରମେ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାର ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ସହରାଂଚଳରେ ବନ୍ଦର ପ୍ରଭାବ ଗଭୀର ଭାବେ ପଡିଛି । ରାଜ୍ୟ ସରକାର ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିଥିବାବେଳେ ପରିବହନ ସେବାକୁ ବାତିଲ କରାଯାଇଥିଲା । ବନ୍ଦର ନେତୃତ୍ୱ ନେଉଥିବା ଅଖିଳ ଭାରତୀୟ କୃଷକ ସଭା, ଓଡିଶା କୃଷକ ସଭା, ଅଖିଳ ଭାରତ କୃଷକ ମହାସଂଘ, ନବନିର୍ମାଣ କୃଷକ ସଂଗଠନ ସମେତ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍ଏଲ୍) ଓ ଆଇଏନ୍ଟିୟୁସି , ଏ.ଆଇ.ଟି.ୟୁସି, ସିଆଇଟିୟୁ ସଂଗଠନର କର୍ମୀମାନେ ସହରର ତିନିମୁହାଣୀ ଛକଠାରେ ଏକତ୍ରିତ ହୋଇ କଟକ- ଚାନ୍ଦବାଲି ରାଜପଥକୁ ସକାଳୁ ଅବରୋଧ କରିଦେଇଥିଲେ ।
ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ସମବେତ ଜନତାଙ୍କୁ ସମ୍ବୋଧିତ କରି ଆନେ୍ଦାଳନକାରୀ ନେତୃତ୍ୱମାନେ ମୋଦି ସରକାର କର୍ପୋରେଟ ସଂସ୍ଥାମାନଙ୍କୁ ଆହୁରି ବିତ୍ତଶାଳୀ କରିବା ଉଦେ୍ଦଶ୍ୟରେ ଆଣିଥିବା ଏହି ଆଇନ କୃଷକମାନଙ୍କୁ କିପରି କମ୍ପାନୀମାନଙ୍କ ଶୋଷଣର ଶୀକାର ବନେଇ ଦେବ ସେ ସମ୍ପର୍କରେ ବୁଝାଇଥିଲେ । ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଯୋଗୁ ଆଳୁ, ଡାଲି, ତେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ଲଗାମହୀନ ଭାବେ ବୃଦ୍ଧି ପାଇ ସାଧାରଣ ଖାଉଟିଙ୍କ ପକେଟ ଲୁଟ୍ ହୋଇ ମହଜୁଦକାରୀ ଓ ମୁନାଫାଖୋରଙ୍କ ସମ୍ପତ୍ତି ବୃଦ୍ଧି ପାଇବ ବୋଲି ଉଦାହରଣ ସହ ଦର୍ଶାଇଥିଲେ । ତେଣୁ ଅଗଣତାନ୍ତ୍ରିକ ଭାବେ କୋଭିଡ ମହାମାରୀ ସମୟରେ ନିଜର ସଂଖ୍ୟା ବଳର ଅହମିକାରେ ଏବଂ ବିନା ଆଲୋଚନାରେ ଆଣିଥିବା ଏହି କଳା ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦେଶର ଲକ୍ଷ ଲକ୍ଷ କୃଷକ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରଚଣ୍ଡ ଶୀତ କାକରରେ ଆନେ୍ଦାଳନ କରୁଛନ୍ତି ।
ଆଜି ସମଗ୍ର ଦେଶର କୃଷକ, ଶ୍ରମିକ ସଂଗଠନ ଏବଂ ସମସ୍ତ ବିରୋଧୀ ରାଜନୈତିକ ଦଳ ଏହି ଦାବିକୁ ସମର୍ଥନ କରୁଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନର ପ୍ରତ୍ୟାହାର କରିନେବା ଦରକାର ବୋଲି ଦାବି କରିଥିଲେ । ଆନେ୍ଦାଳନକାରୀମାନଙ୍କ ମଧ୍ୟରୁ ଗୋଟିଏ ଅଂଶ ବାଇକ୍ ଶୋଭାଯାତ୍ରାରେ ଯାଇ ବ୍ୟାଙ୍କ, ଏଲ୍.ଆଇ.ସି, ପୋଷ୍ଟାଲ ଭଳି କେନ୍ଦ୍ରୀୟ ପ୍ରତିଷ୍ଠାନ ସମେତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦରେ ସାମିଲ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଆଇ.ଏନ୍.ଟି.ୟୁ.ସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ, ଏ.ଆଇ.ଟି.ୟୁ.ସି ସଭାପତି ବାବାଜୀ ଧଳ, ଆଦିକନ୍ଦ ରାଉଳ,ଆଇ.ଏନ୍.ଟି.ୟୁ.ସି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ସିପିଏମ୍ ସମ୍ପାଦକ ଗୟାଧର ଧଳ, କୃଷକ ସଭାପତି ଉମେଶ ଚନ୍ଦ୍ର ସିଂ, ସି.ଆଇ.ଟି.ୟୁ. ସଭାପତି ଜଗଜ୍ଜୀବନ ଦାଶ, ସିପିଆଇ ଏମ୍ଏଲ୍ ଜିଲ୍ଲା କମିଟି ସଭ୍ୟ ପ୍ରକାଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକ, ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ଦୋଳଗୋବିନ୍ଦ ସାହୁ, ଦଳିତ ନେତା ନଗେନ୍ଦ୍ର ଜେନା ପ୍ରମୁଖଙ୍କ ନେତୃତ୍ୱରେ ସଂଗଠିତ ଏହି ଆନେ୍ଦାଳନରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ ଦାସ, ବିଭ୍ରାଂଶୁ ଲେଙ୍କା, ବସନ୍ତ ସେଠୀ, ହଳଧର ସେଠୀ, ସୈାମେନ୍ଦ୍ର ପୃଷ୍ଟି, ସମ୍ବିତ୍ ଶ୍ରୀଚନ୍ଦନ, ଭାଗିରଥି ଜେନା, ସର୍ବେଶ୍ୱର ଲେଙ୍କା, ବିଧୁଭୂଷଣ ମହାପାତ୍ର, ସୟଦ ଅବଦୁଲ ସତାର, ମୀର ମୁର୍ଶିଦ, ଜସ୍ମିନ୍ ପରୱିନ୍, କମ୍ୟୁନିଷ୍ଟ ନେତା ମାଧବ ଦାସ, ବିକାଶ ଚନ୍ଦ୍ର ବେଉରା, ସତ୍ୟନାରାୟଣ ଜେନା, ଅଭୟ ଦାସ, ରଂଜନ ମଲିକ, ଶରତ ବେହୁରା, ଦୟାନିଧି ଜେନା, ପ୍ରମୋଦ ମହାପାତ୍ର, ସତ୍ୟପ୍ରିୟ ସାମଲ, ଦିବାକର ସାହୁ ପ୍ରମୁଖ ଶତାଧିକ କର୍ମୀ ସହଯୋଗ କରିଥିଲେ ।