କେନ୍ଦ୍ରାପଡା ( ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ଉଦବୃତ ଜଳକୁ ତୁରନ୍ତ ନିଷ୍କାସନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ନାହିଁ ନଥିବା ୱାଟର ଲଗିଂ ସମସ୍ୟା ସୃଷ୍ଟି ହୋଇ ଫସଲ ନଷ୍ଟ ହେଉଛି । ତେଣୁ ତୁରନ୍ତ ଜଳ ନିଷ୍କାସନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।
ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଥିବା ଦାବି ଗୁଡିକ ମଧ୍ୟରେ ଗୋପଛକ ଠାରୁ ଛଗରିଆ ଦେଇ ହଜାରିଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଶ୍ୱର୍ରୁ ବେଆଇନ ବନ୍ଧକୁ ତୁରନ୍ତ ହଟାଯିବା,ହଜାରି ଠାରୁ ହାତିଆ ଡ୍ରେନେଜକୁ କଳାପୋଲ ଦେଇ ବାଲିସାହି ପର୍ଯ୍ୟନ୍ତ ତୁରନ୍ତ ସଫା କରାଯିବା,ଲଛମନଜୀଉ ମନ୍ଦିର ଚକରୁ ୨ନମ୍ବର ବ୍ଲକ ପଛଦେଇ ଗୋବରୀ ନଦୀକୁ ଜଳ ନିଷ୍କାସନ କରାଯିବା,ଅଳାବାଙ୍କ ପାଶ୍ୱର୍ମୟୀ ଠାକୁରାଣୀ ଠାରୁ ଦୁହୁରିଆ ରେଳପୋଲ ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବା,କୁରୁଜଙ୍ଗା ପଂଚାୟତ ଠାରୁ କାଉପଡା ପୋଲଦେଇ ଏନ.ଏଚ. ପର୍ଯ୍ୟନ୍ତ ପଥକୁ ସଫା କରାଯିବା,ବାରିମୂଳ ଗ୍ରାମପଂଚାୟତର ଜେଲରୋଡ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ବାଟରେ ଗୋବରୀ ନଦୀକୁ ସଂଯୋଗ କରାଯିବା,ଏସବୁ ସମେତ ଜିଲ୍ଲାର ବ୍ୟାପକ ଅଂଚଳରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବ୍ୟାପକ ଭାବେ ଫସଲ ହାନି ଘଟିବାକୁ ଯାଉଛି ।
ଯେଉଁମାନେ ଫସଲ ବୀମା କରିନାହାନ୍ତି ତୁରନ୍ତ ସେମାନଙ୍କୁ ବୀମା ଭୁକ୍ତ କରାଯିବା, ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀ ସଂଗଠନର ପ୍ରତିନିଧି ମାନଙ୍କ ସହିତ ଚାଷ ସମ୍ପର୍କରେ ସମସ୍ତ ବିଭାଗ ଯଥା କୃଷି,ଉଦ୍ୟାନକୃଷି,ଜଳସେଚନ,ଡ୍ରେନେଜ,ତଟ ଓ ବନ୍ଧ ଡିଭିଜନ,ବନ ବିଭାଗ,ବ୍ୟାଙ୍କ,ନାବାର୍ଡ ପ୍ରମୁଖ ବିଭାଗ ଗୁଡିକ ତୁରନ୍ତ ଏକ ବୈଠକ ଡକାଇ ଚାଷୀମାନଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରାଯାଇଛି । ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ସଭାପତି ରମଣୀରଞ୍ଜନ ରାଉତରାୟ, ସମ୍ପାଦକ ସତ୍ୟନାରାୟଣ ଜେନା, ସହ ସମ୍ପାଦକ କୁବେର ସାହୁ, ଅକ୍ଷୟ କୁମାର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।