କରଞ୍ଜିଆ : ୧୩/୨ ପାଞ୍ଚପୀଢ ଉପଖଣ୍ଡର ସଦରମହକୁମା କରଞ୍ଜିଆଠାରେ ସ୍ଥାପିତ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ଓ ନର୍ସଙ୍କୁ ତୁରନ୍ତ ନିଯୁକ୍ତି ସହ ରୋଗୀମୃତ୍ୟୁକୁ ହ୍ରାସ କରିବାପାଇଁ ଆଜି କରଞ୍ଜିଆର ମହିଳା ମହାସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ ଚିକିତ୍ସାଳୟରେ ୨୩ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ସ୍ଥଳେ ଅଛନ୍ତି ମାତ୍ର ୮ ଜଣ ଏବଂ ରୋଗୀଶଯ୍ୟା , ସ୍ତ୍ରୀ ଓ ପ୍ରସୂତି ବିଭାଗ , ବ୍ଲଡ଼ ବ୍ୟାଙ୍କ ଓ ପେଡ଼ିଆଟିକ ବିଭାଗ ଅନୁପାତରେ ୫୦ ଜଣ ନର୍ସଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୯ ଜଣ । ରାଜ୍ୟସରକାର ମୋ ସରକାର ଯୋଜନା ପ୍ରଣୟନ ପୂର୍ବକ ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ୱାରୋପ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଏହି ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମି ସୁଦୃଢ କରୁନଥିବା ନେଇ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଚିକିତ୍ସାଳୟର ବିବିଧ ସମସ୍ୟାକୁ ପ୍ରସଙ୍ଗ କରି ଅତୀତରେ ସ୍ଥାନୀୟ ଜନସାଧାରଣ ବହୁବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ଏବଂ ନିକଟ ଅତୀତରେ ବିଧାନସଭାର ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଷ୍ଟାଣ୍ଡିଙ୍ଗ କମିଟିର ଚିକିତ୍ସାଳୟ ପରିଦର୍ଶନ ସମୟରେ ସ୍ଥାନୀୟ ଓକିଲସଙ୍ଘ ଓ ବୁଦ୍ଧିଜୀବୀମାନେ ଏହାର ଅସଜଡା ଭିତ୍ତିଭୂମି ଉପରେ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ । କମିଟିରେ ଆସିଥିବା ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ ନିର୍ଦ୍ଦେଶକ ଆଗାମୀ ୭ ଦିନ ମଧ୍ୟରେ ମେଡ଼ିସିନ ଓ ପେଡ଼ିଆଟିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଣିରଗାର ଭଳି ମିଥ୍ୟା ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କୁ ଭୋକୁଆ ବନାଯାଇଛି ବୋଲି ମହାସଂଘ ଗୁରୁତର ଅଭିଯୋଗ ବାଢ଼ିଛି ।ଏହି ଚିକିତ୍ସାଳୟ ଉପରେ ସମଗ୍ର ପାଞ୍ଚପୀଢ ଉପଖଣ୍ଡ ସମେତ ପଡୋଶୀ ଝାରଖଣ୍ଡ ରାଜ୍ୟର ସୀମାନ୍ତବର୍ତ୍ତୀ ଓ କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳର ଜନସାଧାରଣ ନିର୍ଭର କରିଥିବା ବେଳେ ଚିକିତ୍ସାଳୟର ଅବସ୍ଥା ଦେଖି ବର୍ତ୍ତମାନ ରୋଗୀମାନେ ଅସହାୟ ହୋଇପଡିଛନ୍ତି ।ଏଠାକୁ ସାମାନ୍ୟ ରୋଗରେ ପୀଡିତ ରୋଗୀ ଆସିଲେ ତାକୁ କେନ୍ଦୁଝର ଅଥବା କଟକ ବଦଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ଏଭଳି ସ୍ଥିତିରେ ଦରିଦ୍ର ତଥା ଖଟିଖିଆ ମଜୁରିଆ କେନ୍ଦୁଝର ବା କଟକ ଡାକ୍ତରଖାନାକୁ ରୋଗୀକୁ ନେଇ ଖର୍ଚ୍ଚ କରିବା ସ୍ଥିତିରେ ନଥିବା ଯୋଗୁଁ ବାଧ୍ୟହୋଇ ନିଜଘରକୁ ଫେରାଇନେଉଛନ୍ତି । ଏହାଫଳରେ ରୋଗୀକୁ ଭଲ କରିବାପାଇଁ ସେମାନେ ଜଡିବୁଟି ଅଥବା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ଆପଣାଇବା ଦ୍ୱାରା ଅଧିକାଂଶ ଦରିଦ୍ର ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି । ମହାସଂଘର ସଭାନେତ୍ରୀ ଅନିତା ଦେହୁରୀଙ୍କ ସଭାପତିତ୍ୱରେ ସ୍ଥାନୀୟ ମିଲନପଡ଼ିଆ ଠାରେ ଆୟୋଜିତ ଏକ ସଭାକାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ତଥା ଶ୍ରମିକନେତା ଭୁବନ ବିହାରୀ ସାହୁ , ଓକିଲସଙ୍ଘର ସଭାପତି ହରିଶ ଚନ୍ଦ୍ର ଦାଶ , ସାମ୍ବାଦିକ ଓ ବୁଦ୍ଧିଜୀବି ଯୋଗଦେଇ ମହାସଂଘର ପ୍ରସ୍ତାବକୁ ଦୃଢ ସମର୍ଥନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ଚଳିତମାସ ୨୮ ତାରିଖ ସୁଦ୍ଧା ଦାବିଗୁଡିକ ଉପରେ ପଦକ୍ଷେପ ନିଆନଗଲେ ବ୍ୟାପକ ଜନଆନ୍ଦୋଳନ ପାଇଁ ପାଇଁ ସଭାନେତ୍ରୀ ଅନିତା ଦେହୁରୀ ଚେତାବନୀ ଦେଇଛନ୍ତି ।