Odisha news

ରାଜୁଆରେ ଘାଇ ମକରା ନଦୀ ବନ୍ଧକୁ ବନ୍ଧେଇବାରେ ପ୍ରଶାସନ ବିଫଳ ୧୧ ପଞ୍ଚାୟତ ଜଳବନ୍ଦୀ : ବିପଦ ସଙ୍କେତ ଉପରେ ସବୁ ନଦୀର ଜଳସ୍ତର

0

କଣାସ ୧୭/୦୮/୨୦୨୨ : ଜୁଆଡକୁ ଚାହିଁଲେ ପାଣି ଆଉ ପାଣି ।ବନ୍ୟାରେ ଉବୁଟୁବୁ  ଅଧା କଣାସ ବ୍ଲକ୍।ଦୁଇ ଦିନ ହେଲା ହଜାର ହଜାର ଲୋକ ଓ ଗୃହ ପାଳିତ ପଶୁ ପାଣି ଘେରରେ ଜୀବନ ବିତାଉଛନ୍ତି ।ଖବର ନେବାରେ ଜଣାପଡିଛି ରାଜୁଆ ନଦୀରେ ଘାଇ ହେବା ଦ୍ବାରା ବ୍ଲକର ଗଡ଼ସାନପୁଟ ଓ ଗଡ଼ବଡପୁଟ ପଞ୍ଚାୟତର ହଳଦିଆପଡ଼ା,ଲୋକାପାଳ, ତିମେଇପୁର,ମନ୍ଦାରବସ୍ଥ,ଝାରକଟା,ଢୋଲପାଟଣା ଏହି ସବୁ ଗାଁରେ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ସେହିଭଳି ମଙ୍ଗଳବାର  ମକରା ନଦୀ ବନ୍ଧର ପାହିଲୁଣ୍ଡି କଉଡ଼ିଆପୁର ଠାରେ ସୃଷ୍ଟି ହୋଇଥିବା ଘାଇକୁ ପ୍ରଶାସନ ପକ୍ଷରୁ ବନ୍ଦ କରିବାରେ ବିଫଳ ହୋଇଛି ।ଯାହାଦ୍ଵାରା ଚୁପୁରିଙ୍ଗ ,ସାହୁପଡ଼ା,କାଦୁଆ,ବକୁ, ବଡାଲ, ଦେଇପୁର ଓ ଡୋଛିଆଁ ପଞ୍ଚାୟତର ଅନେକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି।ବନ୍ୟା ଜଳ ଘେରରେ ବଡାସ,ଦୋକନ୍ଦା,ଗଡ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା, ତରପଡ଼ା,ବାଦ୍ୟନାଥପାଟଣା,କଖାରୁବସ୍ଥ,ଦୋକନ୍ଦା,କଦଳିଦଣ୍ଡା,ସବଳଙ୍ଗ, ବୋତଳମା ଓ ଗଡବଳଭଦ୍ରପୁର ଆଦି ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଏହି ସବୁ ଗାଁ ।ଦୁଇଦିନ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି ଗୃହପାଳିତ ପଶୁ ଓ ଲୋକମାନେ ।ବ୍ଲକରେ ଦେଇ ଯାଇଥିବା ନଦୀ ବନ୍ଧ ଗୁଡ଼ିକ ପ୍ରଶାସନ ପକ୍ଷରୁ  ସଠିକ୍ ଭାବେରେ ନିର୍ମାଣ କରାନଯିବାରୁ ପ୍ରତି ବର୍ଷ ବନ୍ୟା ଆସୁଛି ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇ ଘାଇ ହେଉଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି ।ସେପଟେ ବନ୍ୟା ଦାଉରୁ ଏକର ଏକର ଧାନ ଠାରୁ ଆରମ୍ଭ କରି ପନିପରିବା ଫସଲ ପାଣିରେ ବୁଡି  ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।ବନ୍ୟା ପାଣି ଘେରରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ୟା କଥା ପଚାରି ବୁଝିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ପ୍ରଶାସନ ପକ୍ଷରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ଯାତାୟତ ପାଇଁ ଡଙ୍ଗା ଯୋଗାଇ ଦିଆଯାଇଛି ବୋଲି ବିଡ଼ିଓ ଲୋଚନ ଦାସ କହିଛନ୍ତି ।

Leave A Reply