ବାଦଲ ଭୂୟାଁ : ସହୃଦୟ ପାଠକବର୍ଗଙ୍କୁ ତିନୋଟି ଶବ୍ଦ ଅଡ଼ୁଆ ସୃଷ୍ଟି କରିପାରେ । କଥା ହେଉଛି ବିକଶିତ ଓଡ଼ିଶା ଆଜି ଯେଉଁ ପ୍ରଗତିରେ ପହଞ୍ଚôଛି ଏଥିରେ ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡ଼ିର ଅବଦାନ ସ୍ମରଣୀୟ ହୋଇ ରହିବ ନିଶ୍ଚୟ ତେବେ କାମରାଜ ଯୋଜନା ଶବ୍ଦ ଉପରେ ଆମେ ସବିଶେଷ ଆଲୋକପାତ କରୁଛୁ । କାମରାଜ ଓଡ଼ିଶାର କୌଣସି ନେତା ନଥିଲେ । ୧୯୬୩ରେ କାମରାଜ ସମଗ୍ର ଭାରତ ବର୍ଷ ପାଇଁ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ।
ସେ ସମୟର ତାମିଲନାଡୁର ଶକ୍ତିଶାଳୀ ଓ ପ୍ରଭାବଶାଳୀ କଂଗ୍ରେସ ମୁଖ୍ୟମନ୍ତ୍ରୀ କେ.କାମରାଜ ଦଳର ପ୍ରଭାବି ଓ ବଡ଼ ବଡ଼ ନେତାଙ୍କୁ ମନ୍ତ୍ରୀ ପଦର ଗାଦି ଛାଡ଼ି ସଂଗଠନକୁ ଶକ୍ତିଶାଳୀ କରିବା ସହ ଲୋକମାନଙ୍କ ପାଖକୁ ଦଳର ସଂଗଠନ ପହଞ୍ଚାଇବା ପାଇଁ ଦାୟିତ୍ୱ ନେବାକୁ ଏକ ପ୍ରଚଣ୍ଡ ଆହ୍ୱାନ ଦେଇଥିଲେ । କୁହାଯାଏ ଯେ କେ.କାମରାଜଙ୍କ ପରି ଜଣେ ନିର୍ବୀବାଦୀୟ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନର ଶକ୍ତି ଏତେ ଗମ୍ଭୀର ଥିଲା ଯେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସ୍ୱୟଂ ଇସ୍ତଫା ଦେଇ ସଂଗଠନ ପାଇଁ ସମୟ ଦେବାକୁ ଆଗଭର ହୋଇପଡ଼ିଥିଲେ । ତେବେ କେ.କାମରାଜଙ୍କ ସହ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଜାତୀୟ ରାଜନୀତିରେ ଓ ଦେଶର ବିକାଶ ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆବଶ୍ୟକତା ଓ ପ୍ରାସଙ୍ଗିକତାକୁ ଗୁରୁତ୍ୱ ଦେଇ ତାଙ୍କୁ ଅନୁନୟ ବିନୟ ହୋଇ ତାଙ୍କ ବିଚାର ଫେରାଇ ନେବାକୁ ଉଦ୍ୟମ କରି ସଫଳ ହୋଇଥିଲେ ।
ସେ ସମୟରେ କେ.କାମରାଜଙ୍କ ଏହି ଆହ୍ୱାନ ଅନ୍ୟ ରାଜନୈତିକ ଦଳ ଭିତରେ ଏକ ବିତର୍କର ଦାନା ବାନ୍ଧିଥିବା ସହ କଂଗ୍ରେସ ଦଳ ଭିତରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଥିଲା । ତେବେ ମନ୍ତ୍ରୀ ପଦର ଲୋଭନୀୟ ଦାୟିତ୍ୱକୁ ଛାଡ଼ି ସଂଗଠନ ପାଇଁ କାର୍ଯ୍ୟ କରିବାକୁ କେ.କାମରାଜଙ୍କ ଏହି ଯୋଜନାରେ ଅନେକ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏହାକୁ ଗ୍ରହଣ କରି ନିଜ ନିଜ କ୍ଷେତ୍ରରୁ ଇସ୍ତଫା ଦେଇ ଦଳରେ କାମ କରିବା ପାଇଁ ଆଗେଇ ଆସିଥିଲେ । ସେ ସମୟରେ କଂଗ୍ରେସର ଟାଣୁଆ ନେତା ଲାଲବାହାଦୂର ଶାସ୍ତ୍ରୀ, ଜଗଜୀବନ ରାମ ଓ ମୋରାରଜୀ ଦେଶାଇଙ୍କ ପରି ଶକ୍ତିଶାଳୀ କ୍ୟାବିନେଟ ମନ୍ତ୍ରୀ ଓ ସ୍ୱୟଂ କେ.କାମରାଜଙ୍କ ସହ ଏସ୍.କେ. ପାଟିଲ ଓ କଳିଙ୍ଗ ବୀର ଜନନାୟକ ବିଜ ପଟ୍ଟନାୟକଙ୍କ ପରି ବିଭିନ୍ନ ରାଜ୍ୟର ଛଅଜଣ ମୁଖ୍ୟମନ୍ତ୍ରୀ ନିଜ ପଦ ଓ ଦାୟିତ୍ୱରୁ ଇସ୍ତଫା ଦେଇ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ କର୍ମୀଙ୍କ ପାଖରେ ଦୃଢ଼ ହୋଇ ଛିଡ଼ା ହୋଇଥିଲେ । କେ.କାମରାଜଙ୍କ ଏହି ଆହ୍ୱାନ ସେ ସମୟର ଜାତୀୟ ଗଣମାଧ୍ୟମ ସହ ବିଶ୍ୱର ବିଭିନ୍ନ ଗଣମାଧ୍ୟମରେ ଏ ସମ୍ବନ୍ଧରେ ବିଭିନ୍ନ ଖବର ଓ ଲେଖା ପ୍ରକାଶ ପାଉଥିଲା ।
ଓଡ଼ିଶାରେ ବିଜେଡ଼ି ପରି ଏକ ଆଞ୍ଚଳିକ ଦଳ ଯେଉଁପରି ଲୋକମାନଙ୍କ ବିକାଶ ପାଇଁ ଲୋକପ୍ରିୟ ଯୋଜନା ହାତକୁ ନେଇଛି ଏ କ୍ଷେତ୍ରରେ ବିଜେଡ଼ି ସହ ଟକ୍କର ଦେବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଏଯାବତ୍ ସାମର୍ଥ୍ୟ ଜୁଟାଇ ପାରୁନାହାଁନ୍ତି । ନବୀନ ବାବୁଙ୍କ ପରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସ୍ୱତନ୍ତ୍ରତା ହେଉଛି ସରଳ ଜୀବନ, ସର୍ବଦା ଓଡ଼ିଶା ବିକାଶ ପାଇଁ ତତ୍ପରତା ଓ ବିରୋଧୀଙ୍କ ପ୍ରତି କୌଣସି ମନ୍ତବ୍ୟ ନ ଦେଇ ଚୁପ୍ଚାପ ନିଜ ଦାୟିତ୍ୱ ପାଇଁ ନିଷ୍ଠାପରତା ଜାରି ରଖିବା । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ନୂଆ ଓଡ଼ିଶାକୁ ଆଗେଇ ନେବା ପାଇଁ ନିଜକୁ ଚର୍ଚ୍ଚା ଓ ଗଣମାଧ୍ୟମର ଖବର ଭିତରେ ଦୂରେଇ ଯେଉଁ ବ୍ୟକ୍ତିତ୍ୱ ଜଣଙ୍କ ନେପଥ୍ୟ ନାୟକ ସେ ହେଉଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସାଧାରଣରେ ଓ କର୍ମୀମାନଙ୍କ ଭିତରେ ସେ ବବି ଭାଇ ଭାବେ ପରିଚିତ । ତାଙ୍କ ପିତା ଅଶୋକ ଦାସ ବିଜୁ ବାବୁଙ୍କର ଘନିଷ୍ଠତମ ବ୍ୟକ୍ତି ଥିଲେ ।
ଓଡ଼ିଶା ରାଜନୀତିରେ ଅଶୋକ ଦାସଙ୍କ ପରି ବଳିଷ୍ଠ ନେତୃତ୍ୱଙ୍କ ଅବଦାନ ପ୍ରାତଃ ସ୍ମରଣୀୟ ନିଶ୍ଚୟ । ତେବେ ପ୍ରଣବ ପ୍ରକାଶ ଦାସ ନିଜେ ଅନେକ ବର୍ଷ ତଳୁ ମନ୍ତ୍ରୀ ପଦକୁ ଆଡ଼େଇ ଦଳର କୌଣସି ପଦପଦବୀକୁ ଲୋଭ ରଖି କାର୍ଯ୍ୟ କରିନାହାନ୍ତି । ଦଳ ପାଇଁ ତାଙ୍କ ନିଷ୍ଠାପରତା, ତତ୍ପରତା ଓ କର୍ମୀମାନଙ୍କ ପ୍ରତି ଯେଉଁ ଭଲ ପାଇବା ତାଙ୍କର ଏକ ଆଦର୍ଶଣୀୟ ଗୁଣ । କେହି କେହି ତାଙ୍କୁ ମିନିଷ୍ଟର ମେକର ଭାବେ ପରିଚୟ ଦିଅନ୍ତି କିନ୍ତୁ ସବୁବେଳେ ନିଜକୁ ପ୍ରଚାର କରିବା ଠାରୁ ଦୂରେଇ କେବଳ ଦଳ ପାଇଁ ସମର୍ପିତ ସେବା ଜାରି ରଖିବା ହିଁ ତାଙ୍କର ଏକ ମହତ୍ ଗୁଣ । ତେବେ ଏକ ଚର୍ଚ୍ଚିତ ଘଟଣାକ୍ରମେ ପ୍ରଣବ ବାବୁ ନିକଟରେ ବାରିପଦା ଯାଇ ବିଜେଡ଼ିର ସାଙ୍ଗଠନିକ ନେତୃତ୍ୱକୁ ମଜଭୁତ କରିବା ପାଇଁ ଏକ ଆଲୋଚନା ବୈଠକରେ ଉପସ୍ଥିତ କର୍ମୀ ଓ ନେତୃତ୍ୱ ମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ଆସନ୍ତା ନିର୍ବାଚନରେ ବିଜେଡ଼ି ପକ୍ଷରୁ ନେତୃତ୍ୱ ନେବା ପାଇଁ ବା ପ୍ରାର୍ଥୀ ହେବା ପାଇଁ କେଉଁ କେଉଁ ମାନେ ଚାହୁଁଛନ୍ତି ନିଜ ସମର୍ଥନ ସ୍ୱରୂପ ହାତ ଦେଖାନ୍ତୁ ।
ସେଠାରେ ଉପସ୍ଥିତ ଥିବା ପ୍ରାକ୍ତନ ବିଧାୟକ ସାନନ୍ଦା ମାରାଣ୍ଡି ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ସମର୍ଥନ ସ୍ୱରୂପ ହାତ ଟେକିଥିଲେ । ସେଇଠି ପ୍ରଣବ ବାବୁ ଆହ୍ୱାନ ଦେଇଥିଲେ ଯେ ବିଜେଡ଼ି ପରି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଅସଲ ଶକ୍ତି ଓ ସାମର୍ଥ୍ୟ ହେଉଛନ୍ତି ତାଙ୍କର ପ୍ରତିଟି କର୍ମୀ । ବିଜେଡି ପରି ଏକ ଆଞ୍ଚଳିକ ଦଳ ପାଇଁ ନେତା ନୁହନ୍ତି କର୍ମୀଙ୍କ ଆବଶ୍ୟକତା ରହିଛି ବୋଲି ସେ ସୂଚାଇ ଥିଲେ । କୁହାଯାଏ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସହ ବିଜେଡ଼ି କିଛି ଘନିଷ୍ଠତା ରଖିଛି । କିନ୍ତୁ ଏହା ସତ୍ୟ ଯେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ଭିତରେ କେତେକ କ୍ଷେତ୍ରରେ ଏକ ଜାତୀୟ ଓ ଆଞ୍ଚଳିକ ଦଳର ସମର୍ଥନ ଜରୁରୀ ।
ସମଗ୍ର ଭାରତରେ ବିଜେଡ଼ି ପରି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସମକକ୍ଷ ହୋଇପାରିବ ନାହିଁ । ଓଡ଼ିଶାର ନୂଆ ବିକାଶ ଓ ଓଡ଼ିଶାବାସୀଙ୍କୁ ବିଭିନ୍ନ ଲୋକପ୍ରିୟ ଯୋଜନା ଦ୍ୱାରା ସେମାନଙ୍କ ସାମର୍ଥ୍ୟ, କାର୍ଯ୍ୟଦକ୍ଷତା ଓ ପରିବାରର ପ୍ରଗତି ପାଇଁ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ । ଓଡ଼ିଶା ସରକାରଙ୍କ ଲୋକପ୍ରିୟ ଯୋଜନାକୁ ଆଗେଇ ନେବା ପାଇଁ ବଳିଷ୍ଠ ଓ ନିଃସ୍ୱାର୍ଥପର ନେତୃତ୍ୱ ଆବଶ୍ୟକ । ପଦପଦବୀ ଓ ଗୁରୁଦାୟିତ୍ୱର ମୋହ ହୁଏତ ଜଣଙ୍କୁ ଦଳ ପାଇଁ ଆନୁଗତ୍ୟ ଓ ଉତ୍ତରଦାୟିତ୍ୱ ସୃଷ୍ଟି କରିବାରେ ବାଧକ ହୋଇପାରେ । ତେଣୁ ଓଡ଼ିଶାରେ କାମରାଜ ଯୋଜନା ପରି ଆଗକୁ ବିଜେଡ଼ିର କିଛି ବରିଷ୍ଠ ମନ୍ତ୍ରୀ ଦାୟିତ୍ୱ ତ୍ୟାଗ କରି ସଂଗଠନ ଭିତରେ ଶକ୍ତି ଭରିବା ପାଇଁ କର୍ମୀଙ୍କ ପାଖରେ ନିକଟତର ହୁଅନ୍ତି ଏହା କିଛି ନୂଆ ଖବର ହେବନାହିଁ । ଓଡ଼ିଶାର ବିକାଶରେ ବିଜେଡ଼ି ସରକାରଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ।