Odisha news

ଓଡ଼ିଶାରେ କୃଷି ବିକାଶ ଓ ଓଡ଼ିଶା ମିଲେଟ ମିସନ

0

ବାଦଲ ଭୂୟାଁ : ପିଲାଦିନର ଚାଟଶାଳିର ପାଠପଢ଼ା ବହିର ସ୍ମରଣୀୟ ଧାଡ଼ିଟି ମନେପଡ଼ି ଆସୁଛି – “ଚାଷକାମ ଯାହାର କେଡ଼େ ସୁଖ ତାହାର…’ । ଆଜିର ଓଡ଼ିଶାରେ ବିକଶିତ କୃଷି କ୍ଷେତ୍ର ଓ ନୂଆ ଓଡ଼ିଶା ମିଲେଟ ମିଶନ ସମଗ୍ର ଭାରତ ପାଇଁ ଏକ କ୍ରାନ୍ତିକାରୀ ଓ ଶିକ୍ଷଣୀୟ ଯୋଜନା ଭାବେ ପରିଗଣିତ ହେବାକୁ ଯାଉଛି । ନୂଆଦିଲ୍ଲୀ ସନ୍ନିକଟରେ କିଛି ରାଜ୍ୟର କୃଷକମାନେ କେନ୍ଦ୍ର କୃଷି ନୂଆ ଆଇନ ପାଇଁ ଆନେ୍ଦାଳନ କରିଥିବାବେଳେ ଓଡ଼ିଶା ସରକାର କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ ଆୟ ଦୁଇଗୁଣା କରିବା ପାଇଁ କିଛି ଲୋକପ୍ରିୟ ଯୋଜନା ହାତକୁ ନେଇଛନ୍ତି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆର୍କେଭିୱାଇ ଅଧୀନରେ ୧୨ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେବାସହ ମଞ୍ଜୁରି ଲାଭ କରିଥିବା ଏହି ୧୨ଟି ନୂଆ ପ୍ରକଳ୍ପର ନିବେଶ ପରିମାଣ ୭୨ କୋଟି ୯୫ଲକ୍ଷ ଟଙ୍କା ରହିଛି ।

ମଞ୍ଜୁରି ଲାଭ କରଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଫସଲର କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଫେରୋମେନ୍ ଟ୍ରାପ୍କୁ ପ୍ରୋତ୍ସାହନ ଦେବା, ଇ-ପେଷ୍ଟର ନୀରିକ୍ଷଣ ଓ ପରିଚାଳନା, ଆଦିବାସୀ ଅଞ୍ଚଳରେ ମୃତ୍ତିକା ବିହୀନ ନର୍ସରୀକୁ ପ୍ରୋତ୍ସାହନ, କିଚେନ ଗାର୍ଡ଼େନ କିଟ୍ ଯୋଗାଣ, ଛତୁ ଚାଷ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସହାୟତା, ଫୁଲଚାଷ ପାଇଁ ଚାରା ସାମଗ୍ରୀ ସହାୟତା, ପୁରୁଣା ଡାଏରି ପ୍ଲାଣ୍ଟର ନବୀକରଣ ଓ ଆଧୁନିକୀକରଣ, ବିଭିନ୍ନ ଜିଲ୍ଲାାରେ ୯ଟି ବିହନ ମହଜୁଦ ଗୋଦାମ ନିର୍ମାଣ, ବାଡ଼ିରେ ରୋପଣ ପାଇଁ କଲମୀ ଆମ୍ବ ଚାରା ପ୍ରଦାନ ଏବଂ ବିଭିନ୍ନ ପ୍ରକାର ଫଳ ଚାରା ପ୍ରଦାନ ଆଦି ରହିଛି ।

ସୂଚନାଥାଉକି ଏହିସବୁ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ୪୦ ଭାଗ ପାଣ୍ଠି ଯୋଗାଇଦେବ । ଏଥି ସହିତ କମିଟି ପକ୍ଷରୁ ବିିଭିନ୍ନ ଉପ ଯୋଜନାରେ ୯୧ କୋଟି ୩୬ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ସେଗୁଡ଼ିକ ମଧ୍ୟରେ ପୂର୍ବ ଭାରତରେ ସବୁଜ ବିପ୍ଳବ ଆଣିବା ଲାଗି ୮୮ କୋଟି ୮୪ଲକ୍ଷ ଟଙ୍କା, ଖରାପ ମୃତ୍ତିକାକୁ ଠିକ୍ କରିବା ପାଇଁ ୨.୫ କୋଟି ଟଙ୍କା ଏବଂ ଫସଲ ବିବିଧକରଣ କାର୍ଯ୍ୟକ୍ରମ ପାଇଁ ୧.୯୬୦ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଛି । ପ୍ରତ୍ୟେକ ପ୍ରକଳ୍ପର ସମୟସୀମା ନିର୍ଦ୍ଧାରଣ ସହିତ ପ୍ରକଳ୍ପ ଗୁଡ଼ିକୁ ବିଶେଷ ଭାବେ ଅନୁଧ୍ୟାନ କରିବା ପାଇଁ ସରକାର କିଛି ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ପ୍ରକଳ୍ପ ଗୁଡ଼ିକୁ ଠିକ ସମୟରେ ସାମଗ୍ରୀ ଯୋଗାଣ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଭୟାବହ କରୋନା ସମଗ୍ର ବିଶ୍ୱବାସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ସମୟରେ ସରକାର ଛବିଶଟି ପ୍ରମୁଖ ପ୍ରକଳ୍ପକୁ କାର୍ଯ୍ୟଶେଷ ସମ୍ପୂର୍ଣ୍ଣ କରିବା ଲାଗି ଆଉ କିଛି ସମୟ ଦେଇଛନ୍ତି । ସୂଚନାଥାଉକି କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଭିନ୍ନ ଭିନ୍ନ ସମୟରେ ଲୋକପ୍ରିୟ ପ୍ରକଳ୍ପ ଓ ଯୋଜନା ପାଇଁ ପ୍ରଶଂସିିତ ହେବାସହ ସରକାରଙ୍କ ସଫଳତା ପାଇଁ ଗୌରବର ମର୍ଯ୍ୟାଦା ମିଳିଛି । ଏସବୁ କ୍ଷେତ୍ରରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ସହ ଓଡ଼ିଶାର କୃଷି ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଡକ୍ଟର ଅରୁଣ କୁମାର ସାହୁଙ୍କ ନିଷ୍ଠାପର, ଯୋଜନାବଦ୍ଧ ଉଦ୍ୟମ ରହିଛି । ଓଡ଼ିଶାର କୃଷି କ୍ଷେତ୍ରକୁ ବିକଶିତ କରି ସମସ୍ତଙ୍କୁ ରୋଜଗାରକ୍ଷମ କରିବା ସହ ଯୁବବର୍ଗଙ୍କୁ ସରକାରଙ୍କ ସହାୟତା ନେଇ ସେମାନଙ୍କ ଆର୍ଥିକ ପ୍ରଗତିରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ଡକ୍ଟର ସାହୁଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ।

ରାଜ୍ୟ କୃଷିମନ୍ତ୍ରୀଙ୍କ ବିଭିନ୍ନ ବିକାଶଶୀଳ ଓ ଲୋକାଭିମୁଖୀ ଯୋଜନା ପାଇଁ କେନ୍ଦ୍ର ସରକାର ଉଚ୍ଚ ପ୍ରଶଂସା କରିବା ସହ ଏ ନେଇ ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଖବରର ମାନ୍ୟତା ପାଇଛି ।

ସେହିପରି ଦେଶରୁ କୁପୋଷଣ ହଟାଇବାକୁ ରାଜ୍ୟଗୁଡ଼ିକ ନାନା ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଓଡ଼ିଶା ମିଲେଟ୍ ମିସନ ଲଢ଼େଇର ମୋଡ଼ ବଦଳାଇ ଦେଇଛି । ଏ ଦିଗରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିସନ ଏବଂ ମୋା ଉପକାରୀ ବଗିଚା ଯୋଜନା ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଇ ନିତି ଆୟୋଗ ପ୍ରଶଂସା କରିଛନ୍ତି । ସଦ୍ୟ ପ୍ରକାଶିତ ହୋଇଥିବା ନିତି ଆୟୋଗର ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି ରିପୋର୍ଟରେ ଓଡ଼ିଶା ସରକାରଙ୍କ ଏହି ଦୁଇଟି ଯୋଜନା ଗର୍ଭବତୀ, ପ୍ରସୂତୀ, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟ ରାଜ୍ୟମାନେ ମଧ୍ୟ ଏହିପରି ଉତ୍ତମ କାର୍ଯ୍ୟକ୍ରମକୁ ଆପଣାଇବା ପାଇଁ ନିତି ଆୟୋଗ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ ମିସନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୁଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ପାଇଲଟ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନବାଡ଼ି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡ଼ୁ ଖାଇବାକୁ ଦିଆଯାଉଛି । ଅଙ୍ଗନବାଡ଼ି କେନ୍ଦ୍ରରେ ମାଣ୍ଡିଆ ଲଡ଼ୁ ବିତରଣକୁ ମଧ୍ୟ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ।

ସେହିଭଳି ଗୁରୁତର ଗର୍ଭବତୀ ମହିଳା, କିଶୋରୀ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ପୁଷ୍ଟିସାଧନ ପାଇଁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସମ୍ମିଳିତ ଉଦ୍ୟମରେ ୨୦୧୯ ଅକ୍ଟୋବରରୁ ମୋ ଉପକାରୀ ବଗିଚା ଯୋଜନା ଆରମ୍ଭ କରାଯାଇଛି । ବିଶେଷକରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଋତୁକାଳୀନ ପନିପରିବା ଓ ଫଳ ଆଦି ଖାଇବାକୁ ଦେଇ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ୧୭ ହଜାର ମୋ ଉପକାରୀ ବଗିଚା ସୃଷ୍ଟି କରାଯାଇଛି ।

ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂରୀକରଣ ଦିଗରେ ଏହି ଯୋଜନା ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଓଡ଼ିଶାର ଏହି ଦୁଇ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ନିତି ଆୟୋଗ ଭଳି ଜାତୀୟ ସଂସ୍ଥାର ସ୍ୱୀକୃତି ଏବଂ ପ୍ରଶଂସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିନ୍ତୁ ଏହାର ସମସ୍ତ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି । ଅନ୍ନଦାତା ମାନଙ୍କୁ ନୂଆ ପ୍ରଯୁକ୍ତି କୌଶଳ ବିଜ୍ଞାନର ସହାୟତା ଓ ସରକାରୀ ପ୍ରୋତ୍ସାହନ ଦ୍ୱାରା ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅନେକ ଯୋଜନା ଓ ପ୍ରକଳ୍ପ ଆଗେଇ ନେଉଥିବାବେଳେ ଏ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ମଧ୍ୟ ଆବଶ୍ୟକ ରହିଛି ।

Leave A Reply