Odisha news

କାଳିଆ ଯୋଜନା : ଜାତି ଗଲା ପୂରିଲାନି ପେଟ

0

ଯଦୁମଣି ପାଣିଗ୍ରାହୀ : ରାଜ୍ୟ ସରକାର ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର କୃଷି ଓ କୃଷକଙ୍କ ଉନ୍ନତି ଲାଗି କାଳିଆ ଯୋଜନା ନାମରେ ଏକ ଅଭିନବ ଯୋଜନା ପ୍ରଣୟନ କରିଥିଲେ । ଜଗନ୍ନାଥ ଧାମ ପୁରୀ ଶ୍ରୀକ୍ଷେତ୍ରରୁ ଓ ଓଡିଆଙ୍କ ଆରାଧ୍ୟ ଦେବତା କାଳିଆଙ୍କ ନାଁରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଅଗଣିତ କୃଷକ ମାନଙ୍କର ଭାବାବେଗକୁ ଜୟ କରିବାର ଯେଉଁ ସୁପରିକଳ୍ପିତ ଯୋଜନା କରିଥିଲେ, ତାହା ଅବଶ୍ୟ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ଲାଗି ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଓଡିଶାରେ ଦୀର୍ଘ ବର୍ଷ ଧରି ଶାସନ ଡୋରିକୁ ନିଜ ହାତରେ ରଖି ଆସିଥିବା ବିଜୁ ଜନତା ଦଳ ଓ ଏହାର ପ୍ରମୁଖ କର୍ମକର୍ତ୍ତା ଗଣ ରାଜ୍ୟବାସୀଙ୍କ ମାନସିକତାକୁ ଅତ୍ୟନ୍ତ ଭଲ ଭାବେ ଓ ଅତି ନିକଟରୁ ବୁଝିବାକୁ ସକ୍ଷମ ହୋଇପାରିଥିଲେ । କେତେବେଳେ କ’ଣ କଲେ ଅତି ଅନାୟାସରେ ରାଜ୍ୟବାସୀଙ୍କ ଅକୁଣ୍ଠିତ ସମର୍ଥନକୁ ସେମାନଙ୍କ ସପକ୍ଷରେ ନେଇ ହେବ ତାହା ମଧ୍ୟ ସେମାନେ ସେମାନଙ୍କର ଦୀର୍ଘ ବର୍ଷର ଶାସକୀୟ ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବାକୁ ସମର୍ଥ ହୋଇ ପାରିଥିଲେ ।

ତେଣୁ ଏହି ଜ୍ଞାନ ଓ କୌଶଳ ଆଧାରରେ ବିଜେଡି ସରକାର ଆଜିଯାଏଁ ଏ ରାଜ୍ୟରେ ତିଷ୍ଠି ରହି ପାରିଛି । ଦେଶର ଅନ୍ୟ ଦୁଇଟି ବୃହତ୍ତ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ବିଜେଡି ର ଏହି ଫର୍ମୁଲାକୁ ଭେଦ କରିବାକୁ ସମର୍ଥ ହୋଇପାରି ନଥିବାରୁ ଓଡିଶାର ଶାସନ ଡୋରିକୁ ସେମାନଙ୍କ ହାତକୁ ନେବାରେ ବାରମ୍ବାର ବିଫଳ ହୋଇ ଚାଲିଛନ୍ତି । ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି ସରକାର ତା’ର ୪ର୍ଥ ପାଳିର ଶେଷ ସୁଦ୍ଧା ରାଜ୍ୟର କୃଷି ଓ କୃଷକର ଉନ୍ନତି ଲାଗି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ପାରିନଥିଲା । କେବଳ କାଗଜପତ୍ରରେ କୃଷିର ଅଭିବୃଦ୍ଧି ଆଉ ଭାଷଣରେ କୃଷକର ଉନ୍ନତି ହୋଇ ଚାଲିଥିଲା ଏ ରାଜ୍ୟରେ । ଯେଉଁଥିପାଇଁ କୃଷି ଉତ୍ପାଦନ ହ୍ରାସ ପାଇବା ସହ କୃଷକର ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ହୋଇ ପଡିଥିଲା । ଆଉ କିଂ କର୍ତ୍ତବ୍ୟ ବିମୁଢ ହୋଇ ଆତ୍ମହତ୍ୟାର ପନ୍ଥାକୁ ଅଧିକ ଶ୍ରେୟ ମଣୁଥିଲା ଚାଷୀ । ଏଥିପାଇଁ ସମଗ୍ର ରାଜ୍ୟରେ ଚାଷୀ ଅସନ୍ତୋଷର ନିଆଁ ଜଳୁଥିଲା । ଏଣେ ଆଗକୁ ଆସୁଥିଲା ୨୦୧୯ ସାଧାରଣ ନିର୍ବାଚନ । ଗୋଟେପଟେ ଚାଷୀ ଅସନ୍ତୋଷ ଓ ଅନ୍ୟପଟେ ନିର୍ବାଚନ । ଏମିତି ଏକ ସନ୍ଧିକ୍ଷଣ ମଧ୍ୟରେ ଜନ୍ମନେଇଥିଲା କାଳିଆ ଯୋଜନା ।

ରାଜ୍ୟରେ ଶାସକ ବିଜେଡି ସରକାର ଦୀର୍ଘ ୨୦ ବର୍ଷର ଶାସନ ଭିତରେ ରାଜ୍ୟରେ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି । କେତେବେଳେ ରାଜ୍ୟବାସୀଙ୍କୁ ଚକମା ଦେଖାଇବାକୁ ତ କେତେବେଳେ ସେମାନଙ୍କ ଭାବାବେଗକୁ ଜୟ କରିବାକୁ ପ୍ରୟାସ କରାଯାଇଛି । ଜନ୍ମ ଠାରୁ କୁଆଡେ ମୃତୁ୍ୟ ଯାଏଁ ଏ ସରକାର ଲୋକଙ୍କ ଲାଗି ଯୋଜନାମାନ ତିଆରି କରିଛନ୍ତି । ମମତାରୁ ହରିଶ୍ଚନ୍ଦ୍ର ଯାଏଁ କେତେକେତେ ଯୋଜନା । ହେଲେ ରାଜ୍ୟର ବାସ୍ତବସ୍ଥିତି କିନ୍ତୁ ଅଲଗା । ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢିଛି । ନିଯୁକ୍ତି ଅଭାବରୁ ବେରୋଜଗାରୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଶିଳ୍ପ ନାହିଁ ତେଣୁ ଏ ରାଜ୍ୟର ଯୁବକ ଆଜି ଦାଦନ ଖଟିବାକୁ ବାଧ୍ୟ ହେଉଛି । ସବୁଠୁଁ ଅବହେଳିତ ହୋଇପଡିଛି କୃଷିକ୍ଷେତ୍ର । ଏ ରାଜ୍ୟର ଶତକଡା ସତୁରୀ ଭାଗ ଲୋକ କୃଷି କାର୍ଯ୍ୟକୁ ଆପଣେଇ ନେଇଥିବା ବେଳେ ସରକାରଙ୍କର ଏଥିପ୍ରତି ଧ୍ୟାନ ନାହିଁ । ଜଳସେଚନର ଅଭାବ, ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ହାନୀ, ରୋଗପୋକ ଯୋଗୁଁ ଉତ୍ପାଦନ ହ୍ରାସର ଭୟ, ଶସ୍ୟ ମହଜୁଦ ରଖିବାରେ ସମସ୍ୟା, ଶସ୍ୟର ଅଭାବୀ ବିକ୍ରୀ ତଥା ଋଣକରଜ ପରିଶୋଧର ଚିନ୍ତା ଓଡିଶାର ଚାଷୀଙ୍କୁ ଚିରକାଳ କବଳିତ କରିଆସିଛି । ଏଭଳିସ୍ଥିତିରେ ସରକାର ଚାଷୀଙ୍କ ସହ ଛିଡା ହୋଇନାହାନ୍ତି କି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ କେବେ ବି ଆନ୍ତରିକତା ପ୍ରଦର୍ଶନ କରିନାହାନ୍ତି । ହଠାତ୍ ଚାଷୀଙ୍କ ଚିନ୍ତା ଘାରିଲା ସରକାରଙ୍କୁ ।

କାଳେ ରାଜ୍ୟରେ ଦେଖା ଦେଇଥିବା ଚାଷୀ ଅସନ୍ତୋଷ ଆସୁଥିବା ନିର୍ବାଚନକୁ ପ୍ରଭାବିତ କରିବ ତେଣୁ ସରକାର ଅତି ଚତୁରତାର ସହ ଓ ଯୋଜନାବଦ୍ଧ ଭାବେ କାଳିଆ ଯୋଜନା ଭଳି ଅଭିନବ ଯୋଜନାର ପ୍ରଣୟନ କରି କ୍ଷମତା ଚୌକିକୁ ପୁନର୍ବାର ନିଜ ହାତରେ ରଖିବାକୁ ଚିନ୍ତା କଲେ । ସରକାରଙ୍କ ପାଖରେ ଆଉ ସମୟ ନଥିବାରୁ ଅତି ତରବରିଆ ଭାବେ ବ୍ଲକସ୍ତରରେ ଭୂମିହୀନ, କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇ ଦେଲେ । ଏହାକୁ ଯେଉଁମାନେ ପାଇଲେ ସେମାନେ ଏକପ୍ରକାର ନିର୍ବାଚନୀ ଖର୍ଚ୍ଚ ମନେ କରି ବାଜେ ଖର୍ଚ୍ଚରେ ଲଗାଇ ଦେଲେ ଓ ପ୍ରତିଦାନ ସ୍ୱରୂପ ନିର୍ବାଚନରେ ବିଜେଡିକୁ ସମର୍ଥନ ବି ଯୋଗାଇଦେଲେ । ଅବଶ୍ୟ ନିର୍ବାଚନ ପରେ ବି ସରକାର ଏହା ଅବ୍ୟାହତ ରଖିଥିଲେ । ଏହା ସତ ଯେ, ଏହି ଟଙ୍କା ଯିଏ ପାଇଲା ସିଏ ପାଇ ଚାଲିଲା ଓ ସେହି ପରିବାରରେ ଅନ୍ୟମାନେ ବି ପାଇଚାଲିଲେ । ଆଉ ଯିଏ ପାଇଲାନି ସେ ଆଜି ଯାଏଁ ବି ପାଇଲାନି । ବିଡମ୍ବନାର ବିଷୟ ହେଉଛି ଏଯାବତ କେତେ ଚାଷୀଙ୍କୁ କାଳିଆ ଟଙ୍କା ଦିଆ ଯାଇଛି ତା’ର ହିସାବ ସରକାରଙ୍କ ପାଖରେ ନାହିଁ ।

କୃଷି ଓ କୃଷକର ଉନ୍ନତି ପାଇଁ ନୁହେଁ ବରଂ ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ ବିଜେଡି ସରକାର ଯେ କାଳିଆ ଯୋଜନା ଲାଗୁ କରିଥିଲା ଏହା ନିଃସନେ୍ଦହ । ଅଗ୍ରାଧିକାର ଭିତ୍ତିରେ ନିଜ ଦଳର କର୍ମୀଙ୍କ ସମେତ ଅନ୍ୟ କିଛି ମୁଷ୍ଟିମେୟ ଚାଷୀଙ୍କୁ ଆପାତତଃ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ସେମାନଙ୍କୁ ହିତାଧିକାରୀ ସଜେଇ ସରକାର ସେମାନଙ୍କୁ ଏହି ଟଙ୍କା ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଥିଲା । ଆଉ ଏବେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବାକୁ କହି ଚାଷୀଙ୍କ ମନରେ ଅଯଥା ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିବା କେତେଦୂର ସମୀଚୀନ ତାହା ବିଚାର ସାପେକ୍ଷ । କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କ ପାଖକୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ସହ ଆସନ୍ତା ମାସେ ମଧ୍ୟରେ ଟଙ୍କା ପୈଠ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଯାହାକି ଜାତି ଗଲା ଅଥଚ ପେଟ ପୂରିଲାନି ନ୍ୟାୟରେ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି । ସାରା ରାଜ୍ୟରେ ଏବେ କରୋନା ଜନିତ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପରିସ୍ଥଳେ ରାଜ୍ୟ ସରକାର ଏବେ କାଳିଆ ଟଙ୍କା ଫେରସ୍ତ ନେବାକୁ ଚାଷୀଙ୍କୁ ନୋଟିସ କରିବା ବୋଝ ଉପରେ ନଳିତା ବିଡା ସଦୃଶ ସାବ୍ୟସ୍ତ ହୋଇଛି ।

ଚାଷୀ ସବୁଦିନିଆ ଉପକୃତ ହେବା ଭଳି କୌଣସି ଦୀର୍ଘସ୍ଥାୟୀ ଯୋଜନା ପ୍ରଣୟନ ନ କରି ସରକାର କାଳିଆ ଯୋଜନା କୁ ଅତି ତରବରିଆ ଭାବେ ପ୍ରଣୟନ କରିବାର କି ଜରୁରୀ ଥିଲା? ବିନା ବଜେଟରେ ଓ ବିନା ସଠିକ ଚାଷୀ ତାଲିକାରେ ଆଉ ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ସରକାର ତାଙ୍କ କଣ୍ଟିଜେନ୍ସି ଫଣ୍ଡରୁ ଯେଭଳି ଅର୍ଥ ବଣ୍ଟନର ବ୍ୟବସ୍ଥା କଲେ ତାହା ପ୍ରକୃତ ଚାଷୀଙ୍କ କାମରେ ଆସିଲାକି ନାହିଁ ତାହା ସରକାର ଏଯାଏଁ ସମୀକ୍ଷା କରିଛନ୍ତି କି? । ତେଣୁ କାଳିଆ ଯୋଜନାରେ ଅଯୋଗ୍ୟଙ୍କୁ ଯିଏ ଯୋଗ୍ୟ ହିତାଧିକାରୀ ଦର୍ଶାଇଛନ୍ତି ସେହି ଅଧିକାରୀଙ୍କ ଉପରେ ସର୍ବପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅନ୍ୟଥା ଚାଷୀଙ୍କ ଉପରେ ଦୋଷ ଲଦି ଦିଆଯାଉଛି କାହିଁକି । ଏହାଛଡା ସରକାର ଚାଷ ଓ ଚାଷୀର ଉନ୍ନତି ଲାଗି ଯଦି ସଙ୍କଳ୍ପବଦ୍ଧ ତେବେ ରାଜ୍ୟର ପ୍ରକୃତ ଚାଷୀଙ୍କ ତାଲିକା ଯଥାଶିଘ୍ର ପ୍ରସ୍ତୁତ କରାଯାଉ ଓ ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ । ଆଉ ସେମାନଙ୍କର ଉନ୍ନତି ଦିଗରେ ସ୍ଥାୟୀ ପଦକ୍ଷେପ ନିଆଯାଉ ।

Leave A Reply