କାକଟପୁର୨୬ା୮- କାକଟପୁର ବ୍ଲକ ଅନ୍ତର୍ଗତ ୧୬ଗୋଟି ପଂଚାୟତରେ କୋଭିଡ-୧୯ର ତ୍ୱରିତ ଚିହ୍ନଟ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅସ୍ଥାୟୀ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି, କିନ୍ତୁ ବାସ୍ତବରେ ସରକାରଙ୍କ ନିଦେ୍ର୍ଦଶକୁ କିପରି କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାହାର ତର୍ଜମା ଓ ତଦାରଖ କରିବାର ଦାୟୀତ୍ୱ କିଏ ତୁଲାଉଛନ୍ତି ସାଧାରଣ ଜନତା ତାହା ଜାଣିନାହାନ୍ତି । କୁଣ୍ଢେଇ ପଂଚାୟତ ଅନ୍ତର୍ଗତ ବାଜପୁର ଗ୍ରାମର ଏକ ପରିବାରରେ ସାନପୁଅ ଠାରେ କୋରନା ଲକ୍ଷଣ ଦେଖାଦେବାରୁ ଗତ ୧୬ତାରିଖ ଦିନ ପଥରପକା କ୍ୟାମ୍ପରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।
୧୮/୮ରେ ପଜିଟିଭ ରିପୋର୍ଟ ଆସିବାରୁ ତାଙ୍କୁ କୋଭିଡ କେୟାର ସେଂଟରକୁ ପଠାଯାଇଥିଲା । ସେତେବେଳକୁ ତାଙ୍କ ମା ସରୋଜିନୀ ସାହୁ ୭୦ବର୍ଷଙ୍କ ଜ୍ୱର ଆରମ୍ଭ ହୋଇଗଲାଣି ତେଣୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପରୀକ୍ଷା କରାଇବାରେ ୩ଦିନ ବିଳମ୍ବରେ ଅର୍ଥାତ ୨୧ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ଗତ ୨୩ ତାରିଖରେ ରିପୋର୍ଟରେ ପଜିଟିଭ ଆସିଲା ବେଳକୁ ବୃଦ୍ଧା ଶଯ୍ୟାସାୟି ହୋଇଯାଇଥିଲେ । ସେହି ୨୩ତାରିଖ ରବିବାର ଅପରାହ୍ନରେ ବୃଦ୍ଧାଙ୍କୁ କାକଟପୁର ମଙ୍ଗଳା କଲେଜ ପରିସରସ୍ଥ କୋଭିଡ ମେଡିକାଲକୁ ଅଣାଯାଇଥିଲା । କିନ୍ତୁ ବିଳମ୍ବିତ ରାତ୍ରରେ ସରୋଜିନୀ ମୃତ୍ୟୁବରଣ କରିଥିଲେ ।
ଏଠାରେ ପ୍ରଶ୍ନ ଉଠୁଛି ଯଦି ୧୮ତାରିଖଠାରୁ ୨୩ତାରିଖ ୫ଦିନ ରୋଗୀକୁ ଚିକିତ୍ସା ଦିଆଯାଇଥାଆନ୍ତା ତେବେ ବୃଦ୍ଧାଙ୍କର ମୃତ୍ୟକୁ ରୋକାଯାଇପାରିଥାଆନ୍ତା । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରୋଗୀକୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେଉଥିବା ବେଳେ ପ୍ରଶାସନର ଅବହେଳା ହେତୁ ଏହିଭଳି ବହୁ ଜୀବନ ଅକାଳରେ ଝଡିପଡୁଛି । ସରପଂଚଙ୍କୁ ଏଭଳି ଜିଲ୍ଲାପାଳ କ୍ଷମତା ଦେବାରେ ଲାଭ କଣ ବୋଲି କାକଟପୁର ବରିଷ୍ଠ ନାଗରିକ ମଂଚର ସଭାପତି ଲକ୍ଷ୍ମୀଧର ଖୁଂଟିଆ ଓ ବାଜପୁର ଗ୍ରାମବାସୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।