ଲକ୍ଡାଉନ୍ ଯୋଗୁ ଅନେକ ଲୋକ ଚାକିରି ହରାଇଛନ୍ତି । ହାଇଦ୍ରାବାଦର ବହୁ ମହିଳା ଏବେ ଜୀବିକା ପାଇଁ ସରୋଗେସି (ଗର୍ଭାଶୟ ଭଡ଼ା ଦେବା) କଥା ଚିନ୍ତା କରୁଛନ୍ତି । ଋଣ ବୋଝ, ବାପା-ମା’ ଓ ପରିବାରର ଦାୟିତ୍ୱ ଥିବା ୨୫-୩୦ ବର୍ଷୀୟା କେତେକ ମହିଳା କହିଛନ୍ତି ସନ୍ତାନହୀନ ବାପା-ମା’ଙ୍କୁ ସରୋଗେସି ମାଧ୍ୟମରେ ସାହାଯ୍ୟ କରି ବିନିମୟରେ ରୋଜଗାର କରିବା ଛଡ଼ା ଆଉ କିଛି ରାସ୍ତା ନାହିଁ । ହେଲେ ଏହା ଅସ୍ଥାୟୀ । ଏକ ଭଲ ହୋଟେଲରେ ହସ୍ପିଟାଲିଟି ଦାୟିତ୍ୱରେ କାର୍ଯ୍ୟକରି ଚାକିରି ହରାଇଥିବା ୨୫ ବର୍ଷୀୟା ମୀରା କହିଛନ୍ତି ଅତିକମ୍ରେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସରୋଗେସି ପନ୍ଥା ଆପଣାଇବାକୁ ପଡ଼ିବ । ମୋର ବ୍ୟାଙ୍କ୍ ଲୋନ୍ ରହିଛି । ମୋ ପରିବାର ଉତ୍ତର ଭାରତରୁ ଆସି ମୋ ଉପରେ ନିର୍ଭରଶୀଳ । ତେଣୁ ସରୋଗେସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନି । ଏହା ଅନୈତିକ ତ ନୁହେଁ । ସରୋଗେସି ମୋର ପ୍ରଥମ ପସନ୍ଦ ନ ଥିଲା । ମୁଁ ମାସକୁ ୪୫,୦୦୦ ଟଙ୍କା ଆୟ କରୁଥିଲି, ଏବେ ଚାକିରି ଖୋଜିଲେ ଅତିବେଶିରେ ୧୫,୦୦୦ ଟଙ୍କା ଅଫର୍ ମିଳୁଛି । ତେଣୁ ସରୋଗେସି ମୋ ପାଇଁ ଏକମାତ୍ର ବିକଳ୍ପ ।