Odisha news

୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ : ଟ୍ରାଇ ତଥ୍ୟ

0

–        ୨୧.୧ ଏମ୍‍ବିପିଏସ୍‍ ହାରାହାରି ୪ଜି ଡାଉନଲୋଡ୍‍ ସ୍ପିଡ୍‍ ସହିତ ଜିଓର ଆଧିପତ୍ୟ ଜାରି

–        ବିଏସ୍‍ଏନଏଲର ସ୍ପିଡ ବୃଦ୍ଧି ପାଇଥିବାବେଳେ ଏୟାରଟେଲ୍‍ ଏବଂ ଭୋଡାଫୋନ ଆଇଡିଆର ସ୍ପିଡ୍‍ ହ୍ରାସ ପାଇଛି

–        ଡାଉନଲୋଡ ଓ ଅପଲୋଡ ଉଭୟରେ ଏୟାରଟେଲ୍‍ ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଆଧିପତ୍ୟ ଅପରିବର୍ତ୍ତିତ ରଖିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଜାରି ମାର୍ଚ୍ଚ ମାସର ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୧.୨ ଏମବିପିଏସ୍‍ ପରିମାପ କରାଯାଇଛି । ଫେବୃଆରୀ ମାସ ତୁଳନାରେ ଏଥିରେ ୦.୫ ଏମବିପିଏସ୍‍ ବୃଦ୍ଧି ପରିଲକ୍ଷିତ ହୋଇଛି । ଫେବୃଆରୀ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୦.୬ ଏମବିପିଏସ୍‍ ରହିଥିଲା । ଜିଓ ବ୍ୟତୀତ ମାର୍ଚ୍ଚ ମାସରେ କେବଳ ବିଏସଏନଏଲର ସ୍ପିଡରେ ବୃଦ୍ଧି ଘଟିଛି । ଫେବୃଆରୀରେ ୪.୮ ଏମ୍‍ବିପିଏସ୍‍ ତୁଳନାରେ ମାର୍ଚ୍ଚ ମାସରେ ବିଏସଏନଏଲର ୪ଜି ଡାଉନଲୋଡ ସ୍ପିଡ୍‍ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି ।

ଏହି ତଥ୍ୟ ପ୍ରଦର୍ଶିତ କରୁଛି ଯେ ଦୂରସଂଚାର କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ (ଭିଆଇ)ର ୪ଜି ଡାଉନଲୋଡ୍‍ ସ୍ପିଡ୍‍ ମାର୍ଚ୍ଚ ମାସରେ ହ୍ରାସପାଇଛି । ସବୁଠାରୁ କ୍ଷତି ଏୟାରେଟଲ୍‍ର ହୋଇଛି, ଫେବୃଆରୀ ମାସ ତୁଳନାରେ ମାର୍ଚ୍ଚ ମାସରେ ଏହାର ୪ଜି ଡାଉନଲୋଡ୍‍ ସ୍ପିଡ ୧.୩ ଏମବିପିଏସ୍‍ ହ୍ରାସପାଇଛି । ସେହି ସ୍ପିଡ୍‍ କ୍ଷେତ୍ରରେ ଭୋଡାଫୋନ ଆଇଡିଆର ମଧ୍ୟ ୦.୫ ଏମବିପିଏସ୍‍ ହ୍ରାସ ଘଟିଛି । ଏୟାରଟେଲ ସ୍ପିଡ୍‍ ୧୩.୭ ଏମବିପିଏସ୍‍ ରହିଥିବାବେଳେ ଭୋଡାଫୋନ ଆଇଡିଆର ସ୍ପିଡ ୧୭.୯ ଏମବିପିଏସ୍‍ ରହିଥିଲା ।

ପ୍ରତିଥର ଭଳି ଏଥର ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ କ୍ଷେତ୍ରରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ପଛରେ ପକାଇ ଦେଇଛି । ମାର୍ଚ୍ଚ ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ୍‍ ଏୟାରଟେଲ୍‍ ଠାରୁ ୭.୪ ଏମବିପିଏସ୍‍ ଏବଂ ଭୋଡାଫୋନ ଆଇଡିଆ ଠାରୁ ୩.୨ ଏମବିପିଏସ୍‍ ଅଧିକ ରହିଥିଲା । ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରି ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏକ ନମ୍ବର ସ୍ଥାନ ଦଖଲ କରିଆସୁଛି । ଭୋଡାଫୋନ୍‍ ଆଇଡିଆ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ଭାରତୀ ଏୟାରଟେଲ୍‍କୁ ଏହା ତୃତୀୟ ସ୍ଥାନକୁ ଖସାଇ ଦେଇଛି ।

ଡାଉନଲୋଡ ଭଳି ହାରାହାରି ୪ଜି ଅପ୍‍ଲୋଡ ସ୍ପିଡରେ ମଧ୍ୟ ଭାରତୀ ଏୟାରଟେଲ ତୃତୀୟ ସ୍ଥାନରେ ରହିଛି । ମାର୍ଚ୍ଚ ମାସରେ କମ୍ପାନୀର ହାରାହାରି ଅପ୍‍ଲୋଡ ସ୍ପିଡ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି । ୮.୨ ଏମ୍‍ବିପିଏସ୍‍ ସହିତ ଭୋଡାଫୋନ ଆଇଡିଆ ହାରାହାରି ୪ଜି ଅପଲୋଡ ସ୍ପିଡରେ ମାର୍ଚ୍ଚ ମାସରେ ସବୁଠାରୁ ଆଗରେ ରହିଛି । ଦ୍ୱିତୀୟ ସ୍ଥାନ ରିଲାଏନ୍ସ ଜିଓ ଦଖଲ କରିଥିବାବେଳେ ଏହାର ଅପଲୋଡ ସ୍ପିଡ୍‍ ୭.୩ ଏମ୍‍ବିପିଏସ ରହିଛି । ବିଏସଏନଏଲର ହାରାହାରି ଅପଲୋଡ ସ୍ପିଡ ୫.୧ ଏମବିପିଏସ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି ।

ଟ୍ରାଇ ଦ୍ୱାରା ହାରାହାରି ସ୍ପିଡ ଗଣନା ମାଇଁସ୍ପିଡ୍‍ ଆପ୍ଲିକେସନ ସହାୟତାରେ ଏକତ୍ର ବାସ୍ତବ ସମୟ ଭିତ୍ତିକ ତଥ୍ୟ ଆଧାରରେ କରାଯାଇଥାଏ ।

ସେହିଭଳି ଓଡ଼ିଶାରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓର ଆଧିପତ୍ୟ ଜାରି ରହିଛି । ଟ୍ରାଇ ଦ୍ୱାରା ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ହାରାହାରି ସ୍ପିଡ୍‍ ଗଣନା ମୁତାବକ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ସର୍ବାଧିକ ୪୫.୫ ଏମବିପିଏସ୍‍ ପରିମାପ କରାଯାଇଛି । ଏୟାରଟେଲର ସ୍ପିଡ୍‍ ୧୪.୭ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆର ସ୍ପିଡ୍‍ ୧୨.୯ ଏମବିପିଏସ ରହିଛି । ହାରାହାରି ୪ଜି ଅପଲୋଡ ସ୍ପିଡରେ ୯.୫ ଏମ୍‍ବିପିଏସ ସହିତ ଭୋଡାଫୋନ ଆଇଡିଆ ସାରଣୀରେ ସବୁଠାରୁ ଉପରେ ରହିଛି । ଦ୍ୱିତୀୟ ସ୍ଥାନରେ ରିଲାଏନ୍ସ ଜିଓର ଅପ୍‍ଲୋଡ ସ୍ପିଡ ୭.୯ ଏମ୍‍ବିପିଏସ୍‍ ରହିଥିବାବେଳେ ତୃତୀୟ ସ୍ଥାନରେ ଏୟାରଟେଲର ହାରାହାରି ଅପଲୋଡ ସ୍ପିଡ ୪.୬ ଏମ୍‍ବିପିଏସ୍‍ ପରିମାପ କରାଯାଇଛି ।

Leave A Reply