ଜଳେଶ୍ୱର : ସରକାର କରୋନା ଯୋଦ୍ଧାମାନଙ୍କୁ ସମ୍ମାନର ସହ ସମସ୍ତ ସହାୟତା ଯୋଗାଇ ଆସୁଥିବା ବେଳେ ଜଣେ କରୋନା ଯୋଦ୍ଧା ଆଉ ଜଣେ କରୋନା ଯୋଦ୍ଧାକୁ ଅସମ୍ମାନ ଓ ହଇରାଣ କରିବା ଜଳେଶ୍ୱର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀ ସ୍ୱାସ୍ଥ୍ୟବିଭାଗର କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ଅଭିଯୋଗକୁ ନେଇ ଜଳେଶ୍ୱର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ମହିଳା ଜଣକ ନ୍ୟାୟ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍ପି, ସିଡିଏମ୍ଓ , ଏସ୍ଡିପିଓଙ୍କୁ ନିବେଦନ କରିଛନ୍ତି ।
ଘଟଣାରୁ ପ୍ରକାଶ ଗତ ୨୦ତାରିଖରେ ନାମ୍ପୋ ଗ୍ରାମର ଜୟଶ୍ରୀ ଜେନା ନାମକ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଳେଶ୍ୱର କଣ୍ଟେନ୍ମେଣ୍ଟ ଜୋନ୍ରେ କାର୍ଯ୍ୟକରିବାପାଇଁ ସକାଳ ୮ଟା ବେଳେ ଆସୁଥିବା ବେଳେ ୬୦ନଂ ଜାତୀୟ ରାଜପଥ ବାଇପାସ୍ ନିକଟ ଯାଞ୍ଚ ଗେଟ୍ଠାରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ତାଙ୍କୁ ଅଟକାଇଥିଲେ । ସେ କଣ୍ଟେନ୍ମେଣ୍ଟ ଜୋନ୍ରେ କାର୍ଯ୍ୟକରିବାକୁ ଯାଉଥିବାର କହିଥିଲେ ମଧ୍ୟ ଆଇଆଇସି ତାଙ୍କୁ କଟୁକ୍ତି କରିବା ସହିତ ତାଙ୍କ ଗାଡିର ଚାବି ନେଇଯାଇଥିଲେ । ଏ ସଂପର୍କରେ ଶ୍ରୀମତୀ ଜେନା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏ ସଂପର୍କରେ ଆଇଆଇସିଙ୍କ ମତାମତ ଲୋଡିବାରୁ ସେ କହିଲେ ତାଙ୍କ ଆଇକାର୍ଡ ଦେବାରେ ବିଳମ୍ବ ହେବାରୁ ଅନ୍ୟଜଣେ ସ୍ୱାସ୍ଥ୍ୟକର୍ମୀ ତାଙ୍କ ପରିଚୟ ଦେଇ ନେଇ ଯାଇଥିଲେ ।
