ଜଳେଶ୍ୱର-୦୪/୦୪ -ଜଳେଶ୍ୱର ବ୍ଲକ ଅଂଚଳର ୧୦ଟି ପଂଚାୟତରେ ବ୍ୟାପକ ଘୂଣ୍ଣିଝଡ ଦେଖାଦେବା ଓ ଦୀର୍ଘ ସମୟ କୁଆପଥର ମାଡ ଯୋଗୁଁ ବ୍ୟାପକ ଚାଷ ନଷ୍ଟ ହୋଇଛିା ଏହା ସହିତ ଶହ ଶହ ଘର ଦ୍ୱାରର ଛପର ଉଡିଯିବା, ବଡ ବଡ ଗଛ ଭଂଗି ପଡିବା ଯୋଗୁଁ ରାସ୍ତାଘାଟ ଅବରୋଧ ହୋଇଛି । ସୋମବାର ଦିନ ମଧ୍ୟ ବହୁ ଅଂଚଳକୁ ବିଦ୍ୟୁତ୍ ସରବରାହ ହୋଇ ପାରିନଥିବାରୁ ସେ ଅଂଚଳ ଅନ୍ଧକାରରେ ରହିଥିଲା । ଗତ ଅକ୍ଟୋବର ମାସରୁ ବର୍ଷା ନ ଥିବାରୁ ଗତ କିଛିଦିନ ଧରି ଘୂର୍ଣ୍ଣି ଝଡ ଓ କୁଆପଥର ମାଡ ଲାଗି ରହିଛି । ଗତ ରବିବାର ଅପରାହ୍ନରେ ଚଳିତବର୍ଷର ବଡ ଝଡ ଓ କୁଆପଥର ମାଡ ହୋଇଛି । ଫଳରେ ଜଳେଶ୍ୱର ତହସିଲର ୧୦ଟି ପଂଚାୟତ ପାଇକସିଦା, କୋଟ ସାହି, ଚୋରମରା, ବର୍ତ୍ତନା, ରାୟାଁରାମଚନ୍ଦ୍ରପୁର, ନଛିମପୁର, ଆରୁହା, ଗୋପିମୋହନପୁର, ଗଡସାହି ବାଲିଆପାଳ,ଜଳେଶ୍ୱର ମୁ୍ୟନିସିପାଲଟି, ସୁଗୋ ପଂଚାୟତର କେତେକ ଗାଁ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛିା କୋଟ ସାହି ପଂଚାୟତର ଡିଙ୍ଗାଶୋଳ, ଗୋବର୍ଦ୍ଧନପୁର, ବଂଗା, ବାଗ, କୋଟ ସାହି ଗାଁର ସର୍ବାଧିକ କ୍ଷତି ଘଟିଛି । ବିଭିନ୍ନ ରାସ୍ତାରେ ପଡିଥିବା ଗଛ, ବିଦ୍ୟତ୍ ଖୁଣ୍ଟ ଗୁଡିକୁ ଆଜି ସଫେଇ କରାଯାଇଛି ।
୨ ଦିନ ଧରି ୧୦ଟି ପଂଚାୟତରେ ବିଦ୍ୟୁତ୍ ସରବରାହ ହୋଇ ପାରିନାହିଁ । ଜଳେଶ୍ୱର ବ୍ଳକ ଅଧ୍ୟକ୍ଷ ମାନସ ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ସମିତି ସଦସ୍ୟ ବ୍ରଜମୋହନ ପ୍ରଧାନ, କୃଷି ଅଧିକାରୀ ସଂଜୟ କୁମାର ରାଉତ, ସେକ୍ ଅବଦୁଲ ରଜା, ଚିନ୍ମୟ ବ୍ରହ୍ମ ପ୍ରମୁଖ ବିଭିନ୍ନ ଅଂଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଧାନ, ମୁଗ, ବିରି, ଚିନାବାଦାମ, ବାଇଗଣ, ବିଲାତି, କାକୁଡି, କଖାରୁ, କଲରା ଇତ୍ୟାଦି କୃଷିର ବ୍ୟାପକ କ୍ଷତି ହୋଇଥିବାର ବ୍ଲକ କୃଷି ଅଧିକାରୀ ସଂଜୟ ରାଉତ କରିବା ସହିତ ବହୁ ଅଂଚଳ ୭୫ ଭାଗରୁ ଅଧିକ କ୍ଷତିଗ୍ରସ୍ତ ବୋଲି ସୂଚନା ଦେଇଛନ୍ତି । ରାଜସ୍ୱ ବିଭାଗର ନିରିକ୍ଷକ ମାନେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଶହ ଶହ ବାସଗୃହର କ୍ଷତି ଘଟିଥିବାରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଟାଇଲ, ଆଜବେଷ୍ଟ, ନଡା ଛପରର ସର୍ବାଧିକ କ୍ଷତି ଘଟିଛି । ବହୁ ବ୍ୟକ୍ତି ପଡୋଶୀ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଆମ୍ବ, ନଡିଆ, ପଣସ ଗଛରୁ ଫଳ ଝଡିଯାଇଛି ଗଛ ଭଂଗି ଯାଇଛି । ଆଜି ସିପିଏମ୍ ପକ୍ଷରୁ ଦିଲ୍ଲିପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ନଗେନ ଜେନା, ସଦାଶିବ ଜେନା, ବିଦ୍ୟାଧର ଖଟୁଆଙ୍କ ନେତୃତ୍ୱରେ ଏକ ଟିମ୍ ଦୁର୍ଗତ ଅଂଚ ଳ ବୁଲି କ୍ଷୟକ୍ଷତି ସଂର୍ପକରେ ଦର୍ଶାଇଛି । ଘର ଭଂଗିଥିବା ବ୍ୟକ୍ତି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜରୁରୀ ପରିସ୍ଥିତିରେ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ବିଦ୍ୟୁତ୍ ସରବରରହ ନ ଥିବାରୁ ଆବଶ୍ୟକ ସ୍ଥଳେ ପିଇବାପାଣି ଯୋଗାଇବାକୁ ଦାବି ହୋଇଛି ।