ଜଳେଶ୍ୱର : ବୁଧବାର ରାତ୍ରି ପ୍ରାୟ ୯ ଟାରେ ଜଳେଶ୍ୱର ସହର ଉପକଣ୍ଠ ଆମ୍ବିଳିଅଠା ଛକ ଠାରେ ଥିବା ଏକ ଟାଇଲ୍ସ ଦୋକାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଫେରାର ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଯାଇ ଜଳେଶ୍ୱର ଥାନାରେ କାର୍ଯ୍ୟରତ ଏଏସଆଇ ନରେନ୍ଦ୍ରନାଥ ସେଠୀ ଓ ଗ୍ରାମରକ୍ଷୀ ବିଶ୍ୱନାଥ ପ୍ରଧାନ ଦୁହେଁ ହତ୍ୟା ଉଦ୍ୟମର ଶିକାର ହୋଇଥିବାକୁ ନେଇ ଥାନାରେ ଏକ ହତ୍ୟାଉଦ୍ୟମ ମାମଲା ନଂ.୬୭/୨୧ ରୁଜୁ ହୋଇଥିବା ଜଣାପଡ଼ିଛି । ଏତଲାକାରୀ ଏଏସଆଇ ନରେନ୍ଦ୍ର ନାଥ ସେଠୀ ଅଭିଯୋଗ କରିଛନ୍ତି ଯେ,ପୂର୍ବରୁ ରୁଜୁ ହୋଇଥିବା ଏକ ମାମଲା ନଂ.୧୪/୨୧ ରେ ଫେରାର ଥିବା ଅଭିଯୁକ୍ତ ରାକେଶ ମାନ୍ନା ଓରଫ ରକି ଙ୍କୁ ଧରିବାପାଇଁ ଉକ୍ତ ଟାଇଲ୍ସ ଦୋକାନରେ ଏଏସଆଇ ଓ ଗ୍ରାମରକ୍ଷୀ ଜଣକ ପହଂଚିଥିଲେ । ଏହି ସମୟରେ ଦୋକାନରେ ଉପସ୍ଥିତ ଥିବା ଅଭିଯୁକ୍ତ ରକି କୁ ପୁଲିସ ଧରିଥିଲା । କିନ୍ତୁ ଦୋକାନର ମାଲିକ ବିଜୟ କୁମାର ଦାସ ଓ କର୍ମଚାରୀ ହରିଶଙ୍କର ଦାସ ଓରଫ ଟିଟୁ ଦୁହେଁ ମିଶି ଏଏସଆଇ ଓ ଗ୍ରାମରକ୍ଷୀଙ୍କୁ ଜାବୁଡ଼ି ଧରି ଆକ୍ରମଣ କରିବା ସହିତ ଅଭିଯୁକ୍ତ ରକିଙ୍କୁ ଫେରାର କରାଇ ଦେଇଥିଲେ ।ଦୋକାନର ସଟର ଟାଣି ଏଏସଆଇ ଓ ଗ୍ରାମରକ୍ଷୀଙ୍କୁ ଗଳାଚିପି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ଖବରପାଇ ଥାନାରୁ ଏସଆଇ ନଗରଦୀପ ସେଠୀ,ଦିଲ୍ଲୀପ କୁମାର ସାମଲ ସଦଳବଳେ ଉକ୍ତ ଦୋକାନରେ ପହଂଚି ଏଏସଆଇ ଓ ଗ୍ରାମରକ୍ଷୀଙ୍କୁ ଉଦ୍ଧାର କରିବା ସହିତ ଦୋକାନ ମାଲିକ ବିଜୟ ଓ କର୍ମଚାରୀ ଟିଟୁ ଙ୍କୁ ଗିରଫ କରିଥିଲେ । ଗୁରୁବାର ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଜଳେଶ୍ୱର ସ୍ଥିତ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ନାମଂଜୁର ହେବାରୁ ଜେଲକୁ ପଠାଇଦିଆଯାଇଛି
Comments are closed.