ଯାଜପୁର: ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ କୃଷି ସମବାୟ ସମିତି କାର୍ଯ୍ୟାଳୟ ଛାତ ଉପରୁ ଓ କେତେକ ପ୍ରକୋଷ୍ଠରୁ ଗୁରୁବାର ଦିନ ବିପୁଳ ପରିମାଣର ଖାଲି ମଦ ବୋତଲକୁ ଠାବ କରାଯାଇଛି । ଏଥିରୁ ଜଣାପଡୁଛି ଯେ ଚାଷୀଙ୍କ ହୀତ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କିଛି ସଭ୍ୟ ଏଠାରେ ଭୋଜିଭାତ କରି ମଦ୍ୟପାନ କରିଥାନ୍ତି ।
ଏହି ସମିତି ବା ପ୍ୟାକ୍ସରେ ଧାନ କିଣାକୁ ନେଇ ମଧ୍ୟ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି । ଧାନ କିଣାରେ ବ୍ୟାପକ ହରିଲୁଟ ଓ ଅନିୟମିତତା ହେଉଥିବାରୁ ସଂପାଦକଙ୍କ ନିଲମ୍ବନ ଦାବୀ କରି ଚାଷୀ ଭକ୍ତ ବିଶ୍ୱାଳ, ସତ୍ୟ ପ୍ରକାଶ ନାୟକ, ବିରଜା କିଂକର ନାୟକ, ବିନୟ ବିଶ୍ୱାଳ, ଆନନ୍ଦ ଚରଣ ଭଞ୍ଜ, ପ୍ରକାଶ ପରିଡା, ବାଇଧର ମହାନ୍ତି, ଯୋଗେନ୍ଦ୍ର ପାଣି, ପ୍ରମୋଦ ଭଞ୍ଜ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ପ୍ୟାକ୍ସକୁ ଧାନ କିଣିବା ପାଇଁ ପ୍ରଥମେ ୩୫୦୦ କୁଇଣ୍ଟାଲ ଟାର୍ଗେଟ ଦିଆଯାଇଥିବା ବେଳେ ସେଥିରୁ ୧୨୦୦ କୁଇଣ୍ଟାଲ ୨ଟି ପର୍ଯ୍ୟାୟରେ ମିଲର ନେଇଥିବା ବେଳେ ଅବଶିଷ୍ଟ ୨୩୦୦ କୁଇଣ୍ଟାଲ କେଉଁଠାରୁ କିଣାଯାଏ ମିଲରକୁ ଦିଆଗଲା ବୋଲି ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଏଣୁ ବେପାରୀଙ୍କ ଠାରୁ ଧାନ କିଣି ଚାଷୀଙ୍କ ସୁବିଧାକୁ ଅନ୍ୟମାନେ ବାଣ୍ଟିକୁଣ୍ଟି ଖାଉଥିବା ଓ ଚାଷୀଟି ବିଚରା ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିବା କୁହାଯାଉଛି । ସେହିପରି ନିଜର ଧାନ ଚାଷ ନଥାଇ ପୂର୍ବତନ ୧୪ ଜଣ ସଭ୍ୟ ଟୋକନ ହାତେଇ ବିପୁଳ ପରିମାଣର ଧାନ ବେପାରୀଙ୍କ ଠାରୁ ନେଇମଣ୍ଡିରେ ବିକ୍ରୀ କରି ଟାର୍ଗେଟ ପୂରଣ ପୂର୍ବକ ମାଲେମାଲ ହୋଇଥିବାର ଅଭିଯୋଗ ହୋଇଛି । ଏହି କାରବାରରେ ସମବାୟ ବିଭାଗ, ଯୋଗାଣ ବିଭାଗ, ମିଲର ଓ କିଛି ଦଲାଲ ମାନଙ୍କର ଅସାଧୁ ମେଣ୍ଟ ଯୋଗୁ ପ୍ରକୃତ ଚାଷୀ ମାନେ ଏଠାରେ ଧାନ ବିକ୍ରୀ କରିବାକୁ ସକ୍ଷମ ହେଉନାହାଁନ୍ତି ବୋଲି ଧାରଣରତ ଚାଷୀ ମାନେ କହିଛନ୍ତି । ସଂପୃକ୍ତ ସମିତିରୁ ମଦ ବୋତଲ ମିଳିବା ଏବଂ ଧାନ କିଣାରେ ବ୍ୟାପକ ଅନିୟମିତତା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ଦ୍ୱୟ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।