ଯାଜପୁର: ଯାଜପୁର ଜିଲ୍ଲା ବରୀ, ରସୁଲପୁର, ଧର୍ମଶାଳା, ବଡ଼ଚଣା, ଯାଜପୁର ବ୍ଲକର ୨୫ଟି ପଞ୍ଚାୟତର ୨ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କର ଧନ ଜୀବନ ସୁରକ୍ଷା ପାଇଁ ବନ୍ୟା ନିୟନ୍ତ୍ରଣ ଯୋଜନାରେ ୮୪ କିଲୋମିଟର ଘେରିବନ୍ଧ ନିର୍ମାଣ କରାଯାଇଛି । ବ୍ରାହ୍ମଣୀ, ବିରୁପା, କେଲୁଅ ବନ୍ୟା ନିୟନ୍ତ୍ରଣ ଯୋଜନାରେ ୨୦୧୧-୧୨ ମସିହାରୁ ନିର୍ମାଣ ହୋଇଥିବା ଘେରିବନ୍ଧ ଅଦ୍ୟାବଧି ଅସଂମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଏହି ଘେରିବନ୍ଧରେ ଚଳିତ ବନ୍ୟାରେ ୨୪ଟି ଘାଇ ହୋଇଥିବା ଜଣାପଡ଼ିଛି ।
ଏହି ଘାଇ ମୁକୁଳା ପଡ଼ିଥିବା ବେଳେ ଉକ୍ତ ନଦୀ ମାନଙ୍କରେ ଆଜି ପୁଣି ବନ୍ୟା ଜଳ ଆସି ନଦୀକୁ ଫୁଲାଇ ଦେଇଛି । ଏନେଇ ବନ୍ୟା ବିପନ୍ନଙ୍କ ଭିତରେ ପୁଣି ଆତଙ୍କ ଖେଳିଯାଇଛି । ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ସଭାପତି ତଥା ବରିଷ୍ଠ ଶିକ୍ଷକ ନେତା ଲୋକନାଥ ଦାସ, ସୁର ମୋହନ ମହାପାତ୍ର, ଡ଼. ଭାଗ୍ୟଧର ସାହୁ, ଡ଼. ନୃସିଂହ ଚରଣ ବେହେରା, ବୈଷ୍ଣବ ଚରଣ ଦାସ, କର୍ଣ୍ଣ ଚନ୍ଦ୍ର ଘାଡ଼ଇ, ବିଷ୍ଣୁ ଚରଣ ମହାନ୍ତି, ନୌଉ. ଇଂ. ତରୁଣ କୁମାର ଦାସ ପ୍ରମୁଖ ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ସହିତ ମୁକୁଳା ଘାଇ ପରିଦର୍ଶନ କରି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।
ଏହି ଘେରି ବନ୍ଧ ଯୋଜନାରେ ବନ୍ୟା ନିଷ୍କାସନ ହେବାରେ ବିଳମ୍ବ ଘଟୁଛି । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯାନ ପକ୍ଷରୁ କୁହାଯାଇଛି । ଏହି ଘେରିବନ୍ଧରେ ପାଞ୍ଚଟି ସୁଇଚ୍ ଗେଟ୍ ବିଭିନ୍ନ ସ୍ଥାନରେ ରହିଛି । ରାଜ୍ୟରେ ୩୬ଟି ଘାଇ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୩୦ଟି ଘାଇ, ସେଥିରୁ ପୁଣି ଘେରି ବନ୍ଦରେ ୨୪ଟି ଘାଇ ହୋଇଥିବା ବରିଷ୍ଠ ଶିକ୍ଷକ ନେତା ଲୋକନାଥ ଦାସ ଘାଇ ପରିଦର୍ଶନ କରି ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା କହିଛନ୍ତି ।
ଆଠ ବର୍ଷ ଭିତରେ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଏହି ଘେରିବନ୍ଧରେ ଖର୍ଚ୍ଚ ହୋଇସାରିଲାଣି । ତଥାପି ସଂମ୍ପୂର୍ଣ୍ଣ ହୋଇପାରିନଥିବା ରିପୋର୍ଟରେ ଦର୍ଶାଯାଇଅଛି । ଜମି ଅଧିଗ୍ରହଣ ବାବଦକୁ ତହସିଲ ଜମାଖାତାରେ ୪ କୋଟି ଟଙ୍କା ଜମା ହୋଇରହିଛି । ଜମି ଅଧିଗ୍ରହଣ କରାଯାଇ ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଯଦି ପ୍ରଦାନ କରିଦିଆଯାଇଥାନ୍ତା ତେବେ ଘେରି ବନ୍ଧ ସମ୍ପୂର୍ଣ୍ଣ ହୋଇପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏବେବି ଘେରି ବନ୍ଧରେ ଘାଇ ମୁକୁଳା ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ରେଙ୍ଗାଳି ଡ୍ୟାମ ଗେଟ୍ ଖୋଲିଲେ ବ୍ରାହ୍ମଣୀରେ ବନ୍ୟା ଜଳ ପ୍ରଖର ହେଉଛି । ତେବେ ମୁକୁଳା ଘାଇକୁ ଯୁଦ୍ଧକାଳିନ ଭିର୍ତ୍ତିରେ ମରାମତି କରିବା ସହିତ ଚୌଉଡା ଓ ଉଚ୍ଚା କରିବା ପାଇଁ ବ୍ରାହ୍ମଣୀ ବଞ୍ଚାୟ ଅଭିଯାନର କର୍ମକର୍ତ୍ତାମାନେ ଦାବୀ କରିଛନ୍ତି । ଚଳିତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି, ଏହାକୁ ସରକାରୀ ସ୍ତରରେ ଆକଳନ କରାଯାଇ ଭରଣା କରିବାକୁ ସାଧାରଣେ ଦାବୀ ହେଉଛି