ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଜୟ ଜବାନ୍ ଜୟ କିସାନ୍ ନାରା ଶୁଣିଲେ ମୋ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ମୁଁ ଗୋଟିଏ ଚାଷୀ । ଭାଗଚାଷୀ । ଚାଷୀକୁଳରେ ମୋର ଜନ୍ମ । ମୋ ବାପାଅଜା ଚଉଦପୁରୁଷରୁ ସମସ୍ତେ ଏହି ଚାଷକାମ କରି ଆସୁଛନ୍ତି । ଆମର କିନ୍ତୁ ନିଜ ନାଁରେ ଜମିବାଡି ନାହିଁ । ଜମିଦାରର ଜମି ଭାଗକୁ ନେଇ ଚାଷ କରୁ । ମୋର ବାପା, ମା, ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ମୋତେ ଚାଷକାମରେ ସାହାଯ୍ୟ କରନ୍ତି । ଖରାବେଳେ ମୁଁ ହଳ କରୁଥିବା ବେଳେ ମୋ ସ୍ତ୍ରୀ ମୋ’ପାଇଁ ଖାଇବାକୁ ଆଣି ବିଲକୁ ଆସେ । ମୁଁ ଖାଇଲାବେଳେ ମୋ ସ୍ତ୍ରୀ କଂଟିରେ ହାତ ପକାଏ । ସିଏ ମୋ’ଠାରୁ ଭଲ ହଳକରୁଥିବାର ଦେଖି ଦିନେ ମୁଁ ଗଛମୂଳ ଛାଇରେ ଶୋଉଶୋଉ ଗାଢନିଦରେ ଶୋଇପଡିଲି ଯେ ଉଠିଲାବେଳକୁ ଅପରାହ୍ନ ଚାରିଟା । ମୋ’ସ୍ତ୍ରୀ ଦୁଇଗୁଣ୍ଠ ଜମି ଚଷିସାରି କାଳିଆ କସରା କାନ୍ଧରୁ ଜୁଆଳୀ ଓହ୍ଲାଇ ଘାସ ଚରାଉଥାଏ । ସେଦିନ ମୁଁ ଜାଣିଲି ଯେ ମୋ’ସ୍ତ୍ରୀକୁ ବି ଭଲ ଜମି ହଳ କରିଆସେ ।
ମୋ ଝିଅ ବିହନ ପକେଇଲେ ତା’ହାତରେ ଧାନତଳି ଭଲ ଗଜାହୁଏ । ମୋ’ପୁଅ ହାତରେ ବଳଦଦୁଇଟା ଭଲ କୁଳୁଚି ଖାଆନ୍ତି । ପାଂଚଣ ଧରି ଚୋକଡଦାନାକୁ ପୁଅ ଗରମ କୁଳୁଚିପାଣି ଭିତରେ ଗୋଳେଇଗୋଳେଇ ତା’ଙ୍କୁ ଖୁଆଏ । ବେଙ୍ଗଳା ପଡିଲାବେଳେ ପୁଅଝିଅ ଦୁହେଁ ପାହାନ୍ତାରୁ ଉଠି ବଳଦ ଅଡେଇ ମେଢିଖୁଂଟ ଚାରିପଟେ ବେଙ୍ଗଳା ବୁଲିବାକୁ ଭଲ ପାଆନ୍ତି । ଧାନ ବେଉଷଣ ବେଳେ ବିଦା କିମ୍ବା ମଈ ଉପରେ ବସିବାକୁ ମୋ’ପୁଅ ଓ ଝିଅ ଦୁହିଙ୍କ ଭିତରେ ଝଗଡା ହୁଏ । ଜଣେଜଣେ ଅଧାଅଧା ସମୟ ଭାଗକରି ବସନ୍ତି । ସେଦିନ କେହି ସ୍କୁ୍ଲ୍ ଯାଆନ୍ତିନି, ତାଙ୍କର ପାଠପଢା ମାରା ହୁଏ ।
ମୁଁ ଗରିବ ଶ୍ରେଣୀର ଲୋକ । ଝାଟିମାଟିର ଚାଳଘରେ ମୋ’ପରିବାର ବାସ କରନ୍ତି । ବର୍ଷାଦିନେ ନଡାଛପର ଚାଳରୁ ପାଣିଗଳେ । ଶୀତଦିନେ ପ୍ରବଳ ଶୀତହୁଏ । ଶୀତବସ୍ତ୍ର ଅଭାବରୁ ଚୂଲିମୁଣ୍ଡରେ ଶୋଇଯାଉ । ଖରାଦିନେ ମାଟିଘରେ ପବନ ହେଉଥିବାରୁ ଭଲଲାଗେ । ହେଲେ କାଳବୈଶାଖୀ ଆସିଲେ ଚାଳଛପର ଉଡେଇନେବାର ଡର ଲାଗେ । ମୁଁ ମାଟି ମାଆର ପୁଅ । ମାଟି ମୋତେ ଚନ୍ଦନପରି ଲାଗେ । ମାଟି ସଙ୍ଗେ ମାଟିହୋଇ ମୁଁ ମାଟିରେ ସୁନା ଫଳାଏ । ଖରାବର୍ଷା, ଶୀତକାକର କାହାକୁ ମୋର ଖାତିର ନାହିଁ । ମୁଁ ସରଳ ଓ ନିରାଡମ୍ବର ଜୀବନ ଯାପନ କରେ । ଶାଗ ପଖାଳ ଲୁଣ ଲଙ୍କା ମୋର ପ୍ରିୟ ଖାଦ୍ୟ । ଆଣ୍ଠୁ ଉପରକୁ ମଇଳା ଧୋତି ମୁଁ କଚ୍ଛାମାରି ପିନେ୍ଧ । ଖରାରେ ଗାମୁଛାଟିଏ ମୁଣ୍ଡରେ ବାନେ୍ଧ । କୁଣିଆଘରକୁ ଗଲାବେଳେ ପାଦରେ ଚପଲ ମାଡେ ।
ପଇସା କଉଡିର ଅଭାବ ମୋ’ପାଖରେ ସଦାବେଳେ ଲାଗିରହେ । ଲକ୍ଷ୍ମୀ ସରସ୍ୱତୀ ଦୁହିଁଙ୍କୁ ଦୁହେଁ ମୋତେ ଭଲରେ ଦେଖନ୍ତିନି । ମୋର ପାଠଘର ଶୂନକୁ ଧନର ବି ଘୋର ଅଭାବ । ଚାଷରୁ ଯାହା ଫସଲ ଅମଳକରେ ଅଧା ଜମିଦାରଙ୍କୁ ଦେବାକୁ ହୁଏ । ବାକି ଅଧାରେ ବି ମୋର ପୂରା ଅଧିକାର ନଥାଏ । କାରଣ ଫସଲ ଆରମ୍ଭରୁ ଫସଲ ଅମଳ ହେବାର ଚାରି ଛଅମାସ ଭିତରେ ଯାହା ସବୁ ଉଧାରକରଜ କରି ଚଳିଥାଏ ସେମାନେ ସେହି ଶସ୍ୟ ଉପରେ ନିଜର ଅଧିକାର ସାବ୍ୟସ୍ତ କରନ୍ତି ।
ଫସଲ ଅମଳ ତ କରେ ମୁଁ କିନ୍ତୁ ବିକନ୍ତି ସେହି ଜମିଦାର ଓ ଦଲାଲ୍ମାନେ, ଯେଉଁମାନେ ଆମକୁ ପୂର୍ବରୁ କରଜ ଦେଇଥାନ୍ତି । ଯଦି ଫସଲ ଅମଳ ନହେଲା ତେବେ ଆମେ ମଲୁ । କାରଣ ସରକାରୀ ଅନୁଦାନ ଜମିମାଲିକଙ୍କୁ ମିଳେ । ଦଲାଲ୍ମାନେ ଆମ କରଜଟଙ୍କା ଉପରେ ଚକ୍ରବର୍ତ୍ତି ସୁଧଲଗେଇ ଆଗାମୀ ବର୍ଷକୁ ଦୁଇଗୁଣା ଟଙ୍କା ଦାବିକରନ୍ତି । ମୁଁ ଯେତେଚେଷ୍ଟା କଲେ ବି ମହାଜନ ଏବଂ ଜମିଦାରଙ୍କର କରଜଟଙ୍କାରୁ ନିଜକୁ ମୁକାଳି ପାରେନି । ବେଳେ ବେଳେ ଏହି ଋଣବାରରେ ଚିନ୍ତାଗ୍ରସ୍ତ ହୋଇ ମୋ ମୁଣ୍ଡ କାମ କରେନି । ସଂସାରଟା ତୁଚ୍ଛ ଲାଗେ । ବେଶିହେଲେ ଦାନାଦାର ଖାଇ ହିଡମୁଣ୍ଡରେ ଶୋଇଯାଏ ।
ମୋର ବର୍ଷଯାକ ଅଭାବ ଅନାଟନ ଲାଗିରହେ । ଚାଷ ସମୟ ବ୍ୟତୀତ ଅନ୍ୟ ବଳକା ସମୟରେ ମୁଁ ଗାଁଗଣ୍ଡାରେ ମୂଲ ଲାଗିବାକୁ ଯାଏ । କେତେବେଳେ ମିସ୍ତ୍ରୀ ପାଖରେ ଇଟା ଉଠାଏ ତ କେତେବେଳେ କାହାର ଘରେ ରଙ୍ଗଦିଏ । ସରପଂଚ ଡାକିଲେ ମନରେଗା କାମ ବି ମୁଁ କରେ । ମନରେଗା କାମରେ ଆରାମ ହେଲେ ପଇସା ପୁରା ମିଳେନି । ନେଲୁ ବୋଲି କାଗଜରେ ଯାହା ଲେଖି ଦସ୍ତଖତ କରୁ ଗଣିଲା ବେଳକୁ କମିଥାଏ । ଆମ ପଇସାରୁ କୁଆଡେ ଉପରକୁ ଉପରକୁ ବାବୁମାନେ ଚାନ୍ଦାଭେଦା ନିଅନ୍ତି । ଏତେସବୁ ପରେ ବି ମୋ ପରିବାରକୁ ତିନିଓଳି ପେଟପୁରା ଖାଇବାକୁ ମିଳେନା । ପର୍ବପର୍ବାଣିରେ ପିଠାପଣା କି ନୂଆ ପୋଷାକ କିଣିବାକୁ ପଇସା ନିଅଂଟହୁଏ । ବେଳେବେଳେ ଚିରା ପୋଷାକରେ ଝିଅକୁ ଦେଖିଲେ ମୋତେ କାନ୍ଦଲାଗେ ।
ସ୍ତ୍ରୀ ତାର ଘରପିନ୍ଧା ଲୁଗାରେ ଛଅ ସାତଜାଗା କାପପକେଇ ନିଜହାତରେ ଛୁଂଚିସୂତାରେ ରଫୁ ସିଲେଇ କରି ପିନେ୍ଧ । ବେଳେବେଳେ ଦେହ ଖରାପ ହେଲେ ପଇସା ଅଭାବରୁ ଡାକ୍ତର ପାଖକୁ ନଯାଇ କୁକୁଡାଟିଏ ନେଇ ଗ୍ରାମଦେବୀଙ୍କ ପାଖକୁ ଯାଉ । ଆଉ କେତେବେଳେ ଗୁଣିଆ ମନ୍ତ୍ର ଫୁଙ୍କି ଝାଡିଦେଲେ ବି କାମଳ ଜର ପେଟବଥା ଆଦି ରୋଗ ଭଲ ହୋଇଯାଏ । ମୁଁ ମୁର୍ଖଲୋକ । ପାଠସାଠ ପଢିବାକୁ ସ୍କୁଲ୍ ଯାଇନି । ତେଣୁ ମୁଁ ଯାହା ଭାବୁଛି ଭୁଲ୍ କି ଠିକ୍ ଜାଣି ପାରେନି । ମୋତେ ଲାଗେ ଆମ ସରକାର ଚାଷୀକୁଳକୁ ଯେତେ ସହାୟତା ଦିଏ ତା’ଠାରୁ ବେଶୀ ଶୋଷଣ କରେ । ତିନି ଚାରିଟା କଥା ଆମପାଇଁ ସରକାର କରେ । ସୁଲଭ ମୂଲ୍ୟରେ ବିହନ ଯୋଗାଇଦିଏ । ଏଥର ଯେଉଁ ବିହନ ଆଣିଥିଲୁ ବିଲରେ ବୁଣିଲା ପରେ ଏମିତି ବର୍ଷା ହେଲା ଯେ ସବୁ ଧୋଇଗଲା । ଆଉଥରେ ଛାଟିବାକୁ ହେବ । ସରକାର ଆମପାଇଁ ଫସଲର ନୁ୍ୟନତମ ମୂଲ୍ୟ ସ୍ଥିର କରେ ଏବଂ ସେହି ମୂଲ୍ୟରେ ଆମଠାରୁ କିଣିବା କଥା ।
କିନ୍ତୁ ଏଥର ଆମଗାଁକୁ ବାବୁମାନେ ଖରିପଧାନ କିଣିବାକୁ ଆସିବା ସମୟରେ ଟାର୍ଗେଟ ପୁରା ହୋଇଗଲା । ମଣ୍ଡିରୁ ଧାନ ଫେରେଇ ନେଇ ଘରେ ଡେରିଲୁ । ମିଲ୍ ମାଲିକ ପାଖକୁ ଯାଇ ବିକିବାକୁ କହିଲାରୁ ସିଏ ଖେଦିଦେଲା । କହିଲା ମୋ ଘରେ ଚାଉଳବସ୍ତା ସେମିତି ମିଲ୍ରେ ରହି ଗମରା ହେଉଛି । ସରକାର କିଣିନି, ମୁଁ ତୋ’ ଧାନ ନେଇ କ’ଣ କରିବି? ଏବେ ରବିଫସଲ ଧାନ ସପ୍ତାହେ ହେଲାଣି ମଣ୍ଡିକୁ ଆଣି ଜଗିଛୁ । ଲଘୁ•ପ ବର୍ଷା ଯୋଗୁଁ ଧାନ ବସ୍ତା ଭିତରେ ମଣ୍ଡି ବାହାରେ ଗଜାହେଉଛି । ଯେତେ ପ୍ଲାଷ୍ଟିକ୍ ପକେଇଲେ କ’ଣ ହେବ, କୋହଲାପାଗରେ ଧାନ ଖରାପ ହୋଇଯାଉଛି । ଆଉ ଗୋଟେ ବଡକାମ ସରକାର କରନ୍ତି, ରିହାତି ଦରରେ ବିଦେଶି ସାର ଯୋଗାଣ ଏବଂ ସୋସାଇଟିରୁ ଅଳ୍ପସୁଧରେ ଋଣ ଦେବା କାମ । ପ୍ରାୟ ଏସବୁ ଜିନିଷରେ ଦୁର୍ନୀତିର ଚେର ବହୁତ ଗଭୀର, ତେଣୁ ଏଥିରେ ଆମସହ ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ସବୁବର୍ଷ ଧୋକା ହୁଏ ବୋଲି ମୋର ଧାରଣା ।
ପ୍ରତିବର୍ଷ ନୁ୍ୟନତମ ମୂଲ୍ୟ ବହୁତକମ୍ ବୋଲି ଅଧିକାଂଶ ଜାଗାରେ ହରତାଳ ଦେଖିବାକୁ ମିଳେ । ବିରୋଧିଦଳର ନେତା ଆମ ସପକ୍ଷରେ ଟିଭିରେ ବସି ଚିକିତ୍ସ୍ୟାର କରନ୍ତି । ଶୁଣିବାକୁ ମିଳେ ଯେ ଚାଷୀର ଲଙ୍ଗଳ, କୋଡି, କୋଦାଳ, ରସୀ ଓ ବଳଦର ଦାମ୍ ଏବଂ ଏସବୁରେ କ୍ଷୟକ୍ଷତିକୁ ଫସଲର ଦାମ୍ ସ୍ଥିର କଲାବେଳେ ବିଚାରକୁ ନିଆଯାଇନି । ଦୈନିକ ମଜୁରୀ ଯାହା ହିସାବ କରାଯାଏ ତାହା ଦଶ ଭାଗରୁ ଭାଗେ । ପରିବାରର ପରିଶ୍ରମ ଏବଂ ଚାଷୀର ଲାଭଆଦିକୁ ଅଣଦେଖା କରାଯାଏ । ସରାକାରଙ୍କ ରିହାତି ଦରର ସାର ଛୋଟଚାଷୀ ଓ ଭାଗଚାଷୀଙ୍କ ଭାଗ୍ୟରେ ପ୍ରାୟ ନଥାଏ । ବିହନ କଥା ନକହିଲେ ଭଲ । ବହୁରାଷ୍ଟ୍ରୀୟ ବିହନ ବିକ୍ରେତାମାନେ ବିହନବଜାର କବଜାକରି ଚାଷୀମାନଙ୍କୁ ତଳିତଳାନ୍ତ କରିବାର ଏକ ସୁଚିନ୍ତିତ ଷଡଯନ୍ତ୍ର କରୁଛନ୍ତି ବୋଲି ମନେହୁଏ ।
ଆଗେ ଧାନ ଅମଳପରେ ଆଗାମୀ ବର୍ଷର ବିହନ ପାଇଁ ଓଳିଆବନ୍ଧା ସରିଲା ପରେ କେତେ ଘରେ ଖାଇବାକୁ ରଖାଯିବ, କେତେ ବିକ୍ରିହେବ ଆଦି ଚିନ୍ତା କରାଯାଉଥିଲା । ଏବେ କି ନିୟମ ହେଲା କେଜାଣି, ଚାଷୀ ବିହନ ରଖିପାରିବେନି । ଆଗରୁ ଆମ ଓଡିଶାରେ ତିନିହଜାରରୁ ଅଧିକ ପ୍ରକାର ଧାନବିହନ ଥିଲା । ଏବେ ତ ସବୁ ବୁଡିଗଲାଣି । ଏସବୁ ମୋ’ଭାଇ ଆମରି ମଳିମୁଣ୍ଡିଆ ମୁର୍ଖ ଚାଷୀମାନେ ହିଁ ସୃଷ୍ଟିକରିଥିଲେ । ଆଜିକାଲି ଏତେ ପାଠୁଆ କୃଷି ବୈଜ୍ଞାନିକ, ହାକିମ, କୃଷି ଗବେଷକ ଆଦି ନିଜର କାଜୁଖିଆ ମୁଣ୍ଡଲଗେଇ ବି ଚାଷୀର ଭାଗ୍ୟ ବଦଳୁନି କାହିଁକି? ଗରିବ, ଚାଷୀ ଓ ଭାଗଚାଷୀ ମାନଙ୍କ ପାଇଁ ସରକାର କାନ୍ଦିବାର ଅନେକ ଭଲ ଅଭିନୟ ଦେଖିବାକୁ ମିଳୁଛି, କିନ୍ତୁ ଫଳାଫଳ ଶୂନ । ସମସ୍ତଙ୍କୁ ମା, ସ୍ତ୍ରୀ ଓ ବୋହୂ ଦରକାର କିନ୍ତୁ ଝିଅ ଦରକାର ନଥିବା ପରି ସମସ୍ତେ ଖାଦ୍ୟଶସ୍ୟର ବହୁତ ଆଦର କରୁଛନ୍ତି, କିନ୍ତୁ ଖାଦ୍ୟଶସ୍ୟ ଉପୁଜାଉଥିବା ଚାଷୀ କି ଭାଗଚାଷୀ ମାନଙ୍କର ସହଜ ବଂଚିବାଉପାୟ ବାହାର କରିବା ପାଇଁ କାହାର ଚିନ୍ତା ନାହିଁ । ନାଁ କୁ ଖାଲି ନାରା – “ଜୟ ଜବାନ୍ , ଜୟ କିସାନ୍ ।”