ଜଗନ୍ନାଥ ପ୍ରସାଦ:୦୬/୦୧: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ପ୍ରଧାନଙ୍କ ତତତ୍ଵାବଧାନରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଅଧିଷ୍ଠାତ୍ରି ଦେବୀ ମା କରଞ୍ଜେଇଙ୍କ ପୀଠରୁ ବାହାରି ବଜାର, ବଡ଼ ଦାଣ୍ଡ, କରଣ ସାହି ଓ ବ୍ଲକ ଛକ ଦେଇ କଲେଜ ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଏହି ଶୋଭା ଯାତ୍ରାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ପରେ ଅଧ୍ୟକ୍ଷ କଲେଜ ପରିସରରେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ନାମ ପଞ୍ଜିକରଣ କରି ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବା ନିମନ୍ତେ କ୍ରୀଡା ବିଚାରପତି ମାନଙ୍କ ସହ ପଡ଼ିଆ ମଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ । କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉତ୍ସାହ କରିବା ନିମନ୍ତେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତା ୨ ଦିନ ଧରି ଚାଲିବ ବୋଲି କ୍ରୀଡ଼ା ଶିକ୍ଷକ ପ୍ରକାଶ କରିଛନ୍ତି ।
