ପୁରୀ: ଆଷାଢ଼ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଅବସରରେ ଶ୍ରୀକ୍ଷେତ୍ରରେ ଆଜି ତିନି ରଥ ଦକ୍ଷିଣ ମୋଡ଼ ନୀତି ଅନୁଷ୍ଠିତ ହୋଇଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ହୋଇ ଥିବା ତିନି ରଥ ଟଣା ହୋଇ ଶରଧା ବାଲି ନାକଚଣା ଦ୍ଵାର ସମ୍ମୁଖରେ ଲାଗିଛି । ସକାଳ ଧୂପ ପରେ ଅପରାହ୍ନ ୧ ଟା ୪୫ ମିନିଟରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ନିକଟକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରି ଥିଲା। ସେଠାରେ ବିଧି ବିଧାନ ଅନୁଯାୟୀ ପୂଜା ଅର୍ଚ୍ଚନା ହୋଇ ଥିଲା। ଅପରାହ୍ନ ୨ ଟା ପରେ ରଥ ଟଣା ଆରମ୍ଭ ହୋଇ ରାତ୍ର ୭ ଟା ସୁଦ୍ଧା ତିନି ରଥ ନାକ ଚଣା ଦ୍ଵାର ସମ୍ମୁଖରେ ଲାଗିଛି। ଆସନ୍ତା ୮ ତାରିଖରେ ବିଗ୍ରହ ମାନଙ୍କର ପବିତ୍ର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ।
ସନ୍ଧ୍ୟା ଦର୍ଶନ ଦିନ ସର୍ବସାଧାରଣ ଦର୍ଶନ ସମୟ ସକାଳୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ l ଅପରାହ୍ନ ୪ ଟା ପରେ ଆଉ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ l ୯ ତାରିଖ ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଗୁଣ୍ଡିଚା ମନ୍ଦିରରେ ବିଗ୍ରହ ମାନଙ୍କର ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ବିଗ୍ରହ ମାନଙ୍କର ସ୍ବତନ୍ତ୍ର ନୀତି କାନ୍ତି ଓ ବାହୁଡା଼ ଯାତ୍ରା କୁ ଦୃଷ୍ଟିରେ ରଖି ଥିବାରୁ ଏହି ସମୟସୀମା ଧାର୍ଯ୍ୟ ହୋଇ ଥିବା ସୂଚନା ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।