ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରରୁ ଭିଡିଓ କନଫରେନ୍ସିଂରେ ଗଜପତି ମହାରାଜ ତଥା ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଛତିଶା ନିଯୋଗରେ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିର ଅନୁମୋଦନ ମିଳିଛି। ମୁଖ୍ୟତଃ ବିନା ଭକ୍ତରେ, ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କିଭଳି କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ସେବା ସହିତ ସମ୍ପୃକ୍ତ ବିଭିନ୍ନ ନିଯୋଗ ସହିତ ଆଲୋଚନା କରିସାରିଛି।

କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ। ସେହିଭଳି କଟକଣା ଭିତରେ ରଥଯାତ୍ରା ମଧ୍ୟ କରାଯାଇପାରିବ ବୋଲି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ କହିଛନ୍ତି। ତେବେ ଏଥିପାଇଁ ପରିଚାଳନା କମିଟି କେବଳ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିପାରିବ। ରାଜ୍ୟ ସରକାର ଚାହିଁଲେ ହିଁ ରଥଯାତ୍ରା ହେବ। ବିନା ଭକ୍ତ ଓ କଟକଣାରେ ଲକ୍ଡାଉନ୍ ନିୟମ ପାଳି ରଥଯାତ୍ରା ସମ୍ଭବ ବୋଲି ଗଜପତି କହିଛନ୍ତି।
ରଥ ଦିନ ବଡ଼ଦାଣ୍ଡରେ ରୁଣ୍ଡ ହେଉଥିବା କେବଳ ୧୦ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରଭୁ ଘୋଷଯାତ୍ରାରେ ବାହାରନ୍ତି ନାହିଁ, ବରଂ ସମଗ୍ର ବିଶ୍ବ ପାଇଁ ବାହାରକୁ ଆସିଥାନ୍ତି। ତେଣୁ ସମସ୍ତ ଭକ୍ତଜନ କଟକଣାକୁ ମାନି ନିଜ ଘରେ ବସି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଦେଖିପାରିବେ। ଏଥିପାଇଁ ସମସ୍ତଙ୍କ ସହଯୋଗ ରହିଲେ ଏଥର ରଥଯାତ୍ରା ସମ୍ଭବ ହେବ। ସେହିପରି ଆସନ୍ତା ଜୁନ୍ ପହିଲାରେ ଯଦି କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଅନ୍ତି, ସେ ପରିସ୍ଥିତିରେ ଶ୍ରୀମନ୍ଦିର କିନ୍ତୁ ଖୋଲାଯାଇପାରିବ ନାହିଁ। ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କ ଆବେଗକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବନ୍ଦ ରଖାଯିବା ଉଚିତ ହେବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।
ଅନ୍ୟପକ୍ଷରେ ସ୍ନାନଯାତ୍ରା ପାଇଁ ସେବକଙ୍କୁ ପରିଚୟପତ୍ର ମିଳିଛି। ସ୍ନାନଯାତ୍ରା ସହିତ ସମ୍ପୃକ୍ତ ସେବକଙ୍କ କୋଭିଡ୍-୧୯ ପରୀକ୍ଷା ମଧ୍ୟ କରାଯାଇଛି। ସ୍ନାନଯାତ୍ରା ପାଇଁ ସମ୍ପୃକ୍ତ ସେବକଙ୍କୁ ସଙ୍ଗରୋଧରେ ରଖାଯିବ। ଏଥର ମହାପ୍ରଭୁଙ୍କ ସ୍ନାନଯାତ୍ରା ସଅଳ ଅନୁଷ୍ଠିତ ହେବ। ରାତିରେ ପହଣ୍ଡି ଶେଷ ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।