Odisha news

ହ୍ୱାଟସଆପ୍ ପାଠପଢାର ପ୍ରକୃତ ଚିତ୍ର

0
 ସୌଭାଗ୍ୟବତୀ ଗିରି : ଏବେ କରୋନା ଭଳି ପରିସ୍ଥିତିରେ ଜନଜୀବନ ଠପ୍ ହେଇ ପଡିଥିବା ବେଳେ ବି ସରକାରୀ ଅଫିସ୍ ରେ କର୍ମଚାରୀ କାର୍ଯ୍ୟରତ l ବେସରକାରୀ କର୍ମଚାରୀ ମାନଙ୍କର ଚାଲିଛି ୱାର୍କ ଫ୍ରମ୍ ହୋମ୍ l ଲାପଟପ୍ ଭିଡିଓ କଲ୍ ରେ କେତେ ମିଟିଙ୍ଗ୍ ଚାଲିଛି l ବେସରକାରୀ ସ୍କୁଲ୍ ରେ କେବେଠାରୁ ଅନ୍ ଲାଇନ୍ ଟିଚିଙ୍ଗ ଆରମ୍ଭ ହେଇ ଗଲାଣି l କିନ୍ତୁ ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ କିଛି ବ୍ୟବସ୍ଥା ହେଇ ନଥିଲା l ସରକାରୀ ସ୍କୁଲ୍ ପିଲାଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ହ୍ୱାଟସ୍ଆପ୍ ରେ ପାଠପଢା ପାଇଁ ସରକାର ଯେଉଁ ପଦକ୍ଷେପ ଟିଏ ନେଇଛନ୍ତି ତାହା ବାସ୍ତବିକ୍ ସ୍ୱାଗତଯୋଗ୍ୟ l
କିନ୍ତୁ ଏବେ ମନରେ ଗୋଟିଏ ପ୍ରଶ୍ନ ସତରେ କ’ଣ ହ୍ୱାଟସ୍ଆପ୍ ପାଠପଢା ସଫଳ ହେବ ?? ନିଜ ପିଲାଙ୍କୁ ସରକାରୀ ସ୍କୁଲ୍ ରେ ପାଠପଢାଉ ଥିବା କେତେଜଣ ଅଭିଭାବକଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ୍ ଥାଏ ?? ନିଜର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଥିବା ଲୋକମାନେ କେତେ ବୁଝୁଛନ୍ତି ହ୍ୱାଟସ୍ଆପ୍ ପାଠପଢାକୁ ?? ଗୋଟେ ସରକାରୀ ସ୍କୁଲ୍ ର ଜଣେ ଶିକ୍ଷକଙ୍କ ସଂପର୍ଶ ରେ ଆସି ଦେଖିଲି ହ୍ୱାଟସ୍ଆପ୍ ପାଠପଢାର ଦସ୍ତାବିଜ୍ ଲେଖନ ବହୁତ୍ ସୁନ୍ଦର ଭାବରେ କରାଯାଉଛି l
ଘଣ୍ଟା ଘଣ୍ଟା ସମୟ ବିନିମୟରେ ଅତି ସୁନ୍ଦର ଭାବେ ଚିତ୍ରବିଚିତ୍ର କରି ପାଠ ଲେଖା ହେଉଛି l ଏତେ ପ୍ରାଞ୍ଜଳ ଭାବରେ ବୁଝେଇ ଲେଖାଯାଉଛି ଯେ ତା’କୁ ଯେ କେହି ବି ବୁଝି ପାରିବ l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବି ପୂରା ଲାଗି ପଡିଛନ୍ତି କେମିତି ପିଲାମାନେ ଘରେ ରହି ବି ପାଠ ପଢନ୍ତୁ l କିଛି ଶିକ୍ଷକ ଶିକ୍ଷୟିତ୍ରୀ ତ ସେମାନଙ୍କ ମୂଲ୍ୟବାନ୍ ସମୟ ସାରି ବିଭିନ୍ନ ସହଜ ଓ ସରଳ ଶିକ୍ଷାଭିତ୍ତିକ ଭିଡିଓ କରି ବି ଛାଡୁଛନ୍ତି l ଶିକ୍ଷକ ମାନଙ୍କର ଲକ୍ଷ୍ୟ ତ ସେଇ ଗୋଟେ ଜାଗାରେ ହିଁ ଥାଏ l କେମିତି ପିଲାଟିଏ ପାଠପଢି ଭଲ ମଣିଷ ଟେ ହେଉ l
କିନ୍ତୁ ଏ ହ୍ୱାଟସ୍ଆପ୍ ପାଠପଢା କେତେ ସଫଳ ?? ପିଲାମାନେ କ’ଣ ସତରେ ପାଠ ପଢୁଛନ୍ତି  ହ୍ୱାଟସ୍ଆପ୍ ରେ ?? ହ୍ୱାଟସ୍ଆପ୍ ପାଠପଢାର ପ୍ରକୃତ ଚିତ୍ର ଏକ ଛୋଟିଆ ଘଟଣା ମାଧ୍ୟମରେ l
କେତେବେଳୁ ସୂର୍ଯ୍ୟ ଉଠି ଆସିଲେଣି l ରତନୀ ତରତର ହୋଇ ବିଲକୁ କାମ କରିବାକୁ ବାହାରୁ ଥିଲା l କ’ଣ ଏବେ କରିବ ସେ l ଏଇ କେତେ ଦିନ ହେଲା ପିଲା ତିନିଟା ଙ୍କ ପେଟକୁ ଦାନା ମୁଠେ ଦବା କଷ୍ଟ ହେଇଗଲାଣି l ଆଗରୁ କେଇଘର କାମ ଧରିଥିଲା l କି ରୋଗ ଆସିଲା କେଜାଣି ଏବେ ସେଇଟା ବି ବନ୍ଦ l ତା ସ୍ୱାମୀ ଦନିଆ ଟା ଆଦ୍ୟରୁ ଅଯୋଗ୍ୟ l ସକାଳୁ ଉଠି ଲୋକ ପାଣିରେ ମୁହଁ ଧୁଅନ୍ତି l ସେ କିନ୍ତୁ ମଦରେ ମୁହଁ ଧୁଏ l ଏବେ ସରକାର ମଦ ଦୋକାନ ବନ୍ଦ କରି ଦେଇଚନ୍ତି ଯେ ଦନିଆ ସକାଳେ ସଞ୍ଜରେ ଏ ଗାଁ ସେ ଗାଁ ବୁଲୁଚି ଦେଶୀ ମଦ ଟୋପାଏ ପାଇଁ l ଆଉ ସିଏ ବା କି ସାହାଯ୍ୟ କରିବ ଘରକୁ l
ସିଆଡୁ କାନ୍ଦିକାନ୍ଦି ଆସିଲା ବଡପୁଅ ରାଜୁଆ l ଗୋଟାଏ ଜିଦ୍ l ତା’ର ଗୋଟାଏ ମୋବାଇଲ୍ ଦରକାର l ଏବେ ସରକାରଙ୍କ ତରଫରୁ ହ୍ୱାଟସଆପ୍ ରେ ପାଠପଢା ହେଉଛି l ତା’ସାଙ୍ଗମାନେ ସବୁ ପଢି ଗଲେଣି l ହେଲେ ସେ ପଢିପାରୁନି l କାହିଁକି ନା ତା’ର ମୋବାଇଲ୍ ନାହିଁ l ସାଙ୍ଗ ଘରକୁ ଗଲେ ସାଙ୍ଗ ବି ଏବେ ପାଖ ପୂରଉନି l କହୁଛି ସାମାଜିକ ଦୂରତା ନ ରଖିଲେ କରୋନା ହେଇଯିବ l ତେଣୁ ତା’ର ମୋବାଇଲ୍ କିଣିବା ଟା ନିହାତି ଦରକାର l ତାଟକା ହେଇ ପୁଅକୁ ଚାହିଁ ରହିଥିଲା ରତନୀ l ଏଁ….ଇଏ ପୁଣି ପାଠପଢା ପାଇଁ ଏତେ ବ୍ୟସ୍ତ l ମୁଁ ତ ସବୁଦିନ ୟାକୁ ଘୋଷାଡି ଘୋଷାଡି ନେଇ ଇସ୍କୁଲ୍ ରେ ଛାଡେ l ଇସ୍କୁଲ୍ ଗଲାବେଳେ ୟା ଗର୍ଜନରେ ଗାଁ ଦାଣ୍ଡଟା ଫାଟିପଡେ l କେବେ ଇସ୍କୁଲ୍ ରେ ରହେ ତ ପୁଣି କେବେ ମୋ ପଛେପଛେ ଆସି ଘରେ ହାଜର l
ଆମ ଗାଁ ଇସ୍କୁଲ୍ ରେ କୋଉ ମାଷ୍ଟର କି ମାଷ୍ଟରାଣୀ ନାହିଁ ଯିଏ ତାକୁ ବୁଝେଇକି ପାଠ ପଢେଇ ଦବ l ଆଉ ଇଏ ଏବେ ପଢିବାକୁ ଏତେ ଉଚ୍ଛନ୍ନ l ପୁଅକୁ ବୁଝେଇବାକୁ ଚେଷ୍ଟା କଲା ରତନୀ l ଆରେ,ବଞ୍ଚିକି   ରହିଲେ ତ ପାଠ ପଢିବ l ଆମ ଭଳି ଗରିବଙ୍କ ପାଇଁ ଭାତ ମୁଠାଏ ଯୋଗାଡ କରିବା କଷ୍ଟ ହେଇ ଯାଉଚି l ସେ ହ୍ୱାଟସଆପ୍ ପାଠପଢା ହେଲେ ହଉ ନହେଲେ ନାହିଁ  l ହେଲେ ରାଜୁଆ ର ଗୋଟେ ଜିଦ୍ ସେ ମୋବାଇଲ୍ ରେ ପାଠ ପଢିବ l ପୁଅର ମୋବାଇଲ୍ କିଣା ଜିଦ୍ ଦେଖି ଠାଏ କରି ଗୋଟାଏ ଚାପୁଡା କଷିଦେଲା ରତନୀ l ସିଆଡେ ବିଲକୁ ଯିବା ଡେରି ହଉଚି l ଆଉ ଇଏ ଏଠି ପାଲା କରୁଚି l ରାଜୁଆ ସେମିତି ଠିଆ ହେଇ ଭେଁ ଭେଁ କରୁଥିଲା l ବିଲକୁ ବାହାରିଗଲା ରତନୀ l
 ହେଲେ ମା’ ମନଟା ଜମା ବୁଝୁ ନଥିଲା l ପିଲାଟା ତ କିଛି ଖରାପ କଥା ପାଇଁ ଜିଦି କରିନି l ପାଠପଢା ପାଇଁ କରିଚି l ହେଲେ ମୋବାଇଲ୍ ପାଇଁ ପଇସା ଆସିବ କୋଉଠୁ ? ସରକାର ବି ବଡ ଅବୁଝା l ଆରେ ଆମେ ପଇସା ଖର୍ଚ୍ଚ କରିପାରିବୁନୁ ବୋଲି ତ ତମ ଇସ୍କୁଲ୍ କୁ ପଠଉଚୁ l ରାଜୁଆ ଟା ଆମର ଇସ୍କୁଲ୍ ଯାଉଥିଲା ବୋଲି ତାକୁ କୁପନ୍ ମିଳିଲା l ସେଇଥିରେ କେତେ ଗୁଡେ ଚାଉଳ ମିଳିଲା ଯେ ଦିନ କେଇଟା ଆମର ସେଇଥିରେ ଚଳିଗଲା l
ଛୁଆ ଦି’ଟା ଇସ୍କୁଲ୍ ରୁ ଖାଇଦେଇ ଆସୁଥିଲେ ଯେ ଗୋଟେ ଚିନ୍ତା ଯାଉଥିଲା l ଏବେ ତ କରୋନା ଆଇଲା ଦିନୁ ସେତକ ବି ନାହିଁ l ଛୁଆଙ୍କ ପାଇଁ ଦି’ଟା କ’ଣ ଯୋଗାଡ କରିବା କେଡେ କଷ୍ଟ ହେଇଗଲାଣି l ତମେ କ’ଣ ଆମ ଅବସ୍ଥା ବୁଝିପାରୁନ ଯେ ପୁଣି ଏବେ ଆମ ମୁଣ୍ଡରେ ବୋଝ ଉପରେ ଆହୁରି ନଳିତା ବିଡା ଲଦି ପକଉଚ l ମୋ ପୁଅ ଛୋଟ ଛୁଆ l ତାର ବି ଦୋଷ କ’ଣ ? ଏଇ ଗାଁ ଇସ୍କୁଲ୍ ମାଷ୍ଟର ମାଷ୍ଟରାଣୀ ଯାକ ନମ୍ବର୍ ମାଗିକି ମୋ ପୁଅ ମୁଣ୍ଡକୁ ଖରାପ କରି ସାରିଲେଣି l ସେଇଥି ପାଇଁ ସେ ଜିଦି କରୁଛି  ମୋବାଇଲ୍ ପାଇଁ l ହେଲେ ମୋବାଇଲ୍ କିଣିବାକୁ ପଇସା କୋଉଠୁ ଆଣିବି ? କାମ କରି ଯାଉଥିଲେ ମାଲିକାଣୀଙ୍କ ଠାରୁ କିଛି ପଇସା ଧାର୍ କରି ଆଣିଥା’ନ୍ତି l ପଛରେ କାମ କରି ଶୁଝି ଦେଇଥା’ନ୍ତି l ହେଲେ ଏବେ ତ କାମ କରି ଯାଉନି l
କୋଉ ବିବେକରେ ପଇସା ଧାର୍ ମାଗିବି l ଆମେ ଗରିବ ହେଇପାରୁ ହେଲେ ଆମେ ଅବିବେକୀ ନୁହଁ l ଏଇମିତି ବରବର ହେଉଥାଏ ରତନୀ l ହଠାତ୍ ତା’ର ମନେ ପଡିଲା l କାଠ ବାକ୍ସରେ ପୁରୁଣା କାନଫୁଲ ହଳେ ଅଛି l ତା’ ଝିଅ ବେଳର l ସେଇଆ କୁ ଲଗେଇ ସେ ଶାଶୁଘର ଆସିଚି l କାଳେ ଭାଙ୍ଗିଯିବ ସେଥିପାଇଁ ସେ ଜମା ପିନ୍ଧେନି l ବାକ୍ସରେ ସାଇତି ରଖିଥାଏ l କୁଣିଆ ମଇତ୍ର ଘର ଗଲେ ପିନ୍ଧିକି ଯାଏ l ସେଇଟାକୁ ବିକିଦେଲେ ହୁଏତ ମୋବାଇଲ୍ କିଣିବାକୁ ପଇସା ହେଇଯିବ l ସେ କାନଫୁଲ ନ ପିନ୍ଧିଲା ନାହିଁ l ଗାଁ ନିତିଆ ଦୋକାନରେ ପଚାଶ କି ଶହେ ଟଙ୍କା ଦେଲେ ହଳେ ଚିକିଚିକିଆ କାନଫୁଲ ହେଇଯିବ l ପୁଅର ପାଠପଢାଟା କିନ୍ତୁ ଆଗ l ପାଠପଢି ମଣିଷ ହେଲେ ଏଇମିତିଆ କାନଫୁଲ କେତେ କିଣିଦବ ସେ l ରତନୀ ସ୍ଥିର କଲା କାନଫୁଲଟା ବିକି ଦେଇ ମୋବାଇଲ୍ କିଣିବ l
ତା’ ପରଦିନ କାନଫୁଲ ବିକା ହେଇ କିଣା ହେଲା ମୋବାଇଲ୍ l ହ୍ୱାଟସଆପ୍ ଖୋଲାହେଲା l ପ୍ରଶ୍ନପତ୍ର ଆସିଲା l ଉତ୍ତରଫର୍ଦ୍ଦ ବି ଆସିଲା l ହେଲେ ସେସବୁ ଲେଖାପଢା ପାଇଁ ରାଜୁଆ ପାଖେ ସମୟ କାହିଁ ? ତାକୁ ତ ଥୋଟାଭିମ୍ , ନାଚଗୀତ ଦେଖିବାକୁ ସମୟ ଅଣ୍ଟୁନି l ପାଠପଢା କଥା କହିଲେ ଯୋଉମାନେ ରାଜୁଆ କୁ ସାମାଜିକ ଦୂରତା ରଖିବା କଥା କହୁଥିଲେ ସେମାନେ ଏବେ ମୁଣ୍ଡକୁ ମୁଣ୍ଡ ଯୋଡିଦେଇ ରାଜୁଆ ମୋବାଇଲ୍ ରେ ବଟିଆ କମେଡି ଦେଖୁଚନ୍ତି l
ସେଦିନ ବିଲରୁ କାମସାରି ଘରକୁ ଫେରିଲା ରତନୀ l ସଞ୍ଜ ହେଇଗଲାଣି l ମା’ କୁ ଦେଖିଦେଇ ରାଜୁଆ ଖାତା କଲମ ଆଣି କ’ଣ ସବୁ ଲେଖିି ପକଉଥାଏ ମୋବାଇଲ୍ ରୁ ଦେଖିଦେଖି l ମା’ ମନ ଭାରି ଖୁସି l ପୁଅ ତା’ର ଏବେ ପାଠରେ ମନ ଦେଲାଣି l
ଦନିଆ କୋଉଠି ଥିଲା କେଜାଣି ଝପଟି ଆଇଲା l ପଚାଶ ଟଙ୍କା ମାଗିଲା l ରତନୀ ମନା କଲା ତା ପାଖେ ଟଙ୍କା ନାହିଁ l ଯୋଉ ପଚାଶ ଟଙ୍କା ଅଛି ସେଇଥିରେ କାଲିକି ତେଲଲୁଣ ହବ l ସେତକ ଦେଇଦେଲେ କାଲି ଛୁଆ ଖାଇବେ କ’ଣ ? ରାଗରେ ଗର୍ଜନ କଲା ଦନିଆ l ମୋବାଇଲ୍ କିଣିବାକୁ ପଇସା ଅଛି ଆଉ ମତେ ଦବା ପାଇଁ ପଚାଶ ଟା ଟଙ୍କା ନାହି l ରତନୀକୁ ମିଳିଲା ଅଶ୍ଳୀଳ ଶୋଧା,ବିଧା,ଚାପୁଡା,ଗୋଇଠା l ସେତିକି ରେ ବି ମନ ଶାନ୍ତି ହେଲାନି ଦନିଆ ର l ଝପଟି ଯାଇ ମୋବାଇଲ୍ ଟା ଛଡେଇ ଆଣିଲା ରାଜୁଆ ହାତରୁ l ଦୁଲ୍ କିରି କଚାଡି ଦେଲା ତଳେ l ରାଜୁଆ ଆଉ ରତନୀ ଏକାବେଳେ ଦଉଡିଗଲେ ମୋବାଇଲ୍ ଟା ଉଠେଇବାକୁ l ଆଉ କିଛି ନଥିଲା l ମୋବାଇଲ୍ ଟା ଭାଙ୍ଗି ଚୁନା ହୋଇ ଯାଇଥିଲା l  ତା ସହିତ ଭାଙ୍ଗି ଚୁନା ହୋଇ ଯାଇଥିଲା ରତନୀର ପୁଅକୁ ପାଠ ପଢେଇ ମଣିଷ କରିବାର ସ୍ୱପ୍ନ  l
Nalco

Leave A Reply