ଯଦୁମଣି ପାଣିଗ୍ରାହୀ : ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ଓ ପବିତ୍ରତମ ଦିବସ । ଏହି ଦିନ ଆମେ ଶାନ୍ତି, ମୈତ୍ରୀ ଓ ପ୍ରୀତିର ସ୍ୱାକ୍ଷର ବହନ କରୁଥିବା ତ୍ରିରଙ୍ଗା ପତାକା ଉଡାଇବା ସହିତ ନିଜକୁ ସ୍ୱାଧୀନ ଭାରତର ନାଗରିକ ବୋଲି କହି ଅତ୍ୟନ୍ତ ଗର୍ବ ଅନୁଭବ କରୁ । ଦୀର୍ଘ ପ୍ରାୟ ୧ଶହ ୯୦ବର୍ଷ ଧରି ଆମ ଦେଶ ବି୍ରଟିଶ ଶାସନାଧିନ ରହିଥିଲା । ଆମ ଦେଶର ମୁକ୍ତିକାମୀ ଜନ ନାୟକ ମାନଙ୍କର ବହୁ ସଂଘର୍ଷ ଓ ସଂଗ୍ରାମ ପରେ ଆମେ ଦେଶ ଶେଷରେ ୧୯୪୭ ଅଗଷ୍ଟ ପନ୍ଦରରେ ସ୍ୱାଧୀନ ହୋଇଥିଲା । ଭାରତର ସ୍ୱାଧୀନତା ହାସଲ କରିବା ଲାଗି ସେହି ମହାନ ସାଧକ ମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇବା ତଥା ଉକ୍ତ ଦିବସକୁ ସ୍ମରଣୀୟ କରି ରଖିବା ଉଦେ୍ଦଶ୍ୟରେ ଆମେ ସେହିଦିନ ଠାରୁ ଆଜିଯାଏଁ ଆଉ ପଲ୍ଲୀ ଠାରୁ ପୁଣି ଦିଲ୍ଲୀ ଯାଏଁ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ସମ୍ମାନର ସହିତ ଏହି ମହାନ ଦିବସକୁ ପାଳନ କରି ଆସୁଛୁ । ଏ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ପ୍ରମୁଖ ବରପୁତ୍ର ମାନଙ୍କ ମଧ୍ୟରୁ ମହାତ୍ମାଗାନ୍ଧୀ ଯେ, ସର୍ବାଗ୍ରେ ରହିବେ ଏକଥା ଅସ୍ୱୀକାର କରିହେବନି । ତାଙ୍କର ସତ୍ୟ ଓ ଅହିଂସାର ଅମୋଘ ଅସ୍ତ୍ର ବଳରେ ବି୍ରଟିଶଙ୍କୁ ଏ ଦେଶରୁ ହଟାଇ ଦେବାରେ ସେ ହିଁ କେବଳ ସମର୍ଥ ହୋଇଥିଲେ ।
ଦେଶ ସ୍ୱାଧୀନତା ପରେ ଏ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା ହେବ । ସମସ୍ତେ ସୁଖଶାନ୍ତିରେ ରହିବେ । ସମସ୍ତଙ୍କୁ ନ୍ୟାୟ ମିଳିବ । ଗରିବର ଦୁଃଖ ଦୂର ହେବ । ନାରୀର ମର୍ଯ୍ୟାଦା ବଢିବ ଆଦି ଅନେକ ଅଭିଳାଷ ତାଙ୍କ ଭିତରେ ରହିଥିଲା । ମାତ୍ର ତାଙ୍କର ସେ ଅଭିଳାଷ ପୂରଣ ହେବା ପୂର୍ବରୁ ସେ ଆମ ଗହଣରୁ ବିଦାୟ ନେଇଥିଲେ । ଦେଶ ସ୍ୱାଧୀନତା ହାସଲ କଲାପରେ ଏ ଦେଶକୁ ଏକ ଶୃଙ୍ଖଳିତ ନୀତି ନିୟମ ଭିତରେ ଶାସନ କରିବାକୁ ଯାଇ ଏକ ସମ୍ବିଧାନ ପ୍ରଣୟନ କରାଗଲା ଓ ଏହାକୁ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଠାରୁ କାର୍ଯ୍ୟକାରୀ ବି କରାଗଲା । ସେହିଦିନ ଠାରୁ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ପରିଗଣିତ ହେଲା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଲାଗି ସମାନ ନୀତିନିୟମ ପ୍ରସ୍ତୁତି ହେଲା ।
୧୯୫୧-୫୨ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଜବାହାରଲାଲ ନେହେରୁ ଗାଦିସୀନ ହେଲେ । ଦୀର୍ଘ ଦିନ ଧରି ବି୍ରଟିଶ ଶାସନରେ ରହି ନିଷ୍ପେସିତ, ଅତ୍ୟାଚରିତ ଓ ଅବହେଳିତ ହୋଇ ଆସିଥିବା ଏ ଦେଶର ଅଗଣିତ ଜନଗଣଙ୍କ ସୁଖ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଗଲା । ବିଶେଷକରି ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏ ଦେଶର ଦ୍ରାରିଦ୍ର୍ୟ ଦୂର କରିବାକୁ ପ୍ରୟାସ ଆରମ୍ଭ କରଯାଇଥିଲା । ଏ ଦେଶବାସୀଙ୍କ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହର ସୁବ୍ୟବସ୍ଥା ଠାରୁ ପୁଣି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଉନ୍ନତି ସହିତ ଏ ଦେଶକୁ ଶିଳ୍ପ ସମୃଦ୍ଧ କରାଯିବା ନେଇ ଯୋଜନାମାନ ପ୍ରଣୟନ କରାଗଲା ।
ଇତିମଧ୍ୟରେ ଦେଶ ସ୍ୱାଧୀନତାକୁ ଦୀର୍ଘ ୭୩ ବର୍ଷ ବିତିଯାଇଛି । ସରକାର ପରେ ସରକାର ବଦଳିଛନ୍ତି । ହେଲେ ଦେଶ ସ୍ୱାଧୀନତରେ ଆନନ୍ଦ ବିଭୋର ହୋଇ ପଡିଥିବା ଏ ଦେଶବାସୀଙ୍କ ସ୍ୱପ୍ନ କେତେକାଂଶରେ ସଫଳ ହୋଇଥିଲେ ମଧ୍ୟ ଆଜିବି ଆହୁରି ଅନେକ ସ୍ୱପ୍ନ ପୂରଣ ହେବାକୁ ବାକି ରହିଛି । ଭାରତ ସ୍ୱାଧୀନତାର ନୂତନ ସୂର୍ଯ୍ୟୋଦୟରେ ଏ ଦେଶର କୋଟି କୋଟି ଜନଗଣ ଯେଉଁମାନେ ବି୍ରଟିଶର ଅନ୍ୟାୟ, ଅତ୍ୟାଚାର ଓ ନିର୍ଯାତନାକୁ ମୁଣ୍ଡପାତି ସହି ଆସିଥିଲେ ସେମାନଙ୍କ ମୁହଁରେ ଯେଉଁ ଆତ୍ମତୃପ୍ତିର ହସ ଫୁଟି ଉଠିଥିଲା ସେ ହସ ଆଜି ଯେମିତି ନିଷ୍ପ୍ରଭ ହୋଇଯାଇଛି ।
ଆଜି ଏ ଦେଶ ସମଗ୍ର ପୃଥିବୀରେ ଏକ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ଉଭା ହୋଇଥିବା ବେଳେ ଏହି କାରଣରୁ ଅନେକ କିଛି ସମସ୍ୟା ଆମକୁ ସର୍ବଦା ବିଚଳିତ କରୁଛି । ଦେଶରେ ଦାରିଦ୍ର୍ୟ ଓ ବେକାରୀ ଆଶାଜନକ ଭାବେ ହ୍ରାସ ପାଇ ପାରିନି । ଗରିବ ତଥା ଆର୍ଥିକ ଅସ୍ୱଚ୍ଛଳ ବର୍ଗଙ୍କ ଲାଗି ଅନେକ କିଛି ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରୁନି । ଦେଶରେ ଦୁର୍ନୀତି ଓ ଭ୍ରଷ୍ଠାଚାରର ପ୍ରକୋପ ବଢିଛି । ରାଜନୀତି ମୂଲ୍ୟବୋଧ ହରାଇବା ସହିତ ଅପରାଧୀ ମାନେ ରାଜନେତାଙ୍କ ଆଶ୍ରୟରେ ରହି ନାନାଦି ଅପରାଧିକ କାର୍ଯ୍ୟ ଅବାଧରେ ଚଳାଇଛନ୍ତି ।
ଚୋରି, ଡକାୟତି, ହତ୍ୟା ଓ ନାରୀ ନିର୍ଯାତନାର ପ୍ରକୋପ ବଢି ବଢି ଚାଲିଛି । ଗରିବ ଲୋକେ ନ୍ୟାୟ ପାଉନଥିବା ଅଭିଯୋଗ ହେଉଛିି । ଓଡିଶା ଭଳି ରାଜ୍ୟରେ କୃଷି ଓ କୃଷକ ଅବହେଳିତ ଅବସ୍ଥାରେ ରହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ଗମନାଗମନରେ ଆମ ରାଜ୍ୟ ବହୁ ପଛରେ ରହିବା ସହିତ ଶିଳ୍ପ କ୍ଷେତ୍ରରେ ବି ଆଶାଜନକ ଅଗ୍ରଗତି କରିପାରିନି । ତେବେ ଏହାରି ମଧ୍ୟରେ କେନ୍ଦ୍ର ଶାସନାଧୀନ ନରେନ୍ଦ୍ର ମୋଦୀ ସରକାର ଏକ ଜନମଙ୍ଗଳକାରୀ ସରକାର ଭାବେ ଉଭାହୋଇଛନ୍ତି । ତାଙ୍କ ଦ୍ୱାରା ପ୍ରଣୀତ ଅନେକ ଜନକଲ୍ୟାଣକାରୀ ଯୋଜନା ଏ ଦେଶବାସୀଙ୍କ ମନରେ ଆଶାର ସଞ୍ଚାର ହୋଇଛି ।
ଭାରତର ପ୍ରତିରକ୍ଷା କ୍ଷେତ୍ର ଓ ବୈଦେଶିକ ସଂପର୍କ ବେଶ ମଜବୁତ ହୋଇଥିବା ବେଳେ ଆମର ଚିରଶତ୍ରୁ ଭାବେ ପରିଗଣିତ ଚୀନ ଓ ପାକିସ୍ତାନ ବିଭିନ୍ନ ସମୟରେ ଆମକୁ ବିପଦରେ ପକାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ଦଳମତ ନିର୍ବିଶେଷରେ ଆମକୁ ଏକମନ ଓ ଏକପ୍ରାଣ ହୋଇ ସବୁ ସମସ୍ୟାକୁ ମୁକାବିଲା କରିବାକୁ ପଡିବ । ନିଜ ଭିତରେ ଥିବା ସବୁ ସଂକୀର୍ଣ୍ଣତା ଓ ହୀନମନ୍ୟତାକୁ ଭୁଲି ଯାଇ ଦେଶ କାମରେ ସହଯୋଗ କରିବାକୁ ପଡିବ । ସମସ୍ତଙ୍କୁ ଜାତୀୟତା ମହାମନ୍ତ୍ରରେ ଅଭିମନ୍ତ୍ରିତ ହେବାକୁ ପଡିବ । ଯଦିଓ କରୋନା ଜନିତ କାରଣରୁ ସଂପ୍ରତି ଆମେ ଏକ ଅସ୍ୱାଭାବିକ ସମୟ ଦେଇ ଗତି କରୁଛୁ,ତଥାପି ଏହି ମହାନ ଦିବସ ପାଳନ ଅବସରରେ ଆମେ ସମସ୍ତେ ମିଳିମିଶି ଏହି କରୋନା ବିରୋଧୀ ଲଢେଇକୁ ଆଗକୁ ନେବା ସହିତ ଏଥିରେ ଯେପରି ବିଜୟୀ ହେବା ସେଥିôନେଇ ମନରେ ସଙ୍କଳ୍ପ ନେବା ଉଚିତ୍ ।
