Odisha news

ଯନ୍ତ୍ରୀଙ୍କୁ ହାତ ବାରିସି କରି ଖାଇଗଲେ ଠିକାଦାର : କାର୍ଯ୍ୟ ସରିବାର ୩ ମାସ ନ ପୂରୁଣୁ ରାସ୍ତା ଫାଟି ଆଁ।

0
କୋଦଳା (Susanta Kumar Pattnayak) : କରୋନା ଆଳରେ ଦୁର୍ନୀତିକୁ ସରଳୀକରଣ କରି ମାଲାମାଲ୍ ହେଉଛନ୍ତି ଠିକାଦାର ଓ ଯନ୍ତ୍ରୀ। ଗୋଟିଏ ପଟେ କରୋନାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ସମୟରେ ଲୋକକୁଂ ଆଢୁଆଳରେ ରଖି ଖୁଲମଖୁଲା ଦୁର୍ନୀତି ହେଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଗୋହିରିନାଳ ସାହି ରାସ୍ତା ନିର୍ମାଣକୁ ନେଇ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ ।ସୂଚନା ଅନୁସାରେ ଗତ ମଇ ମାସରେ କୋଦଳା ଗୋହିରିନାଳ ସାହି ରାସ୍ତା ଫେବର୍ ନିର୍ମାଣ କାର୍ଯ୍ୟ କରାଯାଇଥିଲା।
ଏଥିପାଇଁ ଏନ୍ଏସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଉକ୍ତ କାର୍ଯ୍ୟକୁ ବ୍ରହ୍ମପୁରର ଜନୈକ ବ୍ଯକ୍ତିଙ୍କ ନାମରେ ଟେଣ୍ଡର ହୋଇଥିବା ବେଳେ ତାଙ୍କ ନାମ ପ୍ରକାଶ କରୁନି ପ୍ରଶାସନ। ସଂପୃକ୍ତ ବ୍ଯକ୍ତିଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ କୋଦଳାର ଜଣେ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବୋଡୁ ନିଜକୁ ଠିକାଦାର ଭାବେ ପରିଚୟ ଦେଇ ପ୍ରତ୍ଯକ୍ଷ ଭାବେ ଉକ୍ତ କାର୍ଯ୍ଯ କରିଥିଲେ। ସେପଟେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାକୁ ସରକାରଙ୍କ ନିୟମ ଥିବା ବେଳେ ଏଯାବତ୍ କୌଣସି ସୂଚନା ଫଳକ ଦେଖିବାକୁ ମିଳିନି ଯାହାକି ଲୋକକୁଂ ଅନ୍ଧାରରେ ରଖି ଏଭଳି ବେଆଇନ କାର୍ଯ୍ୟ କରାଯାଇଛି ବୋଲି ଗୋହିରିନାଳ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ।
୬ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ହୋଇଥିବା ଏହି ରାସ୍ତାରୁ ଏବେ ଫେବର୍ ଉଠି ଆଁ କଲାଣି। ସାହି ରାସ୍ତାର ବିଭିନ୍ନ ସ୍ଥାନରେ ଫେବର୍ ଗୁଡିକ ଉଠି ବିରାଟକାୟ ଗାତ ସୃଷ୍ଟି ହୋଇଛି। ଫଳରେ ଯାନବାହାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଯନ୍ତ୍ରୀ ମୁହଁ ଖୋଲିବାକୁ ନାରାଜ। ନୂତନ କରି କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କୁ ପଚାରିବାରୁ ସେ କେବଳ କୋଭିଡ୍ କାର୍ଯ୍ୟ ତଦାରଖ କରୁଛନ୍ତି ଏବଂ ସେଥିରେ ସେ ବ୍ଯସ୍ତ ଅଛନ୍ତି ଏବଂ କିଛି କହି ପାରିବିନି ବୋଲି ଫୋନ୍ ଯୋଗେ ସୂଚନା ଦେଇଥିଲେ।
ଅପରପକ୍ଷେ ସଂପୃକ୍ତ ଯନ୍ତ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କାର୍ଯ୍ୟାଳୟରେ ନଥିଲେ ଏବଂ ବାରମ୍ବାର ଫୋନ୍ କରିବା ସତ୍ତ୍ବେ ବି ସେ ଫୋନ୍ ରିସିଭ୍ କରିନଥିଲେ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ ସୃଷ୍ଟି କରିଛନ୍ତି। ଗୋଟିଏ ପଟେ ସରକାର ସହରାଞ୍ଚଳର ପ୍ରତି ସାହି ରାସ୍ତା ଗୁଡ଼ିକୁ ଫେବର୍ ପକାଇ ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଏଥିପାଇଁ ଜନସାଧାରଣଙ୍କ ଟିକସରୁ କୋଟି କୋଟି ଟଙ୍କାର ଅର୍ଥ ବ୍ଯୟ କରାଯାଉଛି। ଅନ୍ୟପଟେ କରୋନା ବିପତ୍ତି ସମୟରେ ଲୋକକୁଂ ଆଢୁଆଳରେ ରଖି ଠିକାଦାର ଓ ଯନ୍ତ୍ରୀ ମନଇଛା କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ୍ କରୁଛନ୍ତି। ଏ ସଂପର୍କରେ ସବିଶେଷ ତଥ୍ୟ ପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ସଂଗ୍ରହ କରାଯିବା ପରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ନାମରେ ଭିଜିଲାନ୍ସରେ ମୋକଦ୍ଦମା ରୁଜୁ କରାଯିବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରକାଶ କରିଛନ୍ତି।
IEC 2 years
Leave A Reply