ବ୍ୟାସନଗର : ଶିଳ୍ପହବ୍ କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାରେ ଲାଗିଛି । ବନ୍ଦ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ଜୀବନ-ଜୀବିକା ପାଇଁ ଲଢେଇ କରୁଛନ୍ତି । ଶ୍ରମିକଙ୍କ ଜୀବିକା ସୁରକ୍ଷା ପ୍ରତି କୈାଣସି ଦୃଷ୍ଠି ଦିଆନଯାଇ କଳିଙ୍ଗନଗରରେ ନୂତନ ୩୬ଟି ଶିଳ୍ପ ପ୍ରତିଷ୍ଠା ହେବ ବୋଲି କୁହାଯାଉଛି । ଶିଳ୍ପ ପ୍ରତିଷ୍ଠା ନାଁରେ କଳିଙ୍ଗନଗରରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଧାୟକ ମହୋଦୟ ଜମି ଦଲାଲି କରିବାକୁ ଆଗେଇ ଆସିଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ କରାଯିବା ସହ ଶ୍ରମିକଙ୍କ ଜୀବିକା ବଞ୍ଚାଇବାକୁ ଦାବି କରିଛି ।
ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟଙ୍କ ସହ ଅନ୍ୟ କାର୍ଯ୍ୟକର୍ତା ଏବଂ କର୍ମୀ ଆଜି ଅତିରିକ୍ତ ଜିଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରି କଳିଙ୍ଗନଗରରେ ଅନେକ ଶିଳ୍ପ ବନ୍ଦ ହୋଇପଡ଼ିଥିବାରୁ ହଜାର ହଜାର ଶ୍ରମିକ ଜୀବିକା ହରାଇ ନିଜର ପରିବାର ସହ ଅତି ଦୁର୍ଦ୍ଦଶା ଭିତରେ ଦିନ କାଟୁଥିବା ବେଳେ ପରୋକ୍ଷରେ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ମାତ୍ର ବନ୍ଦ ପଡ଼ିଥିବା ଶିଳ୍ପପ୍ରତି ଏବଂ ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଜୀବିକାର ସୁରକ୍ଷା ପ୍ରତି କୈାଣସି ଦୃଷ୍ଠି ନଦେଇ ୩୬ଟି ନୂତନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଘୋଷଣା କରାଯାଉଛି ।
ଏହା ପଛରେ କେବଳ ଜମି ଦଲାଲି ହିଁ ମୁଖ୍ୟ ଲକ୍ଷ୍ୟ ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ନୂତନ ଶିଳ୍ପ ପ୍ରତିଷ୍ଠାକୁ କଂଗ୍ରେସ ବିରୋଧ କରୁନି, କିନ୍ତୁ ସରକାର ବେକାର ହୋଇ ଜୀବିକା ଚିନ୍ତାରେ ଘାରି ହେଉଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ଆନ୍ତରିକତା ଦେଖାଇବା ଦରକାର । ବନ୍ଦ ପଡ଼ିଥିବା ଶିଳ୍ପ କାର୍ଯ୍ୟକ୍ଷମ ପ୍ରତି ଗୁରୁତ୍ୱ ଦିଅନ୍ତୁ । ଅନ୍ୟଥା ଯଦି ଏଥିପ୍ରତି ଗୁରୁତ୍ୱ ଦିଆନଯାଏ, ତେବେ ଯୁବ କଂଗ୍ରେସ କଳିଙ୍ଗନଗରରେ ଜମିଦଲାଲି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି ।
