ବ୍ରହ୍ମପୁର, ୪।୪ -ଗଞ୍ଜାମ ଜିଲ୍ଲାରେ ବାଲି ଓ ପଥର ବ୍ୟବସାୟୀ ଭାବେ ପରିଚିତ କୃପାସିନ୍ଧୁ ମୁଦୁଲିଙ୍କ ଘରେ ଆୟକର ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଛି। ଗଞ୍ଜାମଜିଲ୍ଲାର ବିଭିନ୍ନ ଜାଗାରେ କୃପାସିନ୍ଧୁଙ୍କ ନାମରେ ବାଲି ଓ ପଥର କାରବାର ଚାଲିଛି । ସେ ଜଣେ କୋଟିପତି ବ୍ୟବସାୟୀ ଭାବେ ଜିଲ୍ଲାରେ ପରିଚିତ ଥିବା ବେଳେ ଆୟକର ଫାଙ୍କୁଥିବାଅଭିଯୋଗ ରହିଥିଲା । ସେ କେତେ ଟଙ୍କାର ବ୍ୟବସାୟ କରୁଛନ୍ତି ଏବଂ କେତେ ଟଙ୍କା ଆୟକର ଦେଉଛନ୍ତି ତାହାର ଖାନତଲାସ କରୁଛି ଆୟକର ବିଭାଗର ସ୍ବତନ୍ତ୍ର ଟିମ। ବାଲିବ୍ୟବସାୟୀ କୃପାସିନ୍ଧୁଙ୍କ ଘରେ ଓ ବିଭିନ୍ନ ଜାଗାରେ ଆୟକର ବିଭାଗ ଚଢ଼ାଉ ପରେ ଅନ୍ୟ ବ୍ୟବସାୟୀ ମାନେ ବି ଛାନିଆ ହୋଇଛନ୍ତି। ଗତକାଲି ଆୟକର ବିଭାଗ ବ୍ରହ୍ମପୁର ଲୋଚାପଡାରେ ଥିବା କୃପାସିନ୍ଧୁଙ୍କ ଘର, ଲାଞ୍ଜିପଲ୍ଲୀ ଉମାନଗରରେ ଥିବା ଅଫିସ, ଭାଟକୁମରଡ଼ା ଓ ବୁଢ଼ାଆମ୍ବରେ ଥିବା କ୍ରସରରେ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସେ କୋଟିପତିବ୍ୟବସାୟୀ ଭାବେ ପରିଚିତ ହୋଇଛନ୍ତି। ବ୍ୟବସାୟ ଆରମ୍ଭ କେମିତି ଆରମ୍ଭ କରିଥିଲେ । ସେ ବର୍ତ୍ତମାନ କେତେ କୋଟି ଟଙ୍କାର ମାଲିକ ଏବଂ ତାଙ୍କର କୋଉଠି କୋଉଠିବ୍ୟବସାୟ ଚାଲିଛି ତାହାର ଯାଞ୍ଚ କରୁଛି ଆୟକର ବିଭାଗ । ସୂଚନାଯୋଗ୍ୟ କୃପାସିନ୍ଧୁଙ୍କ ନାମରେ ପୂର୍ବରୁ ବି ଅପରାଧୂକ ମାମଲା ରହିଥିଲା। ୨୦୧୬ରେ ହିଞ୍ଜିଳି ଅଞ୍ଚଳରେ ଗୋଟିଏ କ୍ରସରକୁ ନେଇ ଗଣ୍ଡଗୋଳ ହୋଇଥିଲା । ଜୋରଜବରଦସ୍ତ କ୍ରସର ହାତେଇବା ଅଭିଯୋଗରେ କୃପାସିନ୍ଧୁଙ୍କ ନାମରେ ମାମଲା ରୁଜୁ ହୋଇଥିଲା ଏବଂ ସେ ଜେଲ୍ ଯାଇ ଜାମିନ୍ରେ ମୁକୁଳିଥିଲେ।
କୃପାସିନ୍ଧୁଙ୍କ ଘର ଛତ୍ରପୁର ବ୍ଳକ ବିରିପୁର ହୋଇଥିବା ବେଳେ କିଛି ବର୍ଷ ତଳେ ସେ ବାଲି ଓ ପଥର ବ୍ୟବସାୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଜିଲ୍ଲାରେ ସେ ଜଣେ
ବଡ଼ ବ୍ୟବସାୟୀ ଭାବେ ପରିଚିତ ହୋଇପାରିଛନ୍ତି । ବ୍ୟବସାୟ ଆରମ୍ଭ କରିବା ପରଠୁ ବର୍ତ୍ତମାନସୁଦ୍ଧା କେତୋଟି ପଥର ଓ ବାଲି ଖଣି ନେଇଛନ୍ତି। ସେଥିରୁ କେତେ ଟଙ୍କା ଆୟ
କରିଛନ୍ତି ଏବଂ କେତେ ଟଙ୍କା ଆୟକର ଦେଇଛନ୍ତି ତାହାର ହିସାବ ଚାଲିଛି। ଅନ୍ୟପକ୍ଷରେ ଚଢ଼ାଉ ସମୟରେ ଅଫିସ ଓ ଘରୁ କିଛି ଡାଏରୀ ମଧ୍ୟ ଜବତ ହୋଇଛି। ସେହି
ଡାଏରୀରେ ଅନେକ ତଥ୍ୟ ମିଳିପାରେ ଏବଂ ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ସେପଟେ କୃପାସିନ୍ଧୁଙ୍କୁ ଯୋଗାଯୋଗ କରିବା ବେଳେ ଜଣେ ସମ୍ପର୍କୀୟ ଫୋନ ଉଠାଇଥିଲେ। କୃପାସିନ୍ଧୁ ବର୍ତ୍ତମାନ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ସେ କହିଥିଲେ । ତାଙ୍କର ଏନ୍ଜିଓଗ୍ରାମ୍ ଚାଲିଥିବା ସମ୍ପର୍କୀୟ ଜଣକ ସୂଚନା ଦେଇଥିଲେ । ଆୟକର ବିଭାଗ ଅଧିକାରୀ ମାନେ ଘଟଣାକୁ ନେଇ କୌଣସି ତଥ୍ୟ ପ୍ରକାଶ କରୁନାହାନ୍ତି।