କଣିହାଁ : କଣିହାଁ ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ସୁନା ଅଳଙ୍କାର ଓ ଟଙ୍କା ଲୋଭରେ ସାବତମା’ସୁମତୀ ସାହୁ(୬୩)କୁ ଗାମୁଛା ସାହାଯ୍ୟରେ ନାବାଳକ ପୁଅ ତଣ୍ଟି ଚିପି ହତ୍ୟା କରିଥିବା ସୁମତିର ଭାଇ ପରମାନନ୍ଦ ସାହୁ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ଏକ ହତ୍ୟା ମୋକଦମା ୧୧୫/୨୦ ରୁଜୁ କରି ସାଇଟିଂଫିକ ଟିମ ମାଧ୍ୟମରେ ତଦନ୍ତ କରିବା ସହ ମଙ୍ଗଳବାର ଦିନ ଶବ ବ୍ୟବଛେଦ ପାଇଁ ତାଳଚେର ପଠାଇଛନ୍ତି । ଖବର ନେବାରେ ଜଣାଯାଇଛିଯେ, ଚିତଲପୁର ଗ୍ରାମର ମନୁ କୁମାର ସାହୁ ଜଣେ ଏମସିଏଲ କର୍ମଚାରୀ ।
ସେ କଣିହାଁ ଥାନା ସାନତ୍ରିବିଡା ଗ୍ରାମର ସୁମତି ସାହୁଙ୍କୁ ପ୍ରଥମେ ବିବାହ କରିଥିଲେ । ପିଲାଛୁଆ ନହେବାରୁ ମନୁ ୨ୟ ପତ୍ନୀ ଗ୍ରହଣ କରିଥିଲେ ଓ ତାଙ୍କର ୨ଟି ପୁତ୍ର ସନ୍ତାନ ଅଛନ୍ତି । ଉଭୟ ନାବାଳକ ଅଟନ୍ତି । ୨ୟ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ମନୁ ଏମସିଏଲ ଜଗନ୍ନାଥ କଲିୟରି କ୍ୱାର୍ଟରରେ ରହନ୍ତି । ପ୍ରଥମସ୍ତ୍ରୀ ସୁମତୀ ଏକୁଟିଆ ଚିତଲପୁର ଗ୍ରାମରେ ରୁହନ୍ତି । ଘରେ ତାଙ୍କ ସହିତ ଜଣେ ଭଡାଟିଆ ଲୋକ ମଧ୍ୟ ରୁହନ୍ତି । ସୋମବାର ରାତି ପ୍ରାୟ ୧୦ଘଟିକା ସମୟରେ ଘରେ ଭାଇ ପରମାନନ୍ଦ ଗୋପାଳପ୍ରସାଦ ଗ୍ରାମର ମଧୁସୁଦନ ସାହୁଙ୍କ ଠାରୁ ଭଉଣି ସୁମତି ସାହୁର ମୃତ୍ୟୁ ହୋଇଥିବା ଖବର ପାଇ ସେଠାରେ ପରିବାର ସହ ପହଁଚିଥିଲେ । ସେଠାରେ ଘର ଅଗଣାରେ ଭଉଣୀର ବେକରେ ଗାମୁଛା ବନ୍ଧା ଯାଇଥିବା ସହ ନାକ ଓ ପାଟିରୁ ରକ୍ତ ବାହାରି ମରି ପଡିଥିବା ଦେଖିବାକୁ ପାଇବାସହ ତାକୁ ତାର ୧୬ବର୍ଷିଆ ନାବାଳକ ପୁଅ ସୁନା ଓ ଟଙ୍କା ଲୋଭରେ ତଂଟି ଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ହତ୍ୟାକାଣ୍ଡ ଘଟାଇ ନାବାଳକ ପୁଅ ଫେରାର ହୋଇଯାଇଥିବା ଜଣାଯାଇଛି । ଉକ୍ତ ଘଟଣା ଅଂଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି ।