ନୟାଗଡ଼, (Nishikant ratha): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିସାଇ ଜିଲ୍ଲାରେ କରୋନା ପଜିଟିଭ୍ ୯୬ ହୋଇଛି । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହେବା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପ୍ରଭାବିତ ହୋଇଛି । ଏଠାକୁ ପ୍ରତିଦିନ ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମୁଖ୍ୟ ଚିକିତ୍ସାଳୟ ପରିସର ଫାଙ୍କା ଲାଗୁଛି ।
ଜିଲ୍ଲାରେ ସଂଗରୋଧ କେନ୍ଦ୍ରରୁ କରୋନା ଭୂତାଣୁ ଜନବସତି ମୁହାଁ ହୋଇଛି । ପ୍ରଥମେ ନୟାଗଡ଼ ବ୍ଲକ ଖେଡ଼ପଡ଼ା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟର ଜଣେ ନର୍ସ ଆକ୍ରାନ୍ତ ହୋଇଥିଲେ । ଦିନକ ପରେ ପୁଣି ନୟାଗଡ଼ ବାଲିକୁଦିଆ ଗାଁର ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପୁଣି କଥିତ ବ୍ଲକ ମାନପୁର ଗାଁର ଜଣେ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ଜଣେ ନର୍ସ କରୋନା ଭୂତାଣୁ ଅକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଅପରାହ୍ନ ଗୋଟାଏ ସମୟରେ ଜିଲ୍ଲାପାଳ ଡ. ଟୁଡ଼ୁ ଗଣମାଧ୍ୟମକୁ କରୋନା ଭୂତାଣୁ ସଂପର୍କିତ ତାଜା ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂକ୍ରମିତ ହାକ୍ତର ଓ ନର୍ସଙ୍କ ପରିବାର ସଦସ୍ୟ ଓ ସହଯୋଗୀ କର୍ମଚାରୀ ସମେତ ୧୧ଜଣଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ପଠାଯାଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଏପରି ସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେବଳ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀ ଆସିବାକୁ କୁହାଯାଉଛି ।
ଏଠାରେ ସଂକ୍ରମିତ ଡାକ୍ତର ଓ ନର୍ସ ଚିକିତ୍ସା କରୁଥିବା ସର୍ଜରି ୱାର୍ଡ ଓ ଶିଶୁ ରୋଗ ୱାର୍ଡକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । ଡାକ୍ତରଖାନା ପରିସରରେ ଭଲରୂପେ ବିଶୋଧନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ । ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦର ରାୟ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ଷଢ଼ଙ୍ଗୀ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଉପସ୍ଥିତଥିଲେ ।