Odisha news

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଇବା‌‌ରେ ଲାଗିଛି। ଆସନ୍ତା ୩/୪ ଦିନ ରାଜ୍ୟର ତାପମାତ୍ରା ୩ ଡିଗ୍ରି ବଢ଼ିବ

0

ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ବର ଓ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଉଭୟ ସହରର ତାପମାତ୍ରା ଆଜି ୪୧.୫ ଡିଗ୍ରିରେ ପହଞ୍ଚିଛି। ତେବେ ଆଗାମୀ ଦିନରେ ଅନେକ ସହରର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩/୪ ଦିନ ତାତିରୁ ନିସ୍ତାର ନାହିଁ। ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅବଶ୍ୟ ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ତାପମାତ୍ରା ଉପରେ କୌଣସି ପ୍ରବାହ ପକାଇବ ନାହିଁ। ଏହି ସମୟରେ ଦିନ ବେଳା ଆକାଶ ନିର୍ମଳ ରହିବା ଫଳରେ ଟାଣ ଖରା ହେବ।

ଆକଳନ ଅନୁଯାୟୀ, ଆସନ୍ତାକାଲି ଉପରବେଳା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୧୫ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଧା ଆଦି ଜିଲ୍ଲାର କିଛି ସ୍ଥା‌ନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ୧୬ତାରିଖ ଦିନ କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ୧୭ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ଓ ଘଡ଼ଘଡ଼ି ସହ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏଥିସହ କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ରାୟଗଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋ‌ଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Govt
Leave A Reply