ହିମାଂଶୁ ଶେଖର ଆଚାର୍ଯ୍ୟ : ମାର୍ଚ୍ଚ ମାସ ଶେଷ ବେଳକୁ ଆସୁଛି ଆନନ୍ଦ ଓ ଉଲ୍ଲାସର ଜମାଣିଆ ପର୍ବ ହୋଲି । କିନ୍ତୁ କରୋନା ସଂକ୍ରମଣ କାରଣରୁ ଏଥର ଏହି ରଙ୍ଗର ପର୍ବ ଫିକା ପଡିଯିବ । ଏଥର ଦୋଳ ମେଳଣ କୋଭିଡ କଟକଣାରେ ପାଳିତ ହେବ । କଟକଣା ଅନୁଯାୟୀ ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ । ପ୍ରତ୍ୟେକ ବିମାନ ସହ ବ୍ରାହ୍ମଣ ଓ ଘଣ୍ଟୁଆ ପ୍ରଭୃତିଙ୍କୁ ମିଶାଇ ସର୍ବାଧିକ ୪ରୁ୫ଜଣକୁ ରହିବାକୁ ଅନୁମତି ମିଳିବ । ଦୋଳ ବିମାନରେ ମଧ୍ୟ କଟକଣା ଲଗାଯାଇ ୧୦ଟି ବିମାନ ଆସିବାକୁ ଅନୁମତି ଦିଆଯାଇଛି । ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ ଓ ଜନଗହଳି ନକରିବାକୁ ମଧ୍ୟ କଡା ନିଦେ୍ର୍ଦଶ ଦିଆଯାଇଛି । ମେଳଣ ବେଳେ କେହି ସାଙ୍ଗରେ ଲାଠି ଆଣିପାରିବେ ନାହିଁ । କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ହୋଲି ପାଇଁ ମଧ୍ୟ ଗାଇଡ୍ ଲାଇନ ଜାରି କରାଯାଇଛି । ଏକା ସାଙ୍ଗରେ ବହୁ ସଂଖ୍ୟକ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରାଯାଇଛି । ହୋଲି ଦିନ କେହି ବି ବାହାରକୁ ନବାହାରି ନିଜ ଘରେ ହୋଲି ଖେଳିବାକୁ କୁହାଯାଇଛି । ହୋଲିରେ ନାଚ, ଗୀତ, ଡିଜେ ଆଦି ବାରଣ ହୋଇଛି ।
ପ୍ରକାଶ ଥାଉକି, ପ୍ରତି ବର୍ଷ ଆମ ଦେଶରେ ଫାଲ୍ଗୁନ ମାସ ପୂର୍ଣ୍ଣମୀକୁ ଦୋଳ ପୂର୍ଣ୍ଣମୀ ଓ ତାର ପରଦିନକୁ ରଙ୍ଗର ପର୍ବ ହୋଲି ରୂପେ ଜାକଜମକରେ ପାଳନ କରାଯାଇଥାଏ । ଗତ ବର୍ଷ ମଧ୍ୟ ହୋଲିରେ କରୋନା ଯୋଗୁଁ କଟକଣା ଜାରି କରାଯାଇଥିଲା । ମାତ୍ର ଗତ ୩ସପ୍ତାହ ଭିତରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ପାଖାପାଖି ୪୦ ହଜାରରେ ପହଞ୍ଚିଗଲାଣି । ସେହିପରି ଆମ ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିସାରିଲାଣି । ଏଭଳି ପରିସ୍ଥିତିରେ ହୋଲି ପାଳିବା ବିପଜ୍ଜନକ ହୋଇପାରେ । ତେଣୁ ବିଶେଷଜ୍ଞମାନେ ହୋଲିକୁ ଅତ୍ୟନ୍ତ ସତର୍କତାର ସହ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।
ଆସନ୍ତା ୨୯ ତାରିଖରେ ପଡୁଛି ହୋଲି । ଗତ ବର୍ଷ କରୋନା ସଂକ୍ରମଣ ସହିତ ଲକ୍ଡାଉନ ଯୋଗୁଁ ହୋଲି ଖେଳିବା ସମ୍ଭବ ହୋଇ ନଥିଲା । ତେବେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଲୋକମାନେ ଢିଲା ହୋଇଗଲେଣି । ମୁହଁରେ ମାସ୍କ ରହୁନାହିଁ କି ବଜାରରେ ସାମାଜିକ ଦୂରତ୍ୱ ଦେଖିବାକୁ ମିଳୁନାହିଁ । ତେଣୁ ହୋଲି ଖେଳିବା ଘାତକ ହୋଇପାରେ । ସେହିପରି ବରିଷ୍ଠ ଚିକିସôକ ଡାକ୍ତର ନିରଜ ମିଶ୍ର କହିଛନ୍ତି ଯେ, କିଛି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି । ହୋଲି ସମୟରେ ସୁରତ ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ଫେରିବାର ଥିବାରୁ ରାଜ୍ୟରେ ସଂକ୍ରମଣ ବଢିବା ଆଶଙ୍କାକୁ ଏଡାଇ ଦେଇହେବନାହିଁ । ହୋଲିରେ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଉଥିବାରୁ ସଂକ୍ରମଣ ବଢିବା ଆଶଙ୍କା ବି ରହିଛି । ଏହି ସମୟରେ ବହୁ ସଂଖ୍ୟକ ଲୋକ ଏକାଠି ହେଲେ ରାଜ୍ୟରେ ଦ୍ୱିତୀୟ ଲହରର ବିପଦ ଆସିବାର ସମ୍ଭାବନା ଅଧିକ । ସେ ଦୃଷ୍ଟିରୁ ଚଳିତ ବର୍ଷ ହୋଲିଠାରୁ ଯଥା ସମ୍ଭବ ଦୂରେଇ ରହିବାର ଆବଶ୍ୟକତା ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି କରୋନା କଟକଣା । ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ସେହିପରି ସାର୍ବଜନୀନ ଦୁର୍ଗା ପୂଜାକୁ ଚଳିତ ବର୍ଷ କରୋନା ମହାମାରୀ ମଧ୍ୟ ଓଲଟପାଲଟ କରିଦେଲା । ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ତୋରଣ କି ଆଲୋକ ସଜ୍ଜା ନାହିଁ । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଇଥିଲା ତାହା ପୁଣି କରୋନା କଟକଣା ଭିତରେ ।
ପାଞ୍ଚଜଣରୁ ଅଧିକ କର୍ମ କର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରିକରାଯାଇଥିଲା । ପ୍ରତି ବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱର ସହରରେ ଏଥର ଦଶହରାରେ ଥିଲା ଅସମ୍ଭବ ନିରବତା । ରାସ୍ତା ଘାଟ ଜନଶୂନ୍ୟ, ପୁଜାମଣ୍ଡପ ଖାଁ ଖାଁ ଲାଗୁଥିଲା । ବାଜା କି ମାଇକି ବାଜୁନଥିଲା ବା ଉଜ୍ଜଳ ଆଲୋକ ମାଳାରେ ତୋରଣ ଝଲସୁନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କୁମାର ପୂର୍ଣ୍ଣିମା ୩୧ ଅକ୍ଟୋବର , ଦୀପାବଳୀ ୧୪ ନଭେମ୍ବର ଉସôବ ମହାମାରୀ ଜନିତ ଦୃଢକଟକଣା ଯୋଗୁଁ ପୂର୍ବ ବର୍ଷ ମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ହୋଇପାରିଲା ନାହିଁ । ଦୀପାବଳି ପାଇଁ ବାଣ ବିକ୍ରି ଓ ବାଣ ଫୁଟା ଉପରେ କଟକଣା ରହିଥିଲା
ଧର୍ମ ମାସ ରୂପେ ପରିଚିତ କାର୍ତ୍ତିକ ମାସ । ଏହି ମାସରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ହବିଷ୍ୟାଳି ଆସି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । କିଛି ବର୍ଷ ହେଲା ସରକାରଙ୍କ ପକ୍ଷରୁ ହବିଷ୍ୟାଳିମାନଙ୍କୁ ଆତିଥ୍ୟ ପ୍ରଦାନ ଯୋଗୁଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳିଙ୍କ ସ୍ରୋତ ଛୁଟୁଥିଲା । କାର୍ତ୍ତିକ ମାସ ସାରା ପୁରୀରେ ସୃଷ୍ଟି ହେଉଥିଲା ପବିତ୍ର ଆଧ୍ୟାତ୍ମିକ ପରିବେଶ । ହବିଷ୍ୟାଳି ସମାଗମରେ ମୁଖରିତ ହୋଇ ଉଠୁଥିଲା ଶ୍ରୀକ୍ଷେତ୍ର । ହବିଷ୍ୟାଳିମାନେ ପ୍ରତ୍ୟହ ପ୍ରତୁ୍ୟଷରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ନିଜେ ଅବସ୍ଥାନ କରୁଥିବା ସ୍ଥାନ ଓ ମହୋଦଧି ତଟରେ ମୁରୁଜ ପକାଇ ବୃନ୍ଦାବତୀ ସ୍ଥାପନା କରି ରାଧାଦାମୋଦର ପୂଜା କରୁଥିଲେ । କିନ୍ତୁ କୋଭିଡ ଯୋଗୁଁ ଚଳିତ ବର୍ଷ ପୁରୀରେ ହବିଷ୍ୟାଳିମାନଙ୍କର ଭିଡ ଦେଖିବାକୁ ମିଳିନଥିଲା । ଦୀର୍ଘ ୨୬ବର୍ଷ ପରେ ଆସନ୍ତା ନଭେମ୍ବର ୨୭ରେ ପଡିଥିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ । ଏହି ବେଶକୁ ନେଇ ଦୀର୍ଘ ଦିନଧରି କଳ୍ପନାଜଳ୍ପନା ଲାଗି ରହିଥିଲା ।
କୋଭିଡ କଟକଣା ଯୋଗୁଁ ଭକ୍ତ ମାନଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ସେହିପରି କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଅନୁମତି ମିଳିନଥିଲା । ଫଳରେ ପାରାଦ୍ୱୀପ ଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଉଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଏବର୍ଷ ଫିକା ପଡିଥିଲା ।ଏପରିକି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାର ଐତିହାସିକ ଭୁବନ ବଳଦ ଯାତ୍ରା ବି ଏଥିରୁ ବାଦ୍ ପଡିନି । ସେହିପରି ଧବଳେଶ୍ୱରରେ ବି ବଡଓଷା ଉସôବ ପାଳନକୁ ଅନୁମତି ଦିଆଯାଇନଥିଲା ।
ଆମ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ । ପ୍ରତ୍ୟେକ ପର୍ବ ପାଳନ ପଛରେ କୈାଣସି ନା କୈାଣସି ଭଲ ଉଦେ୍ଦଶ୍ୟ ରହିଛି ଯାହା ଜନକଲ୍ୟାଣ ପାଇଁ ଅଭିପ୍ରେତ । ତନ୍ମଧ୍ୟରୁ ଦୋଳ ପର୍ବ ଓ ହୋଲି ସ୍ୱତନ୍ତ୍ର । ଏହି ପର୍ବ ପରସ୍ପର ମଧ୍ୟରେ ଭାଇଚାରା ଓ ସ୍ନେହ-ଶ୍ରଦ୍ଧାର ବାତାବରଣ ସୃଷ୍ଟି କରିଥାଏ । ବିଶେଷକରି ରଙ୍ଗର ପର୍ବ ହୋଲି ସବୁଠୁ ନିଆରା । ଗତ ୩ଦିନ ହେବ କଟକରେ କରୋନା ମାମଲାରେ ପୁଣି ବୃଦ୍ଧି ହୋଇଛି । କଟକରେ ମୋଟ ୨୦ଜଣ କରୋନା ପଜେଟିଭ୍ ବାହାରିଛନ୍ତି । କରୋନା ମାମଲାରେ ହଠାତ୍ ଏହି ବୃଦ୍ଧିକୁ ଆଖି ଆଗରେ ରଖି କଟକ ଡିସିପି ଚଳିତ ବର୍ଷ ଦୋଳ ଓ ହୋଲି ପର୍ବ ପାଇଁ ନୂଆ ଗାଇଡ୍ ଲାଇନ ଜାରି କରିଛନ୍ତି ।
ଅର୍ଥାତ୍ ଏଥର ଦୋଳ ମେଳଣ ଓ ହୋଲି ଖେଳ କୋଭିଡ କଟକଣା ଭିତରେ ପାଳନ କରାଯିବ । ସେହିପରି ଆମ ଦେଶରେ କରୋନାର ନୂଆ ଭାଇରସ୍ ସାର୍ସ-କୋଭ-୨ ଚିହ୍ନଟ ହେବାପରେ ପୁଣି ଏହା ଆମ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଆମ ରାଜ୍ୟରେ ମଧ୍ୟ ଅନୁରୂପଭାବେ ସାଧାରଣ ପ୍ରଶାସନ ବିଭାଗ ପୁଣି କଟକଣା କଡା କରିଛି । ନୂଆ ଗାଇଡ୍ ଲାଇନ ଅନୁଯାୟୀ ଅଫିସ୍ ପରିସର ଭିତରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ । ସେହିପରି ଅଫିସ୍ ପରିସରରେ ସବୁ କର୍ମଚାରୀଙ୍କ ମଧ୍ୟରେ ୨ମିଟର ଦୂରତା ବାଧ୍ୟତାମୂଳକ କରାଯାଇଛି ।
ଏବେ କରୋନା ନୂଆ ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି ହୋଇଛି । ସେଥିପାଇଁ କୈାଣସି ଠାରେ ଯେପରି ଜନଗହଳି ନହୁଏ ତାହା ଉପରେ କଡାନଜର ରଖିବା ପାଇଁ କୁହାଯାଇଛି । ଆଇସିଏମ୍ଆର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିସôକ ଡାକ୍ତର ତ୍ରିଭୁବନ ମହାପାତ୍ର କହିଛନ୍ତି, ହୋଲି ସମୟରେ ଲୋକମାନେ କୋଭିଡ ନିୟମ ପାଳନ ସହିତ ନିଜ ଘରେ ହୋଲି ପାଳିବା ଉଚିତ୍ । ମାସ୍କ ପିନ୍ଧିବା ସହିତ ହାତକୁ ସାନିଟାଇଜ୍ କରିବା ଲାଗି ଲୋକମାନେ ଭୁଲିବା ଉଚିତ୍ ନୁହେଁ । ଆମକୁ ମନେରଖିବାକୁ ହେବ ଯେ, ଜୀବନ ପାଇଁ ଘାତକ ସାଜିଥିବା ମହାମାରୀ କରୋନାର ବିପଦ ଏବେବି ଟଳିନାହିଁ । ସେ ଦୃଷ୍ଟିରୁ ଆମକୁ କରୋନା କଟକଣା ଭିତରେ ଦୋଳ ପର୍ବ ଓ ହୋଲି ଉସôବ ପାଳନ କରିବାକୁ ହେବ । ଏହାହିଁ ସମୟର ଆହ୍ୱାନ ।
Comments are closed.