Odisha news

ହିଞ୍ଜିଳିକାଟୁ : ସହରରେ ପଶିଲା କରୋନା, କଣ୍ଟେନମେଣ୍ଟ ଜୋନ ଘୋଷିତ

0

ହିଞ୍ଜିଳିକାଟୁ,୨୮/୬ :-ସମ୍ପ୍ରତି କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅନ୍ୟ ଜିଲ୍ଲାକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି।ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇ କରୋନା ଓ ଅନ୍ୟାନ୍ୟ ରୋଗରେ ୯ ଜଣଙ୍କ ମୁଣ୍ଡ ଗଡ଼ିଛି।ଦିନକୁ ଦିନ ନୁଆଁ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବୃଦ୍ଧି ପାଇଛି।ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ଚିହ୍ନଟଙ୍କ ମଧ୍ୟରେ ଆଶାତୀତ ଭାବେ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାପଡିଛି।ପ୍ରଶାସନିକ ସ୍ତରରେ ଏହାକୁ ପ୍ରତିହତ କରିବା ପାଇଁ ସଚେତନତା ଅଭିଯାନ ଜାରୀ ରହିଛି।କୋଭିଡ ନିୟମ ଅନୁପାଳନ ଅନୁସାରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ନାକ ଓ ପାଟିକୁ ମାସ୍କ ଦ୍ୱାରା ଆବୃତ୍ତ ରଖିବା ଓ  ହାତକୁ ସାବୁନ କିମ୍ବା ସାନିଟାଇଜର ଦ୍ୱାରା ବାରମ୍ବାର ସଫା ରଖିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।

କିନ୍ତୁ  ମାରାତ୍ମକ କରୋନା ଭୁତାଣୁର ଅସଲ ସ୍ୱରୂପ କୁ ହେୟ ମଣୁଛନ୍ତି ବହୁ ଅବଚେତନ ଓ ଅମାନିଆ।ଯାହାକି ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି।କରୋନାର ବାସ୍ତବ ସ୍ଥିତିକୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ହିଞ୍ଜିଳି ଗସ୍ତରେ ଆସି ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହ ସାମ୍ପ୍ରତିକ ସ୍ଥିତି ନେଇ ସମୀକ୍ଷା କରିଥିଲେ।ସ୍ଥାନୀୟ ପୋୖରାଞ୍ଚଳରେ ଗତକିଛି ଦିନ ପରେ  ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ପ୍ରଶାସନର ମୁଣ୍ଡବିନ୍ଧାହୋଇଛି।ବହୁ ରଣନୀତି ସତ୍ତ୍ୱେ ସହରରେ କରୋନା ତାର ଉପସ୍ଥିତି ଜାହିର କରିଛି।ପୌର ପ୍ରଶାସନ ପକ୍ଷରୁଏହାର ଦୃଢ଼ ମୁକାବିଲା  ପାଇଁ ତତ୍ପରତା ପ୍ରକାଶ ପାଇଛି।ସହରର ମୁଖ୍ୟ ପ୍ରବେଶ ପଥ ଦେଇ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଶହ ଶହ ଲୋକଙ୍କ ଯାତାୟାତ ସହ ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ଼ ଜମିବା ଓ ସାମାଜିକ ଦୂରତ୍ୱ ନ ରଖିବା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଫଳରେ ସହରରେ ନୁଆଁ ଆକ୍ରାନ୍ତ ଚିହ୍ନଟ ହେବା ଓ ସମ୍ଭାବ୍ୟ ପରିସ୍ଥିତିର ଆଗୁଆ ପଦକ୍ଷେପ ସ୍ବରୂପ ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୋୖରାଞ୍ଚକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ୫୯ନଂ ଜାତୀୟ ରାଜପଥର ବଇଞ୍ଚ ବଣିଆ ଛକ ଠାରୁ ନିୟନ୍ତ୍ରିତ ବଜାର କମିଟି ଏବଂ ୩୬ନଂ ରାଜ୍ୟ ରାଜପଥର ତାରାତାରିଣୀ ରୋଡ଼ର ହିଞ୍ଜିଳି ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଛି।ସହରର ମୁଖ୍ୟ ପ୍ରବେଶ ପଥରେ ଅବାଧ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ୧୨ ରୁ ଅଧିକ ବ୍ୟାରିକେଡ ନିର୍ମାଣ କରାଯାଇଛି। ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକତା ଅନୁଯାୟୀ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ,ବଜାର ବନ୍ଦ ରହିବ ବୋଲି  ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପ୍ରକାଶ କରିଛନ୍ତି।ପରିସ୍ଥିତି ପ୍ରତି ଦୃଷ୍ଟି ରଖି କିଛି ପଦକ୍ଷେପ ଗ୍ରହଣ କରିବା ସହ ଏହା ଆଗକୁ ବୃଦ୍ଧି ପାଇପାରେ ବୋଲି ଡଃ ସାହୁ ସୂଚନା ଦେଇଛନ୍ତି।

Leave A Reply