(ହିଞ୍ଜିଳିକାଟୁ-୦୭/ଏପ୍ରିଲ/୨୦୨୨) ସଦ୍ୟ ସମ୍ପନ୍ନ ପୌର ନିର୍ବାଚନର ଶେଷ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ହିଞ୍ଜିଳିକାଟୁ ପୌରପରିଷଦ ନିମନ୍ତେ ଆଜି ଉପାଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି। ଏକ ମାତ୍ର ପ୍ରାର୍ଥୀ ଭାବରେ ୦୬ ୱାର୍ଡ ବିଜୁ ଜନତା ଦଳର ଅପ୍ରତିଦ୍ବନ୍ଦୀ କାଉନସିଲର ସୁଚିତ୍ରା ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆନୁଷ୍ଠାନିକ ଭାବରେ ସେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଅନ୍ୟ କୌଣସି କାଉନସିଲର ଉପାଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିନଥିଲେ। ତେଣୁ ସେ ନିର୍ଦ୍ୱନ୍ଦରେ ହିଞ୍ଜିଳିକାଟୁ ପୌରପରିଷଦର ଉପାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ନିର୍ବାଚିତ ହେବା ପରେ ତାଙ୍କୁ ପୌରପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୂଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।