ହିଂଜିଳିକାଟୁ ତା ୧୪/୯/୨୦- ଏନ ଏନ ଏସ: କେତେବେଳେ ମହାବାତ୍ୟା ତ କେତେବେଳେ ବନ୍ୟା ଓ ଆଉ କେତେବେଳେ ଅନାବୃଷ୍ଟି ଚାଷିକୂଳକୁ ଦୁର୍ଦ୍ଧଶାଗ୍ରସ୍ତ କରୁଥିବା ଏକ ସାଧାରଣ ଘଟଣା ।
କିନ୍ତୁ ଏବେ ବର୍ଷାଭାବ ସାଙ୍ଗକୁ ସାରର ଘୋର ଅଭାବ ହିଂଜିଳି ଚାଷିକୂଳ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରାୟ ଦୁଇମାସ ହେଲା ହିଂଜିଳି ରେ ସାରର ଅଭାବ ଦେଖାଦେଇଥିବା ଜଣାଯାଇଛି । ଏ ନେଇ ବ୍ଲକ ଠାରୁ ଜ଼ୀଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ ।
ଏ ସମ୍ପର୍କରେ ହିଂଜିଳି ବ୍ଲକର କୃଷି ଅଧିକାରୀ ବସନ୍ତ କୁମାର ନାଥ ସ୍ୱଷ୍ଟ କରିଛନ୍ତି ଯେ ବର୍ତମାନ ପ୍ରକୃତରେ ସାର ଯୋଗାଣରେ ସମସ୍ୟା ରହିଛି । ତେବେ ଜ଼ୀଲ୍ଲା କୁ ଯେତିକି ସାର ଆସୁଛି ଜ଼ୀଲ୍ଲା ପ୍ରଶାସନ ତରଫରୁ ପ୍ରତି ବ୍ଲକକୁ ବାଣ୍ଟି କୁଂଟି ଯୋଗାଣ କରାଯାଉଛି ।
ଗତ ସପ୍ତାହରେ ହିଂଜିଳି ବ୍ଲକକୁ ୧୫୦ ଟନ ସାର ଆସି ତାର ସୁଷମ ବଣ୍ଟନ କରାଯାଇଥିବା ସେ କହିଛନ୍ତି । ପୁଣି ଆଗାମୀ ଦୁଇ/ଚାରି ଦିନ ପରେ ଆଗାମୀ କୋଟାରେ ପୁଣି ସାର ଆସିଯିବ ଓ ଅଭାବ ରହିବନାହିଁ ବୋଲି ସେ କହିଛନ୍ତି। ତେବେ ଗତ ସପ୍ତାହରେ ଆସିଥିବା ସାରର ସିଂହ ଭାଗ କିଛି ପ୍ରଭାବଶାଳୀ ବ୍ୟକ୍ତି ହତେଇ ନେଇଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସମ୍ପର୍କରେ ହିଂଜିଳି ବିଡିଓ ଙ୍କୁ ପଚାରିବାରୁ ସେ ସାର ଯୋଗାଣରେ କୌଣସି ଅନିୟମିତତା ହୋଇନଥିବା କହିଥିଲେ ।
ବିଭିନ୍ନ ପଞ୍ଚାୟତ ସେକ୍ରେଟାରୀଙ୍କ ଡ଼ିମାଣ୍ଡ ଇଂଡ଼େକ୍ସ ଅନୁଯାୟୀ ସାର ଯୋଗାଣ ପାଇଁ ଜ଼ୀଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ସମସ୍ୟା ସମ୍ପର୍କରେ ବ୍ଲକ ବେଶ ଅବଗତ ଅଛି। ଖୁବ ଶୀଘ୍ର ସମସ୍ୟା ର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ତେଣୁ ଦୁଇ ଚାରି ଦିନ ଧୌର୍ଯ୍ୟର ସହ ଅପେକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।