ଫୁଲନଖରା : ବିପୁଳ ପରିମାଣର ଚୋରା ଦାନ୍ତଘଷା ପେଷ୍ଟ ରଖିବା ଅଭିଯୋଗରେ ସଦର ଥାନା ପୋଲିସ ଜଣକୁ ଗିରଫ କରିଛି; ସେ ହେଲେ ସଦର ଥାନା ନୂଆକାଚରାମାଳ ଗ୍ରାମର ମୁନା ଓରଫ ଆଦିତ୍ୟ ପଟ୍ଟନାୟକ (୩୫) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାଜସ୍ଥାନରୁ ଏକ କୋଲଗେଟ ପେଷ୍ଟ ବୋଝେଇ ଟ୍ରକ ପାହାଳସ୍ଥିତ ଗୋଦାମକୁ ଆସୁଥିଲା ।
ମାତ୍ର ଲକଡ଼ାଉନଯୋଗୁଁ ତାହା ନିର୍ଦ୍ଧାରିତ ସମୟରେ ଅନଲୋଡ଼ ହୋଇପାରିନଥିଲା । ଏହାର ସୁଯୋଗରେ ଉକ୍ତ ଟ୍ରକ ଡ୍ରାଇଭର ଅନୁଗୁଳ ଜିଲା ଆଠମଲିକ ଅଞ୍ଚଳର କେଶବଚନ୍ଦ୍ର ନାୟକ ମୁନାକୁ ୧୮୪ ପେଟି ପେଷ୍ଟ ବିକ୍ରି କରିଦେଇ ଫୁଲନଖରା ଓଭରବ୍ରିଜ ତଳେ ଟ୍ରକକୁ ଛାଡ଼ି ପଳାଇଥିଲା ।
ଏ ନେଇ ସମ୍ପୃକ୍ତ ଟ୍ରାନ୍ସପୋର୍ଟ କମ୍ପାନି ମ୍ୟାନେଜର ଅଶୋକ ବେହେରା ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ମୁନାକୁ ଗିରଫ କରିଛି । ତା’ ଠାରୁ ୬୪ ପେଟି ପେଷ୍ଟ ଓ ୨ଲକ୍ଷ ୫୧ ହଜାର ଟଙ୍କା ଉଦ୍ଧାର ହୋଇଛି । ଟ୍ରକରୁ ଚୋରି ହୋଇଥିବା ପେଷ୍ଟର ମୂଲ୍ୟ ଅନୁ୍ୟନ ୪ଲକ୍ଷ ଟଙ୍କା ହେବବୋଲି ପୋଲିସ କହିଛି । ସୋମବାର ଅଭିଯୁକ୍ତ ମୁନାକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା କହିଛନ୍ତି ।