Odisha news

ବଡ ହେଲେ କଣ ହେବ?

0
ଯାଜ୍ଞସେନୀ ସାହୁ  : ଅନୁଭୂତିଟା ମୋ ସହ ଆହୁରି ବହୁତ ଜଣଙ୍କ ସହ ମେଳ ଖାଇବ ନିଶ୍ଚୟ ।ବିଷୟବସ୍ତୁଟି ଭାରି ଗମ୍ଭୀର ।ସମୟକୁ ପଛକୁ କରି ପିଲାଦିନକୁ ଯାଉଛି ।ବିଦ୍ୟାଳୟରେ ଯେଉଁ ଶ୍ରେଣୀ ପାଠ୍ୟକ୍ରମରେ ରଚନା ଲିଖନ ଆସେ।ଗୁରୁମା ଗୁରୁଜୀ ପ୍ରଥମେ “ବଡ ହେଲେ କଣ ହେବ ?” , “ମୋ ଭବିଷ୍ୟତ ଲକ୍ଷ୍ୟ କଣ ?” ପ୍ରସଙ୍ଗଟି ଦିଅନ୍ତି ।ପିଲାମନ ସେତେବେଳେ ଭଲମନ୍ଦର ବିଚାର କମ୍ । ଅପରିପକ୍ୱ ବୟସରେ ଯିଏ ଯାହା ପାଏ ସେଇଆ ଲେଖେ ।ମୋ କ୍ଷେତ୍ରରେ ବି ସେଇଆ ହେଇଥିଲା ।ଅଭିଜ୍ଞତାର ଅଭାବକୁ ଘରର ଗୁରୁଜନଙ୍କ ସହ ଆସକ୍ତ, ନିର୍ଭରଶୀଳ ।
ବାପା ଦାଦାଙ୍କୁ ଦେଖି ଶିକ୍ଷାଦାନ ମୋ ଭବିଷ୍ୟତ ବୋଲି ଧରିନେଲି ।ଆଉ ମୋର ବାରମ୍ବାର ଏହି ଉତ୍ତର ମୋତେ ଅଜାଣତରେ ଠେଲି ଦେଇଥିଲା  ସତସତିକା ଲକ୍ଷ୍ୟପଥରେ ।ମନ ବଳେଇନେଲି ଶିକ୍ଷକତା ଆଡକୁ।ଧାରଣ କରିନେଲି ଏକ ଶିକ୍ଷକର ବ୍ୟକ୍ତିତ୍ୱକୁ।ଭବିଷ୍ୟତର ସେହି ଭୂମିକା ତୁଲାଇବା ପାଇଁ ବନ୍ଦ କଠୋରୀରେ କରିଚାଲିଲି ଏକକ ଅଭିନୟ ।ଦୁର୍ନିତୀଗ୍ରସ୍ଥ ଦୁନିଆରେ ଚାକିରୀ ଟିଏ ପାଇଁ ଏତେଟା ସମର୍ପଣ ଥିଲା ଅସାଧାରଣ।କିନ୍ତୁ ମୁଁ ସାଧାରଣ ରୂପେ ପଢାପଢି ଜାରି ରଖିଲି ।
ଗୋଟିଏ ପରେ ଗୋଟିଏ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ୍ କଲି।ଗୁରୁଜନଙ୍କ ଉପଦେଶ ଓ କଳାବିଭାଗ ପ୍ରତି ସମାଜର କୁଭାବନା ମୋତେ ଟାଣିନେଲା ବିଜ୍ଞାନ ଚୟନ କରିବାକୁ ।କଷ୍ଟସାଧ୍ୟ ଥିଲା ତଥାପି ପଢାପଢି କରି ସେଥିରେ ବି ବାଜି ମାରିନେଲି ଫାଷ୍ଟକ୍ଳାସ୍ ରେ ।ସ୍ନାତକ ଓ ସ୍ନାତକୋତ୍ତର ପରେ ମୋ ପାଖରେ ଠୁଳ ହୋଇଗଲା କୁଢ କୁଢ ସାର୍ଟିଫିକେଟ୍।ଫାଇଲ୍ ଗର୍ଭରେ ସାଇତି ଛାତି ପିଟି କହିପାରୁଥିଲି ମୋ କ୍ୟାରିୟର ଫାଷ୍ଚକ୍ଳାସ୍ ।ପଡୋଶୀକୁ କହି ଗର୍ବ ସାଉଁଟୁଥିଲା ମୋ ପରିବାର।
ସାମାଜିକ ରାଜନୈତିକ ପରିସ୍ଥିତିରୁ ଅନଭିଜ୍ଞ ଥିଲେ ବି ଆତ୍ମବିଶ୍ବାସ ପ୍ରବଳ ରହିଥିଲା।କିନ୍ତୁ ପ୍ରକୃତ ପରିଶ୍ରମଟା ଏଯାଏଁ ଆରମ୍ଭ ହୋଇ ନଥିଲା। ଶିକ୍ଷକ ବୃତ୍ତି ପାଇଁ ଉଦ୍ୟତ ଅନେକ ସାଙ୍ଗସାଥୀ ଓ ସିନିୟରଙ୍କ ଠାରୁ ଜାଣିବାକୁ ପାଇଲି ଯେ ବର୍ଷକୁ ବର୍ଷ ଚାକିରୀ ପାଇଁ ଶିକ୍ଷାଗତ ଯୋଗ୍ୟତା ବଢି ଚାଲିଛି। ସତକୁ ସତ ଯେତିକି ପାହାଚ ଅତିକ୍ରମ କରୁଥାଏ, ଶିକ୍ଷା ବିଭାଗରେ ଶିକ୍ଷକ ଚୟନ ପାଇଁ ଯୋଗ୍ୟତାର ଚାହିଦା କ୍ରମେ ବଢି ଚାଲୁଥାଏ। ଯେତେଥର ଭାବିଲି ଏଥର ମୁଁ ସମ୍ପୂର୍ଣ ରୂପେ ଚାକିରୀ ପାଇଁ ଯୋଗ୍ୟ, ସେତେଥର ସରକାରଙ୍କ ଶିକ୍ଷାନୀତି ପରିବର୍ତ୍ତିତ ହୋଇଚାଲିଲା।
କେନ୍ଦ୍ର ସରକାର ଓ ଓଡିଶା ସରକାର ଦ୍ୱାରା ପରିଚାଳିତ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେଇ ଦେଇ କେଇ ବର୍ଷ ଗଲା।କେବଳ କଣ ସେତିକି ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ରୋଜଗାର ପଞ୍ଜିକରଣ ପ୍ରମାଣପତ୍ର ଆଦି ପାଇଁ ଏଇ ଅଫିସ୍ ରୁ ସେଇ ଅଫିସ୍ ଧାଇଁ ଧାଇଁ  ନାକେଦମ୍।ବୋଝ ଉପରେ ନଳିତା ବିଡା ପରି ପୁଣି ସାମାଜିକ ପାରିବାରିକ ଅପନିନ୍ଦା। ବେକାରୀ ଯୁବକ/ଯୁବତୀ ତ ପଡୋଶୀ ଓ ସଂପର୍କୀୟଙ୍କ ଆକର୍ଷଣର ମୁଖ୍ୟକେନ୍ଦ୍ର।ଚାକିରୀ ବୟସସୀମା ଯେତେ କମିଚାଲୁଥାଏ ସାଂସାରିକ ଦାୟିତ୍ୱ ପାଇଁ ସେତେ ଚାପ ବଢିଚାଲେ।ମଣିଷ କରିବ କ’ଣ ?ଚାକିରୀ ଅବସର ବୟସ ସୀମାଟା ଅଠାବନରୁ ଷାଠିଏ ହେବା ପରଠୁ ନିଯୁକ୍ତି ବିଜ୍ଞାପନଟା  ଦେଖିବା ସାତ ସପନ ହେଇଗଲା।ଯାହା ଟିକେ ଆଶା ଆକାଂକ୍ଷା ଥିଲା କରୋନା ମାଡରେ ତାହା ବି ମଉଳିଗଲା।ଏବେ ପୁଣି ଦୁଇ ବର୍ଷ ଯାଏଁ ସରକାରୀ ନିଯୁକ୍ତି ବନ୍ଦ।
ଅନୁସନ୍ଧାନରୁ ଜଣାଯାଏ ଯେ ରାଜ୍ୟରେ  ଶିକ୍ଷା ବିଭାଗର ଲକ୍ଷେ ଲକ୍ଷେ ପ୍ରାର୍ଥୀ ଚାରି ପାଞ୍ଚ ବର୍ଷରୁ ବେକାର ହୋଇ ରହିଛନ୍ତି ।ଶିକ୍ଷାଦାନ ମନୋଭାବ ସଞ୍ଚରଣ କରିବା ଛୋଟ କଥାଟିଏ ନୁହେଁ ।କିନ୍ତୁ ଏହି ସମ୍ମାନସ୍ପଦ ଭୂମିକା ତୁଲାଇବା ପାଇଁ ଯେ ଏତେ କସରତ କରିବାକୁ ପଡୁଛି ଅକଳନୀୟ।ସ୍ଥାୟୀ ପଦବୀ ବଦଳରେ ପୂରଣ କରାଯାଉଛି ଅସ୍ଥାୟୀ (କନଟ୍ରାକ୍ଚୁଆଲ୍) ପଦବୀ ଯାହାର ଭବିଷ୍ୟତର କୌଣସି ଠଳକୁଳ ନାହିଁ। ବେସରକାରୀ ସଂସ୍ଥାନର ବି ଅବସ୍ଥା ବିଶେଷ କିଛି ସ୍ୱଚ୍ଛ ନୁହଁ।ତା ଛଡା ଭିତିରିଆ ଲାଞ୍ଚ ଦେଇ ବହୁ ମିଥ୍ୟା ସାର୍ଟିଫିକେଟ୍ ଧାରୀ ଲୋକ ନିଯୁକ୍ତିପ୍ରାପ୍ତ ହେବା ଆଶ୍ଚର୍ଯ୍ୟଜନକ।ଏହି ସରକାରଙ୍କ ଅପାରଗତାରୁ ଆଜି ଅନେକ ଆଶାୟୀ ମାନସିକ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ।
ଗତ କିଛି ବର୍ଷ ହେଲା ଅସଫଳ ଶିକ୍ଷାନୀତି ଯୋଗୁଁ  ଦୁଇ ତିନୋଟି ଯୁବ ଆତ୍ମହତ୍ୟା ଖବରକୁ ଆସିଛି।ସେପଟେ ଆମେ ଶିକ୍ଷାସ୍ତରରେ ଉନ୍ନତି ଚାହୁଁ,ଶିକ୍ଷାର ଗୁଣାତ୍ମକ ମାନ ବିଷୟରେ ଆଲୋଚନା କରୁ।ଏଣେ ଶିକ୍ଷକ ନିଯୁକ୍ତି ପରିସଂଖ୍ୟାନ ମାନ୍ଦାବସ୍ଥା ଦେଇ ଗତି କରୁଛି।ରାଜରାସ୍ତାରେ ବିରୋଧକଲେ, ଆନ୍ଦୋଳନର ଧାରଣାକୁ ପ୍ରତିଶ୍ରୁତି ଦେଇ ଟାଳି ଦିଆଯାଉଛି। ଛାତ୍ର ରାଜନୀତି କହି ଦେଶଦ୍ରୋହୀର ଆଖ୍ୟା ଦେବା ସହ ଲାଠି ପ୍ରହାର ପନ୍ଥାକୁ ଆପଣା ଯାଉଛି ଅଥବା ଏଣୁତେଣୁ ମକଦ୍ଦମା ବାହାନାରେ ପୋଲିସ୍ ବାନ୍ଧିନେଉଛି।
ଏମିତି ବି ନୁହଁ ଏ ବେରୋଜଗାର କେବଳ ଶିକ୍ଷକତା ଦିଗରେ ଦେଖାଦିଏ।ଦେଶରେ ଏସ୍. ଏସ୍.ସି, ବ୍ୟାଙ୍କିଙ୍ଗ୍, ରେଲୱେ ଆଦି ସବୁ ବିଭାଗ ଆଶାୟୀଙ୍କ ମନୋବଳ ଅଧୋଗାମୀ ହୋଇଆସୁଛି। ୨୦୧୨ ରୁ ୨୦୧୯ ଯାଏଁ କ୍ରମାଗତ ନିରୀକ୍ଷଣ କଲେ, ନିଯୁକ୍ତି ସଂଖ୍ୟା ଅଧା ହେଇ ଆସୁଥିବା ବେଳେ ପରୀକ୍ଷା ଉତ୍ତୀର୍ଣ୍ଣ ସମୟ ଦୁଇଗୁଣ ହୋଇଯାଇଛି।ବର୍ଷ ବର୍ଷ ଧରି ପିଲାଏ ମୁଣ୍ଡପିଛା ପାଞ୍ଚଶହ ଠାରୁ ହଜାର ଟଙ୍କା ଦେଇ ଆବେଦନ କରୁଛନ୍ତି।ପରେ ପରେ ପରୀକ୍ଷା କେନ୍ଦ୍ର, ପରୀକ୍ଷା ତାରିଖ, ପ୍ରଶ୍ନପତ୍ର ଲିକ, ପରୀକ୍ଷା ଫଳ ସବୁଥିରେ ଅନିଶ୍ଚିତତା ଓ ଅନିୟମିତତା ପରିଲକ୍ଷିତ ହେଉଛି।ସଂଯୋଗବଶତଃ, ପାସ କରିବା ପରେ ବି ନିଯୁକ୍ତି ପାଇଁ ପୁଣି ଅପେକ୍ଷା ହିଁ ଅପେକ୍ଷା । ନା ପରୀକ୍ଷା ଧାରାରେ ନା ନିଯୁକ୍ତି ଧାରାରେ କୌଣସିଟି ଆୟୋଗରେ ମଧ୍ୟ ନିର୍ଦ୍ଦିଷ୍ଟ ସଂରଚିତ ସଠିକ୍ ପ୍ରକ୍ରିୟା ଦୃଶ୍ୟମାନ ହେଉନାହିଁ।
ଆତ୍ମନିର୍ଭରତାକୁ ଏତେ ଜୋର୍ ଦେଉଥିବା ସରକାର ଉପରେ ଆଜି ଯୁବଗୋଷ୍ଠୀ ନିର୍ଭର କରିପାରୁନାହାଁନ୍ତି । ରାଜ୍ୟରେ ଅନେକ କାଳିଆ ବଳିଆ ଯୋଜନା ଦେଇ ଅନାଧିକାରୀଙ୍କ ଖାତାରେ ଟଙ୍କା ଜମାଇ ଦିଆ ଯାଉଛି, ଦେଶରେ ଧର୍ମସ୍ଥଳୀ ଓ ସିନେତାରକାଙ୍କ ଖବର ହଇଚଇ ହେଉଛି , କିନ୍ତୁ ଯୁବପୀଢ଼ିଙ୍କ ଅସୁବିଧାକୁ ତଳସ୍ତରରୁ ଆଧାର କରି ସମୀକ୍ଷା କରାଯାଉନାହିଁ।ଫଳରେ ସରକାରଙ୍କ ସମସ୍ତ ନୀତି ପାଖଣ୍ଡତାରେ ଭରପୁର ବୋଲି ଯୁବମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।ଭବିଷ୍ୟ ନାଗରିକ ବୋଲାଉଥିବା ପୀଢ଼ି ଉତକ୍ଷିପ୍ତ  ହୋଇଉଠିଛନ୍ତି। ମୋବାଇଲ ଖୋଲିବା ମାତ୍ରେ ଫେସବୁକ୍, ଟ୍ୱିଟର୍, ୟୁଟୁବ୍ ରେ ବିରୋଧାତ୍ମକ କ୍ରାନ୍ତିକାରୀ ଆନ୍ଦୋଳନ ସହ ସମାଲୋଚକ ମନ୍ତବ୍ୟ ଛୁଟି ଆସୁଛି।ସରକାରୀ ବ୍ୟବସ୍ଥା ଉପରେ ଗଣପାଧ୍ୟମରେ ଚାଲିଛି ଏକପ୍ରକାର ସତ୍ୟାଗ୍ରହ।ନିଜ ଅଧିକାର ଏକ ଭିକ୍ଷା ନୁହେଁ ବୋଲି, ଚେଇଁ ଉଠିଛି ଯୁବସମାଜ।ଯେଉଁ ପ୍ରୟାସ ଉତ୍ତରପୀଢ଼ି ପାଇଁ ଲାଭଦାୟକ।
ତେବେ ମୋ ବିଷୟବସ୍ତୁ ଟି ଏହା ଯେ, କମ୍ପୁଟର ଟେକ୍ନୋଲୋଜି ଯୁଗରେ ପିଲାଟିଏ ଶିକ୍ଷକତା ପରି ବିଷୟ ଚୟନ କଲେ ସମାଜକୁ ଏହା ସାଧାରଣ ମନେହେବା ସହ ତାହାର ମୂଲ୍ୟବୋଧର ଅଣଦେଖା ହୁଏ। ଆମେ ସମସ୍ତେ କହୁ “ଗୁରୁଙ୍କୁ ନ ମଣିବ ନର” କିନ୍ତୁ ସେଇ ଗୁରୁ ପଦବୀକୁ ସଠିକ୍ ରୂପ ଦେଇନପାରିବାର କାରଣ ହିଁ ଏଇ ବ୍ୟବସ୍ଥା ପ୍ରଣାଳୀ।
ଏବେ ଭାବୁଛି “ବଡ ହେଲେ କଣ ହେବି” ପ୍ରବନ୍ଧକୁ ମାନସପଟରେ ଜୋର ଜବରଦସ୍ତ ବସେଇ ଏତେଟା ପ୍ରାଥମିକତା ନଦେଇ ଭବିଷ୍ୟତର ପ୍ରତିଟି ପରିସ୍ଥିତି ଯଥା ଚାକିରୀ ଅବା ବ୍ୟବସାୟ ଅବା ଅନ୍ୟାନ୍ୟ ସମାଜ ସେବା ପାଇଁ ପ୍ରସ୍ତୁତ ହେବା ଯୁବସମାଜ ପାଇଁ ହିତକର। ଶେଷରେ ମଜକଥାଟି ଏଇଆ ଯେ, ଯେଉଁ ସହପାଠୀ ମାନେ ଛୋଟବେଳେ ବଡ ହେଲେ ବାହା ହେବି କହି ସମସ୍ତଙ୍କ ପରିହାସର ଶିକାର ହୋଇଥିଲେ ସେମାନେ ବାହା ହେଇ ସୁଖରେ ସଂସାର କଲେଣି।

Leave A Reply