ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଛେନାପଦି ଛକ ମାର୍କେଟକୁ ଆଜି ପ୍ରଶାସନ ପକ୍ଷରୁ ୬ଦିନିନିଆ ସର୍ଟଡାଉନ ଘୋଷଣା କରାଯାଇଛି । ଉପଜିଲ୍ଲାପାଳଙ୍କ ଚିଠିନଂ ୫୧/ତା ୩/୮/୨୦୨୦ରେ ଏହି ଘୋଷଣାନାମା ଜାରି କରାଯାଇଛି । ଏହା ଆସନ୍ତା ୪ତାରିଖ ସକାଳ ୫ଟାଠାରୁ ୯ତାରିଖ ମଧ୍ୟରାତ୍ର ଯାଏ ଲାଗୁ ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ପେଟ୍ରୋଲ ପମ୍ପ, ଔଷଧ ଦୋକାନ, କ୍ଲିନିକ ଗୁଡିକ ଖୋଲା ରହିବ ।
ମାର୍କେଟରେ ଥିବା ବ୍ୟାଙ୍କ ବନ୍ଦ ରହିବା ସହିତ କେବଳ ଏ.ଟି.ଏମ ଗୁଡିକ ଖୋଲାରହିବ ବୋଲି ନିଦେ୍ର୍ଦଶ ଦିଆଯାଇଛି । ସେହିପରି ତେଜରାତି ଦୋକାନ, କ୍ଷୀର ଦୋକାନ ଓ ପନିପରିବା ଦୋକାନ ଗୁଡିକ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ମାର୍କେଟରେ ଅଧିକ ଗହଳି ଲାଗି ରହୁଥିବାରୁ ଏପରି ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । କିନ୍ତୁ ଏହାକୁନେଇ ବ୍ୟବସାୟୀ ମାନେ ଚିନ୍ତାରେ ପଡିଯାଇଛନ୍ତି । ଏଠାରେ କୌଣସି ପଜେଟିଭ କେସ ବାହାରି ନଥିବାବେଳେ ଆଖ ପାଖ ପଞ୍ଚାୟତରେ ମଧ୍ୟ ସେପରି କିଛି କରୋନା ସଂକ୍ରମଣ ଘଟଣା ନଜରକୁ ଆସିନାହିଁ ।
ଅନ୍ୟପକ୍ଷରେ ପ୍ରତି ଶନିବାର ଓ ରବିବାର କେନ୍ଦୁଝର ଜିଲ୍ଲା ସର୍ଟଡାଉନ ଯୋଗୁଁ ମାର୍କେଟ ସମ୍ପୁର୍ଣ୍ଣ ବନ୍ଦ ରହୁଥିବା ବେଳେ ପୁନର୍ବାର ସର୍ଟଡାଉନ ଘୋଷଣା ଦ୍ୱାରା ଛୋଟ ଛୋଟ ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏହି ବଜାରେ ତିନିଶହରୁ ଉର୍ଦ୍ଧ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ସର୍ଟଡାଉନ ଓ ଲଗଡାଉନ ଦ୍ୱାରା ସେମାନଙ୍କ ବେପାର ଏକ ପ୍ରକାର ଠପ ହୋଇଯାଇଥିବାବେଳେ ପୁନର୍ବାର ୬ଦିନିଆ ସର୍ଟଡାଉନ ବୋଝ ଉପେ ନଳିତାବିଡା ସଦୃଶ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ମାର୍କେଟଟି କେବଳ ପନିପରିବା ପାଇଁ ଗହଳି ହେଉଥିବାବେଳେ ପନିପରିବା ବ୍ୟବସାୟ ଯଦି ଖୋଲା ରହିବ ତେବେ ସର୍ଟଡାଉନ ଦ୍ୱାରା କି ଲାଭ ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେମାନଙ୍କ ମତରେ- ସର୍ଟଡାଉନ ଲଗଡାଉନ ଭିତରେ ପୁର୍ବଭଳି ଆଉ ବେପାର ଚାଲୁନି । ଯାହାବି ଟିକେ ଟିକେ ଚାଲି ଆସୁଥିଲା କିନ୍ତୁ ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ବନ୍ଦ ପରେ ପୁନର୍ବାର ଆସନ୍ତା କାଲିଠାରୁ ସର୍ଟଡାଉନ ଲାଗୁ କରାଯାଉଛି । ତେଣୁ ବ୍ୟବସାୟ ଆଉ କଣ ଚାଲିବ । ପିଲାମାନଙ୍କୁ ଦରମା ମଧ୍ୟ ଦେଇ ହେଉନି ।
ଚକ୍ରଧର ସାହୁ, ବ୍ୟବସାୟୀ
ଫଳ ଦୋକାନ କରି ଗୋଟିଏ ପରିବାର ଚଳାଉଥିଲୁ । ପୁର୍ବଭଳି ଏବେ ଆଉ ବେପାର ଚାଲୁନି । ଶୁକ୍ରବାର ଯାହାବି ଫଳ ଆଣିଥିଲୁ ତାହା ଶନିବାର ଓ ରବିବାର ସର୍ଟଡାଉନ ଯୋଗୁଁ ନଷ୍ଟ ହେଲା । ଆଜି ରାକ୍ଷୀପୁର୍ଣ୍ଣିମା ପାଇଁ କିଛି ମଗାଇଥିଲୁ ଯେ ପୁନର୍ବାର କାଲିଠାରୁ ସର୍ଟଡାଉନ । ତେଣୁ ତାହାବି ସବୁ ପଚି ନଷ୍ଟ ହେବ । କଣ ଆଉ ବେପାର କରି ପରିବାର ଚଳାଇବୁ ।
ନବଘନ ପଢ଼ିଆରୀ, ଫଳ ବ୍ୟବସାୟୀ
ଛେନାପଦିଛକ ଉପରେ ଏ ଅଞ୍ଚଳର ଲୋକମାନେ ନିର୍ଭରଶୀଳ । ରାତି ପାହିଲେ ଗାଁ ଗଣ୍ଡାରୁ ଲୋକମାନେ ଛୁଟି ଆସନ୍ତି କିଏ ପରିବା ନେବ ତ ଆଉ କିଏ ମାଛ ମାସଂ ତ ଆଉ କିଏ ସଉଦାପତ୍ର । ଯାହାଦ୍ୱାରାକି ଜନଗହଳି ହୋଇଥାଏ । ଏବେ କରୋନା ମହାମାରୀ ଯେପରି ସଂକ୍ରମିତ ହେଉଛି ତାହାର ମୁକାବିଲା ପାଇଁ ପ୍ରଶାସନର ଏହି ନିଷ୍ପତିକୁ ସ୍ୱାଗତ କରୁଛୁ । କିନ୍ତୁ ଏହା ଦ୍ୱାରା ଛୋଟ ଛୋଟ ବ୍ୟବସାୟୀମାନେ ନିଶ୍ଚିତ କ୍ଷତି ସହିବେ ।