Odisha news

ବେଆଇନି ବାଲି ଉତ୍ତୋଳନକୁ କେନ୍ଦ୍ରକରି ସମଣାରେ ଉତ୍ତେଜନା, ବେକରେ ଖଣ୍ଡା, ଭୁଜାଲି ଲଗାଇ ଛଡାଇନେଲେ ବାଲିଗାଡି

0

ହାଟଡିହି  : କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକରେ ଏବେ ଏବେ ବେଆଇନି ବାଲି ଉତ୍ତୋଳନ ବଢ଼ିଚାଲିଛି । ଶହଶହ ବାଲିମାଫିଆ ଏବେ ବୈତରଣୀ କୁଳେ କୁଳେ ତାଙ୍କର ବେପାର ବଢ଼ାି ଚାଲିଛନ୍ତି । ଯିଏ ଯେଉଁଠି ପାରିଲା ତାଡିଲା । ଆକଟ କରିବାକୁ କେହି ନାହିଁ । ତେଣୁ ବାଲି ମାଫିଆମାନେ ଖୁଲାମଖୁଲା ବାଲି ଉତ୍ତୋଳନ ଓ ବାଲି ଚାଲାଣ କରିବାରେ ସକ୍ରୀୟ ହୋଇପଡିଛନ୍ତି । ଆଜି ସମଣା ଗ୍ରାମରେ ବାଲି ଉତ୍ତୋଳନ ଓ ପରିବହନକୁ ବନ୍ଦ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସମଣା ବାଲିଘାଟରୁ ବେ ଆଇନି ଭାବେ ଗତ କିଛିଦିନ ହେଲା ଦିନରାତି ବାଲି ଉତ୍ତୋଳନ ଓ ପରିବହନ ହୋଇ ଆସୁଛି ।

ଅନେକ ବାଲି ମାଫିଆ ଦୈନିକ ଶହଶହ ଟ୍ରାକ୍ଟର ବାଲି ଉତ୍ତୋଳନ କରି ବିଭିନ୍ନ ଛକରେ ଗଚ୍ଛିତ କରିବା ସହିତ ତାକୁ ବାହାରକୁ ଚାଲାଣ କରୁଛନ୍ତି । ଏନେଇ ଗ୍ରାମର କିଛି ବ୍ୟକ୍ତି ତହସିଲଦାର ଓ ଆର.ଆଇଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଗ୍ରାମର କିଛି ଯୁବକ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଜୋରଜବରଦସ୍ତ ଅଟକାଇ ପୁଲିସକୁ ସୁଚନା ଦେଇଥିଲେ । କୌଣସି ବାଲି ବୋଝେଇ ଟ୍ରାକ୍ଟରକୁ ନଛାଡିବାଲାଗି ଗାଁ ଲୋକେ ନିଷ୍ପତି ନେଇଥିଲେ । ଏହାର କିଛି ସମୟପରେ କିଛି ବାଲି ମାଫିଆ ସେଠାରେ ପହଞ୍ଚି ଗାଡିକୁ ଅଟକ ରଖିଥିବା ଗ୍ରାମବାସୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ଖଣ୍ଡା ଓ ଭୁଜାଲି ଧରି ସମସ୍ତଙ୍କୁ ଗୋଡାଇଥିଲେ ।

ଜୀବନ ଭୟରେ ଗ୍ରାମବାସୀମାନେ ଛତ୍ରଭଙ୍ଗ ଦେବାପରେ ମାଫିଆମାନେ ବାଲି ଟ୍ରାକ୍ଟରକୁ ନେଇଯାଇଥିଲେ । ପରେ ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ସମସ୍ତ ବିଷୟ ଶୁଣିବାପରେ ଗାଁ ଲୋକଙ୍କ ଲିଖିତ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛନ୍ତି । ପୁର୍ବରୁ ଏଠାରେ ବାଲିଘାଟ ବିବାଦକୁ ନେଇ ପୁର୍ବତନ ସରପଞ୍ଚଙ୍କୁ ଦିନ ଦିପ୍ରହରେ ହତ୍ୟା କରାଯାଇଥିବାବେଳେ ପୁନର୍ବାର ଏହି ବାଲିଘାଟକୁ ନେଇ ଗାଁରେ ବିବାଦ ଉପୁଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜସ୍ୱ ନିରୀକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପରି ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ୱ ନିରୀକ୍ଷକ କି ତହସିଲ କର୍ତ୍ତୁପକ୍ଷ କାହିଁକି କୌଣସି ପଦକ୍ଷେପ ନେଉ ନାହାନ୍ତି ତାହାକୁନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ତୁରନ୍ତ ଏହି ବେଆଇନି ବାଲି ଘାଟ ଉପରେ ଚଢ଼ାଉକରି ଏହାକୁ ବନ୍ଦ କରିବା ସହିତ ବେଆଇନି ଭାବେ ଗଚ୍ଛିତ ରଖିଥିବା ଶହଶହ ଟ୍ରିପ ବାଲିକୁ ତୁରନ୍ତ ଜବଦ କରୁ ନଚେତ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Nalco

Leave A Reply