ହାଟଡିହି : ରାଜ୍ୟସରକାର ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିଥିବାବେଳେ ଅଧିକାଶଂ ପଞ୍ଚାୟତରେ ଏହା ଅଚଳ ହୋଇ ପଡିଛି । ସରକାରଙ୍କ ଏହି ଯୋଜନା ଗୁଡିକ କୌଣସି ପଞ୍ଚାୟତରେ ସଫଳ ହୋଇପାରୁ ନଥିବାରୁ ଏହା ଏକ ବିଫଳ ଯୋଜନା ଓ ଏହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଥିବା ନେଇ ଅଭିଯୋଗ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତରେ । ୨୦୧୪/୧୫ରେ ଏହି ପଞ୍ଚାୟତର ।ମ୍ବୋ ଗାଁରେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନର୍ମାଣ କରାଯାଇଥିଲା ଏକ ପାନୀୟଜଳ ପ୍ରକଳ୍ପ । ପାଇପ ଯୋଗେ ଏହି ପଞ୍ଚାୟତର ଆମ୍ବୋ, ଡିହସାହି, ଲଇଛଣପୁର, ହରିଜନ ସାହିର ୪୫୦ରୁ ଉର୍ଦ୍ଧ ପରିବାରକୁ ପାନୀୟଜଳ ଯୋଗାଇ ଦେବାର ଯୋଜନା କରାଯାଇଥିଲା । କିନ୍ତୁ ଗୋଟିଏ ମାସ ବି କାର୍ଯ୍ୟକ୍ଷମ ହୋଇପାରିଲାନି ।
ନିର୍ମାଣ ସରିବା ପରେ ପରେ ମୋଟର ଖରାପ ହେଲା ତ ଆଉ କେଉଁଠି ପାଇପ ଫାଟିଗଲା । ସେହିଦିନ ଠାରୁ ଅଚଳ ହୋଇ ରହିଗଲା ଏହି ପାନୀୟଜଳ ପ୍ରକଳ୍ପ । ଗ୍ରାମବାସୀମାନେ ବାରମ୍ବାର ଏନେଇ ବ୍ଲକ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରେ ଅଭିଯୋଗ ପରେ ଅଭିଯୋଗ କରିଚାଲିଥିଲେବି କୌଣସି ଲାଭ ମିଳିଲାନି । ଫଳରେ ଗାଁ ଲୋକଙ୍କ ଘର ଆଗରେ ପାଣି ପାଇବା ଆଶା ଆଶାରେ ହିଁ ରହିଗଲା । ଯାହାଦ୍ୱାରାକି ସରକାରଙ୍କ କୋଟିଏରୁ ଉର୍ଦ୍ଧ ଟଙ୍କା ପାଣିରେ ପଡିବା ସାର ହେଲା । ସେତେବେଳେ ଯେଉଁ କାମ ହୋଇଥିଲା ତାହା ଅତି ନିମ୍ନମାନର ହୋଇଥିଲା । ପାଇପ ଗୁଡିକ ମଧ୍ୟ ଅତି ନିମ୍ନମାନର । ପାଇପ ଗୁଡିକ ଠିକ ଭାବେ ପୋତା ଯାଇ ନଥିବାରୁ ଟ୍ରାକ୍ଟର ଯିବା ଅସିବା ଦ୍ୱାରା ତାହା ବିଭିନ୍ନ ସ୍ଥାନରେ ଫାଟି ରାସ୍ତାାରେ ପାଣି ଚାଲିଲା । ରାସ୍ତାଘାଟ ଗୁଡିକ ପାଣିରେ ବୁଡିବା ଦ୍ୱାରା ପଞ୍ଚାୟତ ପକ୍ଷରୁ ଥରେ ଦୁଇଥର ମରାମତି କରାଯିବା ପରେ ବାଧ୍ୟହୋଇ ଏହାକୁ ବନ୍ଦ କରିଦେଇଥିଲାବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ସରକାର ଘରେଘରେ ପାଣି ଯୋଗାଇ ଦେବାପାଇଁ ଏହି ଯୋଜନା କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏହା ନିର୍ମାଣ ହୋଇଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଯେତେବେଳେ କାମ ଚାଲୁଥିଲା ବିଭାଗୀୟ ଅଧିକାରୀ ମାନେ ତାକୁ ଠିକ ଭାବେ ତଦାରଖ କଲେନି । କିପରି ଠିକାଦାର ବିଲ ପାଇବ ସେନେଇ ଅଧିକାରୀ ମାନେ ବ୍ୟସ୍ତ ଥିଲେ । କେତେଫୁଟ ତଳ ପାଇପ ଗୁଡିକ ପୋତାଗଲା, କି ପ୍ରକାର ପାଇପ ଲଗାଗଲା ତାହା ଦେଖିଲେ ନାହିଁ । ଫଳରେ ମାସେ ଦୁଇମାସ ପରେ ଏହି ପ୍ରକଳ୍ପ ଅଚଳ । ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ହାଟଡିହି ବ୍ଲକରେ ଯୋଗଦେବା ଦିନଠାରୁ ଏହା ଅଚଳ ବୋଲି ଦେଖି ଆସୁଛି । ଏହାକୁ ମରାମତି କରିବା ପାଇଁ ବ୍ଲକ ପକ୍ଷରୁ କୌଣସି ଅନୁଦାନ ଯୋଗାଇ ଦିଆଯାଉ ନାହିଁ । ସମସ୍ତ ଅନୁଦାନ ପଞ୍ଚାୟତକୁ ଦେଇଦିଆଗଲା । ପଞ୍ଚାୟତ ଏହାର ମରାମତି ଦାୟିତ୍ୱ ବୁଝିବା କଥା, ମାତ୍ର ସେ ବୁଝୁ ନହାନ୍ତି । ତେଣୁ ଏନେଇ ବ୍ଲକ ପକ୍ଷରୁ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟକୁ ଜଣାଇ ଦେଇଛୁ । ସେଠାରୁ ଅନୁଦାନ ମିଳିଲେ ଏହକୁ କାର୍ଯ୍ୟକ୍ଷମ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।