Odisha news

ନାଟ୍ୟ ସାରଥି ଗୁରୁ କେଳୁଚରଣ ମହାପାତ୍ର

0

ବିଂଶ ଶତାବ୍ଦୀରେ ଓଡ଼ିଶାର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଭାବେ ସମଗ୍ର ଭାରତରେ ସେ ପ୍ରଣମ୍ୟ । ପଦ୍ମ ବିଭୂଷଣ ପାଇବାରେ ସେ ପ୍ରଥମ ଓଡ଼ିଆ । ସେତିକି ନୁହେଁ, ପଦ୍ମଶ୍ରୀ, ପଦ୍ମଭୂଷଣ, କାଳିଦାସ ସମ୍ମାନର ମଧ୍ୟ ଅଧିକାରୀ । ପ୍ରାୟ ୨ଶହ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି । ପଞ୍ଚପୁଷ୍ପା, କୃଷ୍ଣଗାଥା, ଗୀତଗୋବିନ୍ଦ, ଉର୍ବଶୀ, କୃଷ୍ଣଲୀଳା, ସାକ୍ଷୀଗୋପାଳ, କୋଣାର୍କ ଆଦି ତାଙ୍କର ନୃତ୍ୟ ସଂଯୋଜନା । ବାଲ୍ୟକାଳରେ ଗାଁ ଗାଁ ବୁଲି କୃଷ୍ଣ ଲୀଳା ଓ ପୁରାଣର ଉପାଖ୍ୟାନ ଗୁଡ଼ିକୁ ନୃତ୍ୟ – ସଙ୍ଗୀତ ମାଧ୍ୟମରେ ସେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳି, ଗୋପାଳକୃଷ୍ଣ ଓ ଜୟଦେବଙ୍କ ରଚନାରେ ବିଷୟ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରୁଥିଲେ ।

ଗୁରୁ ଅଗାଧୁ ମହାରଣାଙ୍କୁ ମୃଦଙ୍ଗ ଓ କ୍ଷେତ୍ରମୋହନଙ୍କଠୁ ସେ ତବଲା ଶିଖିଥିଲେ । ବାପାଙ୍କ ଦେହାନ୍ତ ପରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ କଟକସ୍ଥିତ ଓଡ଼ିଶା ଥିଏଟରରେ କେଳୁଚରଣ ଯୋଗ ଦେଲେ । ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା । କ୍ରମେ ସେ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ପରିବେଷଣ କଲେ । କଟକ କଳା ବିକାଶ କେନ୍ଦ୍ରରେ ସେ ଦୀର୍ଘ ୧୫ ବର୍ଷ ଓଡ଼ିଶୀ ଶିକ୍ଷାଦାନ କରିଥିଲେ । ୮୦ ଦଶକ ବେଳକୁ ଭାରତର ବିଭିନ୍ନ ସ୍ଥାନରେ ସେ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେଲେ । ଅନେକ ବିଦେଶୀ ଶିଷ୍ୟ ତାଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ଜାପାନ, ଫ୍ରାନ୍ସ, ଋଷ, ଜର୍ମାନୀ, ଇଂଲଣ୍ଡ ଓ ଆମେରିକାରେ ଓଡ଼ିଶୀ ପରିବେଷଣ କରି କେଳୁଚରଣ ଓଡ଼ିଶାକୁ ବିପୁଳ ଖ୍ୟାତି ଆଣିଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ସେ ପ୍ରାୟ ୧୦ ବର୍ଷ ଜଡ଼ିତ ଥିଲେ । ପୁରୀର ରଘୁରାଜପୁର ସ୍ଥିତ ଏକ ଶିଳ୍ପୀ ପରିବାରରେ ୧୯୨୬ ଜାନୁଆରୀ ୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ।

Leave A Reply