ବେତନଟୀ/ ବୈଶିଙ୍ଗା : ବୈଶିଙ୍ଗା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ନକଲି ସୁନା ବନ୍ଧକ ରଖି କିଛି ପେସାଦାର ଠକ ୮୨ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏହି ମାମଲାର ଅଭିଯୋଗ ପାଇ ତଦନ୍ତ କରିବା ବେଳକୁ ଅଭିଯୁକ୍ତ ମାନେ ମାନ୍ୟବର ହାଇକୋର୍ଟଙ୍କ ଠାରେ ନଟ- ଟୁ-ଆରେଷ୍ଟ ଜାମିନ ପାଇ ଆରାମରେ ବୁଲୁଥିଲେ । ବୈଶିଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଘୋଟାଲା ସହିତ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନାରେ ଅନୁରୂପ ମାମଲା ବଳରେ ଶିଳ୍ପାଞ୍ଚଳ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ବୈଶିଙ୍ଗା ପୁଲିସ ମଙ୍ଗଳବାର ବିପିନ ଚନ୍ଦ୍ର ବାରିକଙ୍କୁ ରିମାଣ୍ଡରେ ଆଣି ବେତନଟୀ ଏସଡିଜିଏମ କୋର୍ଟରେ ହାଜର କରାଇଥିଲା। ଆଜି ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ବେତନଟୀ ତହସିଲଦାର ଅନିତା ନାୟକଙ୍କ ସହଯୋଗରେ ୩ କିଲୋ ୮୩୦ଗ୍ରାମ ୮୩ ମିଲି ଗ୍ରାମ ଓଜନର ନକଲି ସୁନା ଗୁଡିକୁ ସିଜ କରିବା ସହ ଭିଡ଼ିଓଗ୍ରାଫି କରି ଥାନାକୁ ନେଇଆସିଥିଲେ। ଥାନାଧିକାରୀ ଶ୍ରୀ ମିଶ୍ର ଏହି ଗହଣା ଗୁଡ଼ିକର ମାନ ପରୀକ୍ଷଣ କରିବା ପାଇଁ ଭୁବନେଶ୍ଵରସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ପ୍ରକାଶ କରିଥିଲେ।
