Odisha news

ଭଗବାନ କେବଳୀଙ୍କ ସଂଯମ ବାର୍ତ୍ତା

0

ସକାଳଖବର.କମ : ସମତାରୁ ଶ୍ରବଣ,ବ୍ରହ୍ମଚର୍ଯ୍ୟରୁ ବ୍ରାହ୍ମଣ, ଜ୍ଞାନରୁ ମୁନୀ ଓ ତପରୁ ବ୍ୟକ୍ତି ତପସ୍ୱୀ ପାଲଟିଯାଏ–ଏ ଉପଦେଶ ଦେଇଥିବା ତୀର୍ଥଙ୍କର ମହାବୀର ସମଗ୍ର ମନୁଷ୍ୟଜାତି ପାଇଁ ଏକତ୍ୱ ବାର୍ତାର ଶଙ୍ଖନାଦ କରିଥିଲେ । ଅନ୍ୟମାନଙ୍କୁ ମଧ୍ୟ ଆତ୍ମନ ତୂଲ୍ୟ ବୁଝିବା ସଙ୍ଗେ ସଙ୍ଗେ ମାନବତା ଓ କରୁଣାର ମହତ୍ୱପୂର୍ଣ୍ଣ ବାର୍ତ୍ତାକୁ ଅମୃତ ସମ ସାରା ଜାଗତକୁ ବାଣ୍ଟିଥିଲେ ସେ ।


ଅହିଂସାର ଏହି ଚିର ଜାଜୁଲ୍ୟମାନ ମହାସୂର୍ଯ୍ୟଙ୍କ ଆବର୍ଭାବ ହୋଇଥିଲା ଖୀଷ୍କ୍ରପୂର୍ବ ଷଷ୍ଟ ଶତାବ୍ଦୀରେ ବୈଶାଳୀର କ୍ଷତ୍ରୀୟ କୁଣ୍ଡଗ୍ରାମରେ । ପ୍ରକାଶ ବା ଆଲୋକ,ସତ୍ୟ ଓ ନ୍ୟାୟର ବାର୍ତ୍ତାବହ ସାଜିଥିବା ମହାବୀରଙ୍କ ଶୁଭାଗମନ ତକ୍ରାଳୀନ ଯୁଗର ଭାଗ୍ୟ ବଦଲେଇ ଦେଇଥିଲା । ଚୈତ୍ରଶୁକ୍ଲ ତ୍ରୟୋଦର୍ଶୀ ଉତ୍ତର ଫାଲଗୁନ ନକ୍ଷତ୍ରରେ ମହାରାଜା ସିଦ୍ଧାର୍ଥ ଓ ମହାରାଣୀ ତ୍ରଶଳାଙ୍କ କୋଳ ମଣ୍ଡନ କରିଥିଲେ ମହାବୀର । ବିଶାଳ ସାମାଜ୍ୟରେ ଧନ୍ୟଧାନ୍ୟର ଅପ୍ରତ୍ୟାଶିତ ବୃଦ୍ଧି ବା ଉନ୍ନତି ହେତୁ ବାଳକଟିର ନାମ ରଖାଯାଇଥିଲା ବର୍ଦ୍ଧମାନ । ଏଥିସହିତ ଜ୍ଞାତପୁତ୍ର, କାଶ୍ୟପ ଓ ଦେବାର୍ଯ୍ୟ ଆଦି ନାମରେ ସେ ଥିଲେ ବେଶ ଜଣାଶୁଣା । ନିଜର ଅସୀମ ସାଧନା ଓ ଅଭୁତପୂର୍ବ ତ୍ୟାଗ-ତିତିକ୍ଷା ଓ କଠୋର ତପ ଓ ପୁରୁଷାର୍ଥ ବଳରେ ପରମାତ୍ମା ପଦ ପ୍ରାପ୍ତ କରିଥିଲେ ମହାବୀର । ଅହିଂସା,ଅନେକାନ୍ତବାଦ( ବହୁବାଦୀ ଦୃଷ୍ଟିକୋଣ) ଅପରିଗ୍ରହ ବା ତ୍ୟାଗ ( ଆବଶ୍ୟକତାଠୁ ଅଧିକ ସଂଗ୍ରହ ନ କରିବା ) ସ୍ୱାଦବାଦ (ସାପେକ୍ଷତା ଭିତ୍ତିକ ସିଦ୍ଧାନ୍ତ ) ସର୍ବଜୀବ ସମଭାବ ( ଅଥବା ସବୁ ଜୀବଙ୍କ ପ୍ରତି ସମଭାବ ପୋଷଣ ) ଭଳି ଅନେକ ମହତ୍ୱପୂର୍ଣ୍ଣ ସିର୍ଦ୍ଧାନ୍ତକୁ ପ୍ରତିପାଦନପୂର୍ବକ ସମଗ୍ର ପ୍ରାଣୀ ବା ଜୀବଜଗତର କଲ୍ୟାଣ ସାଧନ କରିପାରିଥିଲେ । ଖାସ ସେଇଥିପାଇଁ ସେ ଧର୍ମତୀର୍ଥଙ୍କ କର୍ତ୍ତା ଅର୍ଥାତ ତୀର୍ଥଙ୍କର ରୂପେ ଅଭିହିତ ହୋଇଥିଲେ ।

ଅତୁଳନୀୟ ସାଧାନରେ ତଲ୍ଲୀନ ଥିଲେ ଭଗବାନ ମହାବୀର । ଦୀର୍ଘ ତେର ବର୍ଷ ଓ ସାତ ମାସ ସାଧନା କାଳଖଣ୍ଡର ଯେତେବେଳେ ଅନ୍ତଘଟିଲା ସିିଦ୍ଧିକାଳର ମର୍ଯ୍ୟାଦା ବଳରେ ମହାବୀର ଆତ୍ମଜ୍ଞାନ,ଆତ୍ମଦର୍ଶନ, ଆତ୍ମାନନ୍ଦମୟୀ ଓ ଆତ୍ମବିର୍ଯ୍ୟବାନ ‘କେବଳୀ’ରେ ପରିଣତ ହୋଇଗଲେ । ଦାର୍ଶନୀକ ନୁହେଁ ବରଂ ପାଲଟିଗଲେ ଦ୍ରଷ୍ଟା । ତାଙ୍କଠାରେ ଜୀବନ ଦର୍ଶନ ଓ ଧର୍ମର ବିରାଟ ସ୍ୱରୂପ ପ୍ରକଟିତ ହୋଇଥିଲା ।

ତାଙ୍କର ସର୍ବବ୍ୟାପୀ ଅନୁଭୂତି ରୂପକ ଦର୍ପଣରେ ସର୍ବଜ୍ଞ ଭଗବାନଙ୍କ ଜୀବନ ଜ୍ୟୋତି ଉଦଭାସିତ ହୋଇଉଠିଲ । ଯାହାର ଆଲୋକରେ ତଉଦ ହଜାର ସାଧୁ ଓ ଛତିଶ ହଜାର ସାଧ୍ୱୀ ଏକଲକ୍ଷ ଅଣଷଠି ହଜାରେ ଶ୍ରୋତା ଓ ତିନିଲକ୍ଷ ଅଠର ହଜାର ଶ୍ରୋତ୍ରୀ ସମେତ କୋଟିକୋଟି ଭକ୍ତଶ୍ରର୍ଦ୍ଧାଳୁମାନେ ଦୀପ୍ତିମାନ ହୋଇ ତାଙ୍କଠାରୁ ତତ୍ତ୍ୱଜ୍ଞାନ ଲାଭକରି ଜୀବନକୁ ସଫଳ ଓ ସାର୍ଥକ କରିପାରିଥିଲେ ।
କାର୍ତ୍ତୀକ କୃଷ୍ଣ ତ୍ରୟୋଦର୍ଶୀ ରାତ୍ରୀରେ ସେ ତାଙ୍କର ଅନ୍ତିମ ଉପଦେଶ ପ୍ରଦାନ କରିଥିଲେ । ତାଙ୍କର ସେଇ ମାର୍ମିକ ଉପଦେଶକୁ ଆତ୍ମସାତ କରି ଭକ୍ତ ଓ ତାଙ୍କର ଅନୁଗାମୀମାନେ ନିଜକୁ କୃତ୍ୟାର୍ଥ ମଣିଥିଲେ ଆଉ ଜୀବନକୁ ଧନ୍ୟ କରିଥିଲେ ।

ଏଇ ଦିନ ଧନ ତ୍ରୟୋଦଶୀ ଅର୍ଥାତ ଧନତେରସ ରୂପେ ପାଳନ କରାଯାଏ । କାର୍ତ୍ତିକ କୃଷ୍ଣ ଅମାବାସ୍ୟା ପୁଣ୍ୟତିଥିରେ ସିଦ୍ଧ ବୁଦ୍ଧ ମୋକ୍ଷ ପ୍ରାପ୍ତ ହୋଇ ପ୍ରଭୁ ପରିନିର୍ବାଣ ଲାଭ କରିଥିଲେ । ଆଧ୍ୟାତ୍ମକି ସମୃଦ୍ଧିର ଆଲୋକର ଆଭା ତାଙ୍କ ତତୁଃପାଶ୍ୱର୍ରେ ଖେଳିଯାଇଥିଲା । ଏଥିପାଇଁ ସେ ଦିନକୁ ପୁରୁଷ ପୁରୁଷ ଧରି ଆଲୋକର ପର୍ବ ରୂପେ ପାଳନ କରାଯାଇଆସୁଅଛି ।


ବାସ୍ତବ ଦୃଷ୍ଟିକୋଣରେ ବିଚାରିଲେ ସମାଜର ପ୍ରତିଟି ଯୁଗରେ ଭଗବାନ ମହାବୀରଙ୍କ ପ୍ରଚାରିତ ବାଣୀ ବା ସିଦ୍ଧାନ୍ତ ବେଶ୍ ପ୍ରାସଙ୍ଗିକତା ବହନ କରେ । ସିଏ କହିଛନ୍ତି- ଧର୍ମ ହେଉଛି ବ୍ୟକ୍ତିଗତ ତତ୍ତ୍ୱ, ଯାହା ଶୁଦ୍ଧପୂତ ପବିତ୍ର ହୃଦୟରେ ନିବାସ କରେ । ସାମୂଦାୟିକ ବିଚାର .ୟାର ବିକାଶ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ । ଘୃଣ୍ୟ ପଶୁବଳୀକୁ ପ୍ରବଳ ବିରୋଧ କରି ଭଗବାନ ମହାବୀର କହିଛନ୍ତି –ଯେପରି ଲାଲ ଟୁକୁଟୁକୁ ରକ୍ତଭିଜା ବସ୍ତ୍ର ରକ୍ତରେ ସଫା ହୋଇପାରେ ନାହିଁ ଠିକ ସେମିତି ହିଂସା ଦ୍ୱାରା ଧର୍ମକୁ ରକ୍ଷା କରାଯାଇ ପାରିବନାହିଁ ।

ତେଣୁ କେବଳ ଅହିଂସା ହିଁ ପ୍ରକୃତ ଧର୍ମ । ସେହିପରି ସଂଯମର କୌଣସି ବୈକଳ୍ପିକ ମାର୍ଗ ନାହିଁ । ନାରୀ ସମାନତାର ପ୍ରଚଣ୍ଡ ପକ୍ଷଧର ଥିଲେ ଭଗବାନ ମହାବୀର । ଖାଲି ସେତିକି ନୁହେଁ, ସେ ସମୟରେ ପ୍ରଚଳିତ ଜାତିପ୍ରଥାକୁ ଘୋର ବିରୋଧ କରି ତକ୍ରାଳୀନ ସମାଜର କଳଙ୍କ ରୂପେ ଅଭିହିତ କରିଥିଲେ ସେ । ଆଚାର ବ୍ୟବହାରରେ ଅହିଂସା,ବିଚାରଧାରାରେ ଅନେକ ଦୃଷ୍ଟିଭଙ୍ଗୀ ପୋଷଣ, ବାଣୀରେ ସାପେକ୍ଷତା, ସମାଜରେ ଅପରିଗ୍ରହ ( ତ୍ୟାଗ )ର ସନେ୍ଦଶ ସହିତ ମନୁଷ୍ୟଜାତିଙ୍କୁ ଯଥାର୍ଥ ଜୀବନ ଜିଇବାର କଳା ଶିଖାଇଥିଲେ ମହାବୀର ।
ସାଂପ୍ରତିକ ପ୍ରରିପ୍ରେକ୍ଷୀରେ ଜୀବନର ପରମ ଲକ୍ଷ ହେଉ କି ଆତ୍ମିକ ସୁଖଶାନ୍ତି ,ଆତ୍ମଶୁଦ୍ଧି ହେଉ ଅବା ଶରୀର ଆରୋଗ୍ୟ ଲାଭ କଥା ଉଠୁ ସବୁ କ୍ଷେତ୍ରରେ ମହାବୀରଙ୍କ କାଳଜୟୀ ବାଣୀ ଅମୃତସମ କାମ ଦେଇଥାଏ । ଆଜିକାର ଏ ପୁଣ୍ୟତିଥି ମହାବୀର ଜୟନ୍ତୀରେ ଆସନ୍ତୁ ଆମସବୁ ଏକତ୍ର ହୋଇ ତାଙ୍କର ସେଇ ସଂଯମ ସଂକଳ୍ପକୁ ଜଗାଇବା

Leave A Reply