ବ୍ରହ୍ମପୁର – ବଡବ୍ଜ଼ାର ପୋଲିସ ବୁଧବାର ରାତ୍ର ସହର ଉପକଣ୍ଠରେ ଚାଲିଥିବା ନକଲି ଘିଅ କାରଖାନା କୁ ଠାବ କରିବା ସହ ଜଣକୁ ଗିରଫ କରିଛି । ସେ ହେଲେ ଗୋଷାଣୀନୂଆଗାଁ ଅନ୍ତର୍ଗତ ହାଉସିଂ ବୋର୍ଡ ଅଞ୍ଚଳର ଇପାରି ରାଜେଶ୍ୱର ପାତ୍ର (୫୩)। ପ୍ରଚ୍ଛଦ ପଟରେ ରହି ଏହି କାରଖାନାକୁ ଚଳାଉ ଥିବା ମୁଖ୍ୟ ଅଭିଯୁକ୍ତ ଚଢାଉ ପରଠାରୁ ଫେରାର ରହିଛି। ସୂଚନା ମୁତାବକ ଗତ କିଛି ମାସ ହେଲା ସହର ଉପକଣ୍ଠରେ ବିଭିନ୍ନ ଅସ୍ୱାସ୍ଥ୍ୟକର ତେଲ ବ୍ୟବହୃତ କରି ମା ଦୁର୍ଗା ନାମକ ଏକ ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ବ୍ରହ୍ମପୁର ଏସପି ଡ ଶ୍ରବଣ ବିବେକ ଏମ ଙ୍କ ନିର୍ଦ୍ଦେଶକ୍ରମେ ବଡ଼ ବଜାର ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ମଦନ ମୋହନ ନଗରରେ ଏକ ଘରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ନକଲି ଘିଅ ଜବତ କରିଥିଲେ। ପୋଲିସ ସେଠାରୁ ବୈଧ୍ୟ ନଥିବା ମହାନଗର ଟ୍ରେଡ ଲାଇସେନ୍ସ, ଘିଅ ପ୍ରସ୍ତୁତ ଲାଇସେନ୍ସ ସମେତ, ତିନୋଟି ଅତ୍ୟାଧୁନିକ ଘିଅ ପେକିଙ୍ଗ ମେସିନ, ଗୋଟିଏ ଗ୍ରାଣ୍ଡିଂ ମେସିନ, ଗୋଟିଏ ପେକୀଙ୍ଗ ମେସିନ, ଦୁଇଟି ବଡ ଷ୍ଟିଲ ଡ୍ରମ, ବିପୁଳ ପରିମାଣର ପ୍ୟାକୀଙ୍ଗ ରେ ବ୍ୟବହୃତ ହେଉଥିବା ଜରି, ଆଟା ପେଢ଼ି, ନକଲି ମା ଦୁର୍ଗା ଘିଅ ପଲିଥିନ ରୋଲ, ୨୦ ହଜାର ରୁ ଉର୍ଦ୍ଧ କିଲୋଗ୍ରାମ ର ନକଲି ଘିଅ ପ୍ରମୁଖ ଜବତ କରିଥିଲା। ଏହି ସମସ୍ତ ଘିଅ ଅଭିଯୁକ୍ତ ମୁଖ୍ୟତଃ ଗ୍ରାମାଞ୍ଚଳ ଓ ମଫସଲ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟାର୍ଗେଟ କରି ବିକ୍ରି କରୁଥିଲେ। ଏହି ଘିଅ ପ୍ରସ୍ତୁତିରେ ସେମାନେ ପୋଡ଼ା ତେଲ, ପୋଡ଼ା ଇଞ୍ଜିନ ଅଏଲ, ଲୋ ଗ୍ରେଡ ପାଲ୍ମ ଅଏଲ,ଲୋ ଗ୍ରେଡ ପଲ୍ମୋଲିନ ଅଏଲ ସମେତ ବହୁ ବିଷାକ୍ତ କେମିକାଲ ବ୍ୟବହାର କରୁଥିଲା। ଏହାପରେ ପ୍ରସ୍ତୁତ ଘିଅ କୁ ବିଭିନ୍ନ ଗ୍ରାମାଞ୍ଚଳ ଓ ମଫସଲ ଅଞ୍ଚଳକୁ ବିକ୍ରି ନିମନ୍ତେ ପଠାଉ ଥିଲା। ଏହିପରି ବିଗତ ଦୁଇବର୍ଷ ହେଲା ଉକ୍ତ ନକଲି ଘିଅ କାରଖାନା ଚାଲିଥିବା ପୁଲିସ ସୂଚନା ଦେଇଚି। ସେହିପରି ଏହି ମାମଲାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ପ୍ରଚ୍ଛଦ ପଟରେ ରହି ଚଳାଉଥିବା ବେଳେ ଚଢାଉ ପର ଠାରୁ ସେ ଫେରାର ଥିବା ଏସପି କହିଛନ୍ତି। ଉପରୋକ୍ତ ମାମଲା କୁ ନେଇ ବଡ଼ବଜାର ଥାନା ପକ୍ଷରୁ ୪୪୧/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଏସପି କହିଛନ୍ତି।