Odisha news

ଗଣେଶ ପୂଜା : କରୋନା ଟାଣିଛି ଲକ୍ଷ୍ମଣ ରେଖା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଶୁକ୍ରବାର ରାତି ପାହିଲେ ଶନିବାର ।ଭାଦ୍ରବ ମାସ ଚତୁର୍ଥୀ ତିଥି । ବିଘ୍ନନାଶନ, ଅଗ୍ରପୂଜ୍ୟ, ବିଦ୍ୟାଦାତା ଗଣେଶଙ୍କର ପୂଜା । କଥିତ ଅଛି ଯେ, ଏହି ଦିନ ଗଣେଶ ନିଜ ମାଆ ପାର୍ବତୀଙ୍କ ସହ କୈଳାସ ପର୍ବତରୁ ଧରା ପୃଷ୍ଟକୁ ଆସିଥିଲେ ।ଏହାକୁ ମଧ୍ୟ ବିନାୟକ ଚତୁର୍ଥୀ କୁହାଯାଏ ।ଏବର୍ଷ କିନ୍ତୁ ଗଣେଶ ପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନାହିଁ । ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଛନ୍ତି ରୋକ୍ । ଯାହାଫଳରେ ପର୍ବପର୍ବାଣୀ ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଛି ।

ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା । ତାପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବି ଏଥିରୁ ବାଦ୍ ପଡିନଥିଲା ।ଶେଷରେ ସୁପ୍ରିମକୋର୍ଟ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ଏଥର ତାର ପ୍ରକୋପ ପଡିଛି ଗଣେଶ ପୂଜା ଉପରେ । ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିରାଜୁଛି ନିରବତା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସରସତା ନାହିଁ । ସେହିପରି ସହରର ବିଭିନ୍ନ ଗଳିକନ୍ଦି, ସାହି,ବସ୍ତି ମଧ୍ୟରେ ନିରାଶାର ଭାବ ।

ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଛି ।ଛାତ୍ରଛାତ୍ରୀ ଓ ଭକ୍ତଙ୍କ ନିକଟରେ ଲକ୍ଷ୍ମଣରେଖା ଟାଣିଦେଇଛି ଏହି କରୋନା । ଶିକ୍ଷାନୁଷ୍ଠାନ ମାନଙ୍କରେ ଦୁଇଟି ପୂଜା ଖୁବ୍ ଆନନ୍ଦର ସହ ପାଳନ କରାଯାଏ । ଗୋଟିଏ ହେଲା ବିଦ୍ୟାଦାତା ଗଣେଶଙ୍କ ପୂଜା ଓ ଅନ୍ୟଟି ବାକ୍ ଦେବୀ ସରସ୍ୱତୀଙ୍କ ପୂଜା । ତନ୍ମଧ୍ୟରୁ ପାର୍ବଣର ଆଦ୍ୟ ପର୍ବ ହେଉଛି ଗଣେଶ ପୂଜା ଏହି ଦିନରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପୂଜା କରି ଆଶ୍ରୀର୍ବାଦ କାମନା କରିଥାନ୍ତି । ମାତ୍ର ଏବର୍ଷ ସେ ସୁଯୋଗ ନାହିଁ । ଅନୁଷ୍ଠାନ ମାନଙ୍କରେ କେବଳ ବିଦ୍ଧି ରକ୍ଷାକରି କରୋନା କଟକଣା ଭିତରେ ଗଜାନନଙ୍କ ପୂଜା କରାଯିବ ।ସେହିପରି ସହରରେ ଥିବା ସ୍ଥାୟୀ ମଣ୍ଡପରେ କଟକଣା ଭିତରେ ଏହି ପୂଜା କରାଯିବ ଆମ ଦେଶ କଥା ଚିନ୍ତାକଲେ ମହାରାଷ୍ଟ୍ରରେ ଗଣେଶ ପୂଜା ବହୁ ଆଡମ୍ବରେ ପାଳନ କରାଯାଏ ।

ଏଥିସହିତ ଗୋଆ, କର୍ଣ୍ଣାଟକ,କୋଲକତା, ଗୁକୁରାଟ, ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଆଡମ୍ବର ସହକାରେ ପାଳନ କରାଯାଏ ସେହିପରି ଆମରାଜ୍ୟରେ ଭୁବନେଶ୍ୱର, ପୁରୀ,କଟକ, ଖୋର୍ଦ୍ଧା, ରାଉଲକେଲା, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ତଥା ଅନ୍ୟ ଜିଲ୍ଲାମାନଙ୍କରେ ଗଣେଶ ପୂଜା ଜାକ ଜମକରେ ପାଳିତ ହୋଇଥାଏ । ବିଶେଷ କରି ହଜାର ବର୍ଷର ସହର ଭାବରେ ପରିଚିତ କଟକ ସହରରେ ମଧ୍ୟ ଚଳିତବର୍ଷ ଗଣେଶ ପୂଜା ହେବନାହିଁ । ସର୍ବସାଧରଣରେ କୈାଣସି ଅନୁଷ୍ଠାନ ପୂଜା କରି ପାରିବେ ନାହିଁ । କଟକ ସହରର ସାହିକମିଟି ବ୍ୟତିତ ସମସ୍ତ କ୍ଲବ, ସ୍କୁଲ ଓ ଅନୁଷ୍ଠାନରେ ପୂଜା ବନ୍ଦ ରହିବ । କଟକ ସହର ପାଇଁ ଏହା ଏକ ସମ୍ପୂର୍ଣ୍ଣ ରୂରେ ନୂଆ ଓ ଅଭାବନୀୟ ଘଟଣା ।

କରୋନା ଆଣିଛି ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ । ପ୍ରଶାସନିକ କଟକଣା ଆଣିଦେଇଛି ସେମାନଙ୍କ କୈାଳିକ ବୃତ୍ତି ଉପରେ ଶକ୍ତ ଆଘାତ । ବିଭିନ୍ନ ସୁତ୍ରରୁ କରଜ କରି ମୂର୍ତ୍ତି ନିର୍ମାଣରେ ଅର୍ଥ ବିନିଯୋଗ କରିଥିବା ଅଧିକାଂଶ ମୂର୍ତ୍ତି କାରିଗର କେବଳ ଅନାଇ ବସିଛନ୍ତି ଗ୍ରାହକଙ୍କୁ । ପ୍ରସ୍ତୁତ କରିଥିବା ମୂର୍ତ୍ତି ବିକ୍ରୀ ହେବକି ନାହିଁ ସେମାନେ ସନେ୍ଦହ ମଧ୍ୟରେ ରହିଛନ୍ତି । ପ୍ରଶାସନିକ କଟକଣା ଅନୁସାରେ ସହରର ସ୍ଥାୟୀ ମଣ୍ଡପ ବ୍ୟତୀତ ଅନ୍ୟ କୈାଣସି ସ୍ଥାନରେ ପୂଜା ଅନୁଷ୍ଠିତ ହୋଇପାରିବ ନାହିଁ ।ତେଣୁ ସହରାଞ୍ଚଳର ଶତାଧିକ ଅସ୍ଥାୟୀ ମଣ୍ଡପ ଚଳିତ ବର୍ଷ ଫାଙ୍କା ପଡିବ । ତେଣୁ କାରିଗର ତିଆରି କରିଥିବା ମୃର୍ତ୍ତି ବିକ୍ରି ନହୋଇ ରହିଯିବ ବୋଲି ସେମାନଙ୍କର ଆଶଙ୍କା । କେବଳ ଗଣେଶ ପୂଜା ନୁହେଁ ଆଗକୁ ଆସୁଥିବା ବିଶ୍ୱକର୍ମା, ଭାଲୁକୁଣୀ ପୂଜା ସମୟରେ ମଧ୍ୟ ଅନୁରୂପ କଟକଣାର ସମ୍ମୁଖୀନ ହେବାକୁ ପଡିପାରେ ।

ଓଡିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରେ ଗଣେଶ ପୂଜା ଏକ ପ୍ରମୁଖ ପର୍ବ । ଏହାକୁ ପାର୍ବଣର ଆଦ୍ୟ ପର୍ବ ବୋଲି କୁହାଯାଏ । ମାତ୍ର ସମ୍ପ୍ରତି ମହାମାରୀ କରୋନା ଯୋଗୁଁ କେତେକ ଜିଲ୍ଲାରେ ପ୍ରତି ସପ୍ତାହର ଶନି, ରବି ଦୁଇଦିନ ସଟ୍ଡାଉନ୍ ରହିଛି ।ସାମାଜିକ ଦୁରତା ମାସ୍କ ପରିଧାନ ସଙ୍ଗରୋଧ ଭିତରେ ଔପଚାରିକତା ଦୃଷ୍ଟିରୁ ଏହି ପୂଜା ପାଳନ କରାଯିବ ।ତେଣୁ ଗଣେଶ ପୂଜାକୁ ଆଉ ପୂର୍ବ ଭଳି ଆନନ୍ଦ ଉଲ୍ଲାସରେ ପାଳନ କରିବାର ସୁଯୋଗନାହିଁ । ବାକି ରହିଲା ବିସର୍ଜନ ।ଏହା ବହୁତ ଆକର୍ଷଣୀୟ ହୋଇଥାଏ । ବିଶେଷ କରି କଟକ, ଭଦ୍ରକ ଓ ରାଜ୍ୟର ଅନ୍ୟାନ୍ୟ ସହର ମାନଙ୍କରେ ଏହା ଧୁମ୍ଧାମରେ ଶେଷ ହୋଇଥାଏ । ସେ ଦୃଷ୍ଟିରୁ ଏ ବର୍ଷର ଗଣେଶ ପୂର୍ଜା ଟିକେ ଫିକା ଫିକା ଲାଗିବ ।ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ମଉଜ ମଜଲିସ ନୁହେଁ । ଆଜି ନହଲେ କାଲି ଆମେ ତାକୁ ପାଳିପାରିବା । ଏକଥା କୁ ଆମକୁ ଗୁରୁତ୍ୱ ଦେବାକୁ ହେବ ଏମିତି ଏକ ଆତଙ୍କର ପରିବେଶରେ ଆସିଛି ଗଣେଶ ପୂର୍ଜା -୨୦୨୦ ।

ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଓଡିଶାର ପର୍ବ ବିଭିନ୍ନ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ଏପରି ଏକ ପର୍ବ ହେଉଛି ଗଣେଶ ପୂଜା । ଯାହା ବିଦ୍ୟାର୍ଥୀଙ୍କୁ -ବିଦ୍ୟାଦାତାଙ୍କ ସହ ଯୋଡିଥାଏ ।ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ଗଣେଶ ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି ସାହି-ସାହି ଓ ବସ୍ତି-ବସ୍ତି ମଧ୍ୟରେ ଏହା ସୁସମ୍ପର୍କ ସୃଷ୍ଟି କରିଥାଏ ।ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶରେ ଆଖିଝଲସିବା ମେଢ, ଶୋଭାଯାତ୍ରା ଗଣେଶ ପୂଜାକୁ ଆହୁରି ସରସ ସୁନ୍ଦର କରିଥାଏ । ଗଣେଶ ପୂଜା ଦିନଠାରୁ ସମସ୍ତେ ଅପେକ୍ଷା କରିଥାନ୍ତି ଭସାଣି ସମୟକୁ ।

ଭସାଣି ବେଳର ଦୃଶ୍ୟ ଦୁରଦର୍ଶନ ମାଧ୍ୟମରେ ମଧ୍ୟ ପ୍ରଚାର-ପ୍ରସାର ହୋଇଥାଏ ।ଏହାର ଦୃଶ୍ୟ ଅବର୍ଣ୍ଣନୀୟ । ଏଥିସହିତ ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଜନ ସମାଗମ ହୁଏ । ଯାହା ସନ୍ଧ୍ୟା ସମୟରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ । ଆବାଳ-ବୃଦ୍ଧ ବନିତା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି ।

ଏବର୍ଷ କରୋନା ପାଇଁ ସବୁ ବର୍ଗର ଲୋକ ଯନ୍ତ୍ରଣା ପାଇଁ ଛଟପଟ ହେଉଛନ୍ତି । ଏଥର ଗଣେଷ ପୂଜା ନହେଲା ନାହିଁ ଶୀଘ୍ର କରୋନା ଆତଙ୍କ ଅପସରିଯାଉ, ଏହାହିଁ ବିଘ୍ନନାଶନ ଗଣେଷଙ୍କ ନିକଟରେ ପ୍ରାର୍ଥନା । ଜୀବନ ଥିଲେ ଆର ବର୍ଷକୁ ଆମେ ଧୁମ୍ଧାମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ଥାନ ଓ ସାହି ମାନଙ୍କରେ ଗଜାନନଙ୍କ ପୂଜା କରିପାରିବା ଏହି ବିଶ୍ୱାସ ନେଇ ଆମକୁ ବଞ୍ଚିବାକୁ ହେବ ।

Leave A Reply