Odisha news

ଅବାଂଛିତ ଗର୍ଭ ସଙ୍କଟ

0

ଇଂ. ବିଦ୍ୟାଧର ପଣ୍ଡା : ‘ସାଙ୍ଗ! ତୁମେ ତ ମୋ ଶାଶୂମା । ସାଙ୍ଗ କେମିତି ହେବ!’ – ‘ଆରେ! ତୋ’ମୁଣ୍ଡରେ ଖାଲି ଗୋବର । ମୋ କହିବା କଥା ତୋ’ମାଆ ସାଙ୍ଗରେ ତୁ ଯେମିତି ଫ୍ରି କଥା ହେଉ ସେମିତି ମୋ’ସାଙ୍ଗରେ ମନଖୋଲା କଥାହେବୁ । ସଦାବେଳେ ଶାଶୂମା ଭାବି ଦୂରେଇଦୂରେଇ ରହିଲେ ମୋତେ ଜମା ଭଲ ଲାଗୁନି । ତୁ ତ ସବୁ କିଛି ମୋ’ବିଷୟରେ ଜାଣୁ । ଅଭିଷେକକୁ ତିନିବର୍ଷ ହୋଇଥିଲା ବେଳେ ତା’ବାପା ମୋତେ ଏଠି ଏକାଛାଡି ଆରପାରିକୁ ଚାଲିଗଲେ । ସେତେବେଳେ ମୋତେ ମାତ୍ର ଉଣିସିବର୍ଷ । ମୁଁ ଚଉଦବର୍ଷରେ ବାହାହେଲି, ଷୋଳବର୍ଷ ବୟସରେ ମାଆ ଏବଂ ମୋ ଭାଗ୍ୟରେ ଉଣିସିବର୍ଷରେ ବିଧବା ଯୋଗ ଲେଖାଥିଲା ।

ଅଭିଷେକର ମୁହଁ ଚାହିଁଚାହିଁ ଏ’କୋଡିଏ ବର୍ଷ କେମିତି ବିତେଇଛି କେବଳ ମୁଁ ଏକା ଜାଣେ । ଅଭିଷେକକୁ ଚାକିରି ମିଳିଲାପରେ ସିଏ ସହର ଚାଲିଗଲା । ଏକୁଟିଆ ଘରେ ରହିି ସାରାଦିନ କେତେ ଟିଭି ଦେଖିବି! ମୋତେ ବହୁତ ଖରାପ ଲାଗିବାରୁ ତା’ପଛରେ ଲାଗିଲାଗି ଏଇବର୍ଷ ବାହାହେବାକୁ ରାଜି ହେଲା । ତୋତେ ଦେଖିବାକୁ ଯିବାକୁ ହଜାରେ ଖୁୁୁସାମତି ପରେ ହଁ ଭରିଲା । ଯାହାହେଉ ତୁ ଆସିବା ଦିନଠାରୁ ଦେଖୁଛି ତୁମଭିତରେ ସବୁ ରାତିରେ ଝଗଡା । ଏତେ ଜୋରଜୋରରେ ଚିଲ୍ଲଉଛ ଯେ ମୁଁ ଆଦୌ ଶୋଇପାରୁନି । ସେଥିପାଇଁ କହୁଛି ମୋତେ ତୋ’ର ଗୋଟିଏ ଅତି ଅନ୍ତରଙ୍ଗ ସାଙ୍ଗବୋଲି ଭାବି କହ କାହିଁକି ଦି’ଜଣ ଯାକ ସବୁରାତିରେ ଏମିତି ପାଟିତୁଣ୍ଡ କରୁଛ?’

– ‘ତୁମେ କେମିତି ଜାଣିଲ?’ – ‘ମୋତେ କଣ କାଲୁଣି ଭାବିଛୁ?’ – ‘ମୁଁ କ’ଣ ଏକା ହାଲ୍ଲା କରୁଛି?’ – ‘ନାଇଁ, ସିଏ ବି କରୁଛି, ତୁ ବି କରୁଛୁ ।’ – ‘ତୁମେ ତୁମ ପୁଅକୁ କୁହ, ମୋ’ସାଙ୍ଗରେ ଝଗଡା କରିବେନି ।’ – ‘ତା’କୁ ବି କହିବି, କିନ୍ତୁ ସିଏ ଶୁଣିଲେ ସିନା! ତୁ ଆଗ ମୋତେ ଝଗଡାର କାରଣ କହ, ତାପରେ ମୁଁ ତା’କାନ ମୋଡି ତାକୁ ସାବାଡ୍ କରିବି ।’ – ‘ଆଜିଠାରୁ ତୁମେ ମୋ ସାଙ୍ଗ ତ!’ – ‘କହିଲି ପରା ଥରେ । ଗୋଟାଏ କଥା କେତେଥର କହିବି? ଏ ଦୁନିଆରେ ତୋ’ଛଡା ମୋର କିଏ ଆଉ ଅଛି କହିଲୁ! ତୁ ମୋ’ବୋହୂ, ମୋ’ସାଙ୍ଗ ଏବଂ ତୁ ହିଁ ମୋର ମାଆ ଆଉ ଶାଶୂ ବି ।’ ଏତିକି କହି ଶାଶୂ ମାଳବିକା ଦେବି ନିଜ ଲୁଗାର କାନିପଣତରେ ଆଖିଲୁହକୁ ପୋଛିପୋଛି ବୋହୂ ପ୍ରିୟଙ୍କାର ଶୋଇବାଘରୁ ଯିବାକୁ ବାହାରିଲା ବେଳେ, ପ୍ରିୟଙ୍କା ନିଜ ଦୁଇବାହୁରେ ଶାଶୂଙ୍କୁ ଜାବୁଡିଧରି ଟାଣି ଟାଣି ନେଇ ଖଟଉପରେ ବସେଇଲା । ଶାଶୂଙ୍କ କୋଳରେ ମୁଣ୍ଡରଖି ଝିଅପରିକା ଶୋଇ ଅଭିଷେକସହ ଝଗଡାର ପ୍ରକୃତ କାରଣ ବଖାଣିବାକୁ ଆରମ୍ଭକଲା ।’

– ‘ତୁମ ପୁଅ ବହୁତ ଜିଦିଆ । ବହୁତ ମାନେ ବହୁତ । ଅଭିଷେକକୁ ଯେତେ ନେହୁରାହୋଇ କହିଲି ଏବେ ମୋତେ ମାତ୍ର ଏକୋଇଶି ବର୍ଷ । ମୁଁ ପଚିଶବର୍ଷରେ ମାଆ ହେବାକୁ ଚାହୁଁଛି । ବଜାରରେ ଏତେ ସବୁ ସୁରକ୍ଷାଜିନିଷ ମିଳୁଛି, କିଛି ହେଲେ ଗୋଟାଏ କିଣିକି ଆଣୁନାହାନ୍ତି । ପୂର୍ବରୁ କହୁଥିଲେ ମନେରହୁନି, ଏବେ କହିଲେ କହୁଛନ୍ତି ଦୋକାନୀକୁ ମାଗିବାକୁ ମୋତେ ଲାଜ ଲାଗୁଛି । ସେଥିପାଇଁ ମୁଁ ତା’ଙ୍କ ପାଖରେ ନଶୋଇ ସୋଫାରେ ଶୋଉଛି । ମୋତେ ମାଆ ହେବାର ଡର ସଦାବେଳେ ଲାଗି ରହୁଛି । ଅଭିଷେକ ମୋ ମନକଥା ଟିକିଏ ବି ବୁଝିପାରୁନାହାନ୍ତି । କେବଳ ତାଙ୍କ ନିଜିସ୍ୱାର୍ଥ ଖାଲି ଉପଭୋଗ କରିବା କଥା ମନରେ ଭାବୁଛନ୍ତି । ସେଥିପାଇଁ ଆମ ଦୁହିଁଙ୍କ ଭିତରେ ବାରମ୍ବାର ଝଗଡା ହେଉଛି ।’
ମାଳବିକା ସେଦିନ ଦ୍ୱିପ୍ରହରରେ ପ୍ରିୟଙ୍କାକୁ ନେଇ ବଜାରଗଲେ । ଛକପାଖ ଔଷଧଦୋକାନରୁ ଦୁଇଟା କଣ୍ଡମ୍ପ୍ୟାକେଟ କିଣି ଫେରିଲେ । ସେହିରାତି ବାରଟା ଗୋଟାଏଯାଏ ସବୁ କିଛି ଠିକ୍ଠାକ୍ ଥିଲା, ହଠାତ୍ ପୁଣି ଦି’ଜଣଙ୍କ ଭିତରେ ମହାଭାରତ ଆରମ୍ଭ ହୋଇଗଲା । ପନ୍ଦରମିନିଟ୍ ପରେ ପ୍ରିୟଙ୍କାରୁମ୍ର କବାଟଖୋଲି ସିଧା ଶାଶୂମା’ ପାଖରେ ହାଜର । ଆଜି ଅଭିଷେକ ପ୍ରିୟଙ୍କାଗାଲରେ ଗୋଟିଏ ଶକ୍ତଚାପୁଡା ଲଗେଇଛି ଯେ ପାଂଚଆଙ୍ଗୁଠି ଚିହ୍ନ ଦେଖାଯାଉଛି । ଟିକିଏପରେ ଅଭିଷେକ ଶୋଇବାଘର କବାଟ ବନ୍ଦକରି ଶୋଇଗଲା ।

ପ୍ରିୟଙ୍କା କାନ୍ଦିକାନ୍ଦି ତା’ର ନୂଆସାଙ୍ଗ ଶାଶୂମାକୁ ଏଇ ଟିକିଏ ପୂର୍ବରୁ ଘଟିଥିବା ଅଘଟଣ ବିଷୟରେ ସବୁକିଛି ଜଣେଇଲା । ଅଭିଷେକକୁ କଣ୍ଡମ୍ ବ୍ୟବହାର କରିବାକୁ ଭଲଲାଗୁନି । ଅଳ୍ପକିଛି ସମୟ ବ୍ୟବହାର କରିବା ପରେ ବାହାରକରି ଫିଙ୍ଗି ଦେବାରୁ ପ୍ରିୟଙ୍କା ତା’ସହ ଅସହଯୋଗ କରି ନାରୀପୁରୁଷର ଆଦିମଖେଳ ଅଧାରୁଉଠି ସୋଫାକୁ ଶୋଇବାକୁ ଚାଲିଗଲା । ଅଭିଷେକର ଏକାଜିଦ୍ ତାକୁ ଏସବୁ ବ୍ୟବହାର କରିବାକୁ ଭଲଲାଗୁନି । ପ୍ରିୟଙ୍କାର ଜିଦ୍ ଯେ ସିଏ କଣ୍ଡମ୍ ବ୍ୟବହାର ନକଲେ ଅଭିଷେକ ପାଖକୁ ଯିବନି । ପ୍ରଥମେ ଦି ତିନିଥର ଅଭିଷେକ ତାକୁ କଅଁଳେଇ ଖଟକୁ ଡାକିଲା, ପ୍ରିୟଙ୍କା ନଶୁଣିିବାରୁ ଅଭିଷେକ ରାଗରେ ଗୋଟିଏ ବ୍ରହ୍ମଚାପୁଡା ମାରିବାପରେ ପ୍ରିୟଙ୍କା ସେ ଶୋଇବାଘରୁ ବାହାରି ସେଇ ଅଧାରାତିରେ ଶାଶୂମାଆଙ୍କ ପାଖରେ ଯାଇ ହାଜର । ଶାଶୂବୋହୂ ନୂଆନୂଆ ସାଙ୍ଗ ହେବା କଥା ଅଭିଷେକକୁ ଜଣାନାହିଁ । ସେ ଚୁପ୍ପ୍ଚାଶୋଇଗଲା ପରେ ଶାଶୂମା ବୋହୂପ୍ରିୟଙ୍କାକୁ ସମ୍ଭାଳି ନିଜପାଖରେ ଶୋଇଦେଲେ ।

ପରଦିନ ଅଭିଷେକ ଅଫିସ୍ ଚାଲିଗଲାପରେ ଶାଶୂ ମାଳବିକା ବୋହୁପ୍ରିୟଙ୍କାକୁ ଧରି ଚାଲିଲେ ପାଖ ଡାକ୍ତରଖାନା । ଶାଶୂମା ଡାକ୍ତରବାବୁଙ୍କୁ ସବୁ ଖୋଲାଖୋଲି ବୋହୂକଥା ପ୍ରକାଶକଲେ । ଡାକ୍ତରବାବୁ ହସିହସି କହିଲେ ଏଇ ଛୋଟକଥା ପାଇଁ ଏତେ ବଡ ଝଗଡା! ପ୍ରିୟଙ୍କାକୁ ପଚାରିଲେ କପର୍ଟି ସମ୍ପୂର୍ଣ୍ଣ ସୁରକ୍ଷିତ ସମାଧାନ । ଯେତେବେଳେ ମନହେଲା ମାଆହେବାକୁ ପୁଣିଥରେ ମୋ ପାଖକୁ ଚାଲିଆସିବ । ଦଶମିନିଟର କଥା । ଗର୍ଭରହିବା ଚିନ୍ତା ଏବେଠାରୁ ପୁରାପୁରି ଭୁଲିଯାଅ । ରାତିକୁ ଅଭିଷେକ ଦେଖିଲା ପ୍ରିୟଙ୍କା ପୁରା ସୁନାଝିଅ । ସମ୍ପୂର୍ଣ୍ଣ ବଦଳିଯାଇଛି । ଶତପ୍ରତିଶତ ସହଯୋଗ ମୂଦ୍ରାରେ ଅଭିଷେକକୁ ହସିହସି ସ୍ୱାଗତ କରୁଛି । ପ୍ରତିବାଦର ନାଁଗନ୍ଧ କିଛି ନାହିଁ । ଅଭିଷେକକୁ ପ୍ରିୟଙ୍କାର କପର୍ଟି ନେବାକଥା ଜଣାନାହିଁ । ସେହିଦିନ ପରେ ଦୁଇପ୍ରାଣିଙ୍କ ମଧ୍ୟରେ ମଧୁର ସମ୍ପର୍କ ବହୁତ ଭଲରେ ସ୍ଥାପିତ ହେଲା । ଏମିତି ଚାରି ଛମାସ ଗଲାପରେ ଅଭିଷେକ ମନକୁ ପାପଛୁଇଁଲା । ପ୍ରିୟଙ୍କାର ଗର୍ଭ କାହିଁକି ରହୁନି! ଅଭିଷେକ ମନେମନେ ଭାବୁଛି ଗୋଟାଏ ପିଲା କରିଦେଲେ ମାଆକୁ କାମ ମିଳିବ । ତା’ର ମନ ବି ଖୁସି ରହିବ । କିନ୍ତୁ ପ୍ରିୟଙ୍କା ଭାବୁଛି ଦି ତିନିବର୍ଷ ପରେ ହେଲେ ତା’କୁ ଭଲ । ଛୁଆପାଇଁ ତରବର କାହିଁକି!

ବର୍ଷକ ପରେ ଅଭିଷେକ ଦିନେ ଜଣେ ଡାକ୍ତରବାବୁଙ୍କୁ ଦେଖାକରି ଏ ବିଷୟରେ ପଚାରିଲା । ଡାକ୍ତରବାବୁ ଧର୍ମପତ୍ନୀଙ୍କୁ ସାଥିରେ ନେଇ ଡାକ୍ତରଖାନାକୁ ଆସିବାକୁ କହିଲେ । ଅଭିଷେକ ମାଆକୁ ସିନେମା ଯାଉଛୁ ବୋଲି ମିଛକହି ପ୍ରିୟଙ୍କାକୁ ଧରି ସେ ଡାକ୍ତରଖାନାରେ ପହଁଚିଲା । କିଛିସମୟ ଅପେକ୍ଷା କରିବାପରେ ଦୁଇପ୍ରାଣୀଙ୍କ ଭିତରେ କଥୋପକଥନ ଚାଲିଲା । ପ୍ରିୟଙ୍କା ଅଭିଷେକର ମନସା ଜାଣିପାରି ସେଠାରୁ ତୁରନ୍ତ ଫେରି ମାଆକୁ କଥାହେବାକୁ ଅନୁରୋଧ କଲା ।

ଅଭିଷେକ ପ୍ରିୟଙ୍କାକଥା ମାନିଲା ଏବଂ ଘରକୁ ଫେରି ମାଆକୁ ଜଣାଇବାରୁ ମାଆ ପ୍ରିୟଙ୍କାର କପର୍ଟି ପିନ୍ଧିଥିବା ଗୁପ୍ତକଥାଟି ପୁଅଆଗରେ ପରିପ୍ରକାଶ କଲେ । ତିନିହେଁ ବସି ବିଚାରକରି ଆରବର୍ଷ ଶୀତଦିନକୁ ମାଳବିକା ଜେଜମା ହେବାକୁ ସ୍ଥିର କରାଗଲା । ତା’ର ଦଶମାସପୂର୍ବରୁ ପ୍ରିୟଙ୍କାର କପର୍ଟି ବାହାରକରି ସନ୍ତାନଆଶାରେ ଯେବେ ଦୁହିଁଙ୍କର ପ୍ରଥମ ମିଳନ ହେଲା ଅଭିଷେକ କହିଲା ଆଜି ଆମର ପ୍ରକୃତ ବାସରରାତି । ଆଜିଯାଏ ମୋତେ ଠକିଠକି ଆସିଥିଲ ବୋଲି ଉପଭୋଗର ମାତ୍ରା ଟିକେ କମ୍ ଲାଗୁଥିଲା । ପ୍ରକୃତରେ ଏହା ମରିଚିକା ପରି ଏକ ମାନସିକ ଭ୍ରମ । ଅନ୍ଧବିଶ୍ୱାସ ସଦୃଶ, ଜନ୍ମନଳିରେ କପର୍ଟି ଥାଉ କି ନଥାଉ ଉପଭୋଗର ମାତ୍ରା ଯେତିକି ରହିବାକଥା ସଦାବେଳେ ସେତିକି ରହିବ । ଆଜି ଯୁଗରେ ବି ଅନେକ ଏମିତି ଶିକ୍ଷିତ ନାଗରିକ ଅଛନ୍ତି ଯେଉଁମାନେ ନାନାପ୍ରକାର ମିଛ କପୋଳକଳ୍ପିତ ଉଡାକଥାରେ ବିଶ୍ୱାସରଖନ୍ତି । ଜଣେକହିଲା ସମ୍ଭୋଗ ସମୟରେ ତା’ସାଙ୍ଗର ପ୍ରଥମସ୍ତ୍ରୀର କପର୍ଟି ଗର୍ଭାଶୟ ଭିତରକୁ ପଶିଯାଇ କ୍ୟାନସର୍ ହୋଇ ମରିଗଲା । ଅନ୍ୟ ଜଣେ କହୁଥିଲା ତା’ର ସଙ୍ଗାତ ନିରୋଧ ବ୍ୟବହାର କରିକରି ନଂପୁଷକ ହୋଇଗଲା ଯେ ପରେ ଯେତେ ଚେଷ୍ଟାକଲା ଆଉ ପିଲାପିଲି ହେଲେନି । ଗର୍ଭନିରୋଧକ ଔଷଧ ସେବନକଲେ ନାରୀମାନେ କୁଆଡେ ସ୍ଥାୟୀଭାବରେ ବାଂଝ ହେବାର ଆଂଶକା ରହୁଛି । ଇତ୍ୟାଦି.. ଇତ୍ୟାଦି.. ।

ଏଗୁଡା ସବୁ ବକବାସ୍ । ଏହି ତାଲାବନ୍ଦି ସମୟରେ ଦେଶରେ ଗୋଟିଏ ସର୍ଭେରୁ ଜଣାପଡିଛି ଯେ ସତୁରିଲକ୍ଷରୁ ଉର୍ଦ୍ଧ ଅବାଂଛିତ ଗର୍ଭୋଦୟ ହୋଇଛି । ତନ୍ମଧ୍ୟରୁ ପଚିଶଲକ୍ଷ ଷାଠିଏହଜାର ଲୋକଙ୍କ କହିବା କଥା ଯେ ସେମାନେ ଅବାଂଛିତ ଗର୍ଭୋଦୟ ଏଡାଇବାକୁ କୌଣସି ଏକ ସୁରକ୍ଷା ଉପାୟପାଖରେ ତାଲାବନ୍ଦି କଟକଣା ହେତୁ ପହଁଚିପାରିଲେନି । ତଥାପି ଦେଶରେ ଭିନ୍ନଭିନ୍ନ ସମାଜିକ ସଂସ୍ଥାମାନେ ଦାବି କରୁଛନ୍ତି ଯେ ବିଗତ ଚାରିମାସ ମଧ୍ୟରେ ସେମାନେ ଚାରିକୋଟି ଗର୍ଭନିରୋଧକ ବଟିକା, ବତିଶକୋଟି କଣ୍ଡମ୍ ଏବଂ ପଚିଶଲକ୍ଷ ପର୍ଯ୍ୟନ୍ତ ପ୍ରଥମମାସଗର୍ଭପାତରେ ସାହାଯ୍ୟ କରୁଥିବା ଜରୁରିକାଳିନ ଔଷଧ ବଂଟନ କରିଛନ୍ତି । କିନ୍ତୁ ଏସବୁ ବିଗତବର୍ଷ ମାନଙ୍କ ତୁଳନାରେ ଅଧାରୁ ବି କମ୍ । ତେଣୁ ସମୁଦାୟ ଅବାଂଛିତ ଗର୍ଭୋଦୟରୁ ତେଇଶିଲକ୍ଷ ପୁରା ଅବାଂଛିତ ଏବଂ ଅପ୍ରତ୍ୟାଶିତ ଗର୍ଭ । ଏଥିରୁ ଚଉଦଲକ୍ଷ ଲୋକ ଭିନ୍ନଭିନ୍ନ ଡାକ୍ତରଖାନାରେ ସୁରକ୍ଷିତ ଗର୍ଭପାତ କରିବାରେ ସଫଳ ହୋଇଥିବା ବେଳେ ପା୍ରୟ ସାତଲକ୍ଷ ଲୋକ ବେସରକାରୀ ଛୋଟଛୋଟ ମଫସଲ ଗାଁ ଡାକ୍ତରଖାନାରେ ଅସୁରକ୍ଷିତ ଗର୍ଭପାତ କରେଇ ପାରିଛନ୍ତି । ସର୍ଭେ କଥା ଯଦି ସତ ତେବେ ଗର୍ଭପାତ ସମୟରେ ସତରଶହ ତେୟାଳିଶ ଜଣ ପ୍ରାଣ ହରେଇଛନ୍ତି ଏବଂ ଛଲକ୍ଷ ଅଶିହଜାର ଅବାଂଛିତ ଶିଶୁସନ୍ତାନ ଜନ୍ମ ନେବାକୁ ଯାଉଛନ୍ତି ।

ଏହିସବୁ ସଂଖ୍ୟା କେତେ ସଠିକ୍ କହିହେବନି, କିନ୍ତୁ ଅନେକ କୁହନ୍ତି ପ୍ରକୃତ ତଥ୍ୟ ଏହାଠାରୁ ଯଥେଷ୍ଟ ଅଧିକ ଥିବାପରି ମନେହୁଏ । ସୂତ୍ରାନୁସାରେ କେବଳ ଆସାମ, ପଶ୍ଚିମବଙ୍ଗ, ୟୁପି, ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ ଏହି ସଂଖ୍ୟା ସର୍ବାଧିକ ଏବଂ ସ୍ଥିତି ଚିନ୍ତାଜନକ । ଯାହାହେଉ ଦେଶରେ କୋଟିଏରୁ ଉର୍ଦ୍ଧ ଅବାଂଛିତ ଗର୍ଭୋଦୟ ବିଗତ ତିନିଚାରିମାସ କରୋନା କଟକଣା ଭିତରେ ହେବାର ଅନୁମାନ କରାଯାଏ, ଯାହାକି କୌଣସି ଗୋଟିଏ ସୁୁରକ୍ଷା ଉପାୟରେ ଏଡାଯାଇ ପାରିଥାନ୍ତା । ସହଜେ ଏହି ସମୟରେ ଡାକ୍ତରବାବୁ ମାନଙ୍କର କମି ଏବଂ ଗୁରୁତରରୋଗୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଏ’ସମସ୍ତ ଗର୍ଭପାତ ଆଦୌ ସମ୍ଭବନୁହେଁ । ତେଣୁ ଅନିଚ୍ଛାରେ ବହୁତଛୁଆ ଏହି ଅବାଂଛିତ ଏବଂ ଅପ୍ରତ୍ୟାଶିତ ଗର୍ଭରୁ ଜନ୍ମନେବାକୁ ବାଧ୍ୟ । ଶୀଘ୍ରାତିଶୀଘ୍ର ଜନସଚେତନତା ଦ୍ୱାରା ଏପରି ଅବାଂଛିତ ଗର୍ଭ ସଙ୍କଟକୁ ନିମନ୍ତ୍ରଣ ନକଲେ ଆମପାଇଁ ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଘାତକ ସାବିତ୍ ହେବ ।

Leave A Reply