ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ବିନା ମେଘରେ ବଜ୍ରପାତ ଭଳି ମହାତ୍ମାଜୀଙ୍କର ମୃତୁ୍ୟ ସମ୍ବାଦରେ ପରମପିତା ଓ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଅତ୍ୟନ୍ତ ଉଦବିଗ୍ନ, ବିଷର୍ଣ୍ଣ ଓ ଭାରାକ୍ରାନ୍ତ ହୋଇପଡ଼ିଲେ । ସ୍ୱତଃବ୍ୟକ୍ତ କଲେ – କି ଯେ କାଣ୍ଡ ଘଟିଲା, ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତେ ଅନ୍ତରର ସହିତ ଶ୍ରଦ୍ଧା କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଆଉ ଦେଖିବାକୁ ମିଳିବନାହିଁ । ଭିନ୍ନ ମତାବଲମ୍ବୀ ଲୋକମାନେ ମଧ୍ୟ ମହାତ୍ମାଜୀଙ୍କୁ ଆନ୍ତରିକ ଭାବେ ଶ୍ରଦ୍ଧା କରୁଥିଲେ । ଯେଉଁ କ୍ଷତି ହୋଇଗଲା ତାହାର ଆଉ ତୁଳନା ନାହିଁ, ଅପୂରଣୀୟ । ମହାତ୍ମାଜୀଙ୍କର ଦେଶ ପ୍ରତି ଏତେ ଅବଦାନ – ଆଉ ତାର କଣ ଏହି ପ୍ରତିଦାନ? ଏହା ଅତ୍ୟନ୍ତ ବେଦନା ଦାୟକ । ଦୁଃଖରେ ମି୍ରୟମାଣ ହୋଇ ଛଳ ଛଳ ନେତ୍ରରେ ଶ୍ରୀ ଶ୍ରୀ ଠାକୁର ସ୍ୱଗତୋକ୍ତି ପ୍ରକାଶ କରି କହିଲେ – ଯେଉଁମାନେ ମହାତ୍ମାଙ୍କୁ ମୃତୁ୍ୟବିଦ୍ଧ କରିଛନ୍ତି, ସେମାନେ ସତ୍ତାନୁରାଗୀ ସମସ୍ତଙ୍କ ହୃଦୟକୁ ବିଦ୍ଧ କରିଛନ୍ତି, ବିଦୀର୍ଣ୍ଣ କରି ଉଠାଇଛନ୍ତି । ହେ ମହାତାପସ, ତୁମର ଆଶୀର୍ବାଦ ଯେପରି ସମସ୍ତଙ୍କର ଅନ୍ତର୍ନିହିତ ଅମଙ୍ଗଳକୁ ଚିରଦିନ ପାଇଁ ଅବଲୁପ୍ତ କରି ତୋଳୁ । ହେ ଦୟାଲ ପରମପିତଃ! ମନୁଷ୍ୟର ଏହି ଆବେଦନକୁ ତୁମେ ମଙ୍ଗଳପୂର୍ଣ୍ଣ କରିତୋଳ । (୧.୨.୧୯୪୮, ଅପରାହ୍ନ ୩ଘ,) ମହାତ୍ମାଜୀ ଯାହା ସତ୍ୟ ବୁଝୁଥିଲେ ତାହା ନିଜ ଜୀବନରେ କଠୋର ଭାବରେ ପାଳନ କରୁଥିଲେ । ସମଗ୍ର ପରିବେଶକୁ ସେହି ପଥରେ ଚଳାଇବା ନିମିତ୍ତ ଚେଷ୍ଟା କରୁଥିଲେ । କାୟମନୋବାକ୍ୟରେ ଏକମୁଖୀ ଚଳନର ଫଳ ସ୍ୱରୂପ ତାଙ୍କର ବ୍ୟକ୍ତିତ୍ୱ ଓ ଇଛାଶକ୍ତି ଏତେ ପ୍ରବଳ ହୋଇଥିଲା ଯେ ସମଗ୍ର ଦେଶକୁ ତାଙ୍କ ପରି ଜାଗ୍ରତ କରି ଉଠାଇଥିଲେ । ମହାତ୍ମାଙ୍କର ଆବେଷ୍ଟନୀ ଶକ୍ତ ହୋଇଥିଲେ ଏହିପରି ଭାବରେ ତାଙ୍କର ଜୀବନ ଯାଇ ନଥାନ୍ତା । ମହାତ୍ମାଜୀ ଯେପରି ଭାବରେ ମୃତୁ୍ୟବରଣ କଲେ, ଆମେ ଏତେ ଲୋକ ତାଙ୍କୁ ଭଲ ପାଉ, ଅଥଚ ପୂର୍ବରୁ ସାବଧାନ ପାଇବା ସତ୍ତ୍ୱେ ମଧ୍ୟ ନିଜ ଦାୟିତ୍ୱରେ ତାଙ୍କୁ ରକ୍ଷା କରିବାର ବ୍ୟବସ୍ଥା କଲୁନାହିଁ, ଏହା ଆମର ଭଲ ପାଇବା ପକ୍ଷେ ଘୋର ଅପମାନ ଓ ଅତ୍ୟନ୍ତ ସନେ୍ଦହଜନକ । ମରନା, ମାରନା, ଯଦିପାର ମୃତୁ୍ୟକୁ ଅବଲୁପ୍ତ କର, ଏହା ହିଁ ପରମପିତା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଆହ୍ୱାନ ।
ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର ମତବ୍ୟକ୍ତ କରିଛନ୍ତି, ଯୀଶୁଖ୍ରୀଷ୍ଟଙ୍କର ଆବେଷ୍ଟନୀ ଥିଲା ଦୁର୍ବଳ, ମୋର ମନେହୁଏ – ଇଛା କରିଥିଲେ ଶିଷ୍ୟ ପିଟର ହିଁ ପ୍ରଭୁଙ୍କର ଜୀବନ ରକ୍ଷା କରି ପାରିଥାନ୍ତା । ଜୁଡ଼ାସ୍ ମାତ୍ର ତିରିଶ ଖଣ୍ଡ ମୁଦ୍ରା ବିନିମୟରେ ପ୍ରଭୁ ଯୀଶୁଙ୍କୁ ଧରାଇ ଦେଇଥିଲା । ପ୍ରଭୁ ଯୀଶୁଙ୍କର ପ୍ରାଣଦାନ ପାଇଁ ତକ୍ରାଳୀନ ନିଷ୍ଠୁର ସମାଜ ଓ ରାଷ୍ଟ୍ର ବ୍ୟବସ୍ଥା ଏବଂ ତାଙ୍କର ଶିଷ୍ୟବର୍ଗଙ୍କର ଉଦାସୀନ ଓ ଅଦୂରଦର୍ଶିତା ହିଁ ଦାୟୀ । ତାଙ୍କର ଶିଷ୍ୟବର୍ଗ ଯଦି ଆହୁରି ଅନୁରକ୍ତ, ଶକ୍ତିମାନ ଓ ସୁକୌଶଳୀ ହୋଇଥାନ୍ତେ ତାହାହେଲେ ଏହି ଦାରୁଣ ମୃତୁ୍ୟକୁ ଏଡ଼ାଇ ହୋଇଥାନ୍ତା । କ୍ରୁଶବିଦ୍ଧ ହେବା କଦାପି ଭାଗବତ ବିଧାନ ନୁହେଁ । ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପାର୍ଷଦମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ, ପରମବୀର ହନୁମାନ ସଦାସର୍ବଦା ଶ୍ରୀରାମଙ୍କୁ ଜଗି ରହୁଥିଲେ । ମହମ୍ମଦ ରସୁଲଙ୍କର ଆବେଷ୍ଟନୀ ମଧ୍ୟ ଖୁବ୍ ଶକ୍ତ ଥିଲା । ରସୁଲ୍ଙ୍କ ପାଖରେ ଆଲି, ଓମର, ଓସ୍ମାନ ଓ ଆବୁବକର୍ ସଦାସର୍ବଦା ଜଗି ରହୁଥିଲେ । ଶ୍ରୀରାମଚନ୍ଦ୍ର ଓ ରସୁଲ୍ ତାଙ୍କର ଶିଷ୍ୟ ବର୍ଗଙ୍କୁ କେତେ ଅନୁରୋଧ କରୁଥିଲେ ଶତୃମାନଙ୍କର ପ୍ରତିଶୋଧ ନ ନେବା ପାଇଁ, କିନ୍ତୁ ତାଙ୍କର ଶିଷ୍ୟମାନେ କହୁଥିଲେ, ତୁମର ଜୀବନ ହାନି ଯାହା ଘଟାଏ ତାହା ଆମେ ବରଦାସ୍ତ କରି ପାରିବୁ ନାହିଁ, ସେ ଆଦେଶ ଆମେ ପାଳନ କରିପାରିବୁ ନାହିଁ । ଏହା ହିଁ ହେଉଛି ଭଲ ପାଇବାର ତେଜୋଦୀପ୍ତ ଉଦାହରଣ । ମାନବ ଜାତି ପ୍ରତି ଶ୍ରୀ ଶ୍ରୀ ଠାକୁର ଆହ୍ୱାନ ଦେଲେ – ଧର୍ମ କେବେହେଲେ ବହୁ ହୁଏନା, ଧର୍ମ ଏକ, ଆଉ ତାର କୌଣସି ପ୍ରକାର ନାହିଁ । ମତ ବହୁତ ହୋଇପାରେ, ଏପରିକି ଯେତେ ମଣିଷ ସେତେ ମତ ହୋଇପାରେ, କିନ୍ତୁ ତାହାବୋଲି ଧର୍ମ ବହୁତ ହୋଇପାରେ ନାହିଁ । ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ବୌଦ୍ଧଧର୍ମ ଇତ୍ୟାଦି ମୋ ମତରେ ଭୁଲ, ବରଂ ସେ ଗୁଡ଼ିକ ସବୁ ମତ । କୌଣସି ମତ ସହିତ କୌଣସି ମତର ପ୍ରକୃତପକ୍ଷରେ କୌଣସି ବିରୋଧ ନାହିଁ, ଭାବର ବିଭିନ୍ନତା, ପ୍ରକାର ଭେଦ, ଗୋଟିଏକୁ ନାନା ପ୍ରକାରରେ ଏକ ରୂପେ ଅନୁଭବ । ବହୁ ସମ୍ପ୍ରଦାୟ ଥାଉ କିନ୍ତୁ ସାମ୍ପ୍ରଦାୟିକତାର ବିଲୁପ୍ତି ହେଉ, ଧର୍ମ ରକ୍ଷା ହେଉ କିନ୍ତୁ ଧର୍ମାନ୍ତରୀକରଣ ଲୁପ୍ତ ହେଉ, ସ୍ୱର୍ଗ ବିସର୍ଗ ନହେଉ, ଏକ ସ୍ୱରରେ ସମସ୍ତେ ଗାଇ ଉଠିବା – “”ମା ମି୍ରୟସ୍ୱ ମା ଯହି ଶକ୍ୟତେ ଚେତ୍ ମୃତୁ୍ୟଂ ଅବଲୋପୟ” ।