Odisha news

ଗଗନ ଯାନରେ ଅସୀମ ଆକାଶର ନିଖିଳ

0

ବାଦଲ ଭୂୟାଁ : ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ ଗଗନ ଯାନ ପାଇଁ ମନୋନୀତ ହୋଇଛନ୍ତି ବଲାଙ୍ଗୀରର କୃତବିଦ୍ୟ ମାଟିର ପୁଅ ତଥା ଓଡ଼ିଶାର ଗର୍ବ ୱିଇଂ କମାଣ୍ଡର ନିଖିଳ ରଥ । ବଲାଙ୍ଗୀର ସୁଦପଡ଼ା ନିବାସୀ ଆଇନଜୀବୀ ଅଶୋକ ରଥ ଓ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କ ଏକମାତ୍ର ପୁଅ ଆଜି ସମଗ୍ର ଭାରତ ବର୍ଷରେ ଓଡ଼ିଶାର ସମ୍ମାନକୁ ବଢ଼ାଇଛନ୍ତି । ସୂଚନାଥାଉକି ପ୍ରଧାନ ମନ୍ତ୍ରୀ ଗଗନ ଯାନ ଅଭିଯାନ ପାଇଁ ସବୁଜ ସଙ୍କେତ ଦେବାପରେ ପୁରା ଦମରେ ଲାଗିପଡ଼ିଥିବା ଇସ୍ରୋ ଚନ୍ଦ୍ରଯାନ-୨ ଅଭିଯାନରୁ ୯୫% ପ୍ରତିଶତ ସଫଳତା ମିଳିଥିବା ସମ୍ବନ୍ଧରେ ଇସ୍ରୋ ସୂଚନା ଦେଇଥିଲା । ଆସନ୍ତା ୨୦୨୨ରେ ହେବାକୁ ଥିବା ଗଗନ ଯାନ ଯାତ୍ରା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । ଏହି ମହାକାଶ ଅଭିଯାନ ପାଇଁ ୨୦୧୯ ସେପ୍ଟେମ୍ବର ମାସରେ ସର୍ବଭାରତୀୟ ସ୍ତରରେ ବାର ଜଣ ଦକ୍ଷ ବାୟୁସେନାର ଯବାନଙ୍କୁ ମନୋନୀତ କରାଯାଇ ତାଲିକା ନିର୍ଦ୍ଧାରିତ କରାଯାଇଥିଲା ।

ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଉଚ୍ଚସ୍ତରୀୟ ଓ ଜ୍ଞାନବିଜ୍ଞାନଭିତ୍ତିକ ପରୀକ୍ଷା ନିରୀକ୍ଷା ଓ ଯାଞ୍ଚପରେ ବାୟୁସେନା ବାର ଜଣ ଯବାନଙ୍କ ନାମ ସର୍ବଶେଷ ତାଲିକାରେ ପ୍ରସ୍ତୁତ କରିଥିଲା । ଏହି ବାର ଜଣଙ୍କ ଭିତରେ ଓଡ଼ିଆ ପୁଅ ନିଖିଳ ରଥ ରହିଛନ୍ତି । ଋଷରେ ବର୍ତ୍ତମାନ ସମୟରେ ପ୍ରାଥମିକ ପର୍ଯ୍ୟାୟର ତାଲିମ ସଫଳତାର ସହ ଶେଷ କରିବା ପରେ ସଂକ୍ଷିପ୍ତ ତାଲିକାର ଚାରି ଜଣଙ୍କ ଭିତରେ ସେ ରହିବା ସହ ବର୍ତ୍ତମାନ ଋଷରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ନେଉଛନ୍ତି । ନିଖିଳ ପିଲାଦିନରୁ ହିଁ ଜଣେ ମେଧାବୀ । ତୁଳସୀ ଦୁଇପତ୍ରରୁ ବାସିବା ପରି ତାଙ୍କ ପ୍ରତିଭା ପିଲାବେଳୁ ହିଁ ଜଣାପଡ଼ିଥିଲା । କିନ୍ତୁ ତାଙ୍କ ଭିତରେ ରହିଥିବା ଦେଶମାତୃକାର ସେବା, ଜାତୀୟତାବାଦ ଚେତନାକୁ ଆହୁରି ତେଜୀୟାନ କରିଥିଲେ ଭାରତୀୟ ବାୟୁସେନାର ପାଇଲଟ ଭାବେ ଯୋଗ ଦେବା ପରେ । ସଫଳତାର ସ୍ୱପ୍ନରେ ଆହୁରି କିଛି କରିବା ପାଇଁ ତାଙ୍କ ଭିତରେ ରହିଥିଲା ଅଦମ୍ୟ ପ୍ରୟାସ । ମିଶନ ପାଇଁ ମନୋନୀତ ସଂକ୍ଷିପ୍ତ ତାଲିକା, ଚାରିଜଣିଆ ଟିମ୍ରେ ୱିଇଂସ୍ କମାଣ୍ଡ ନିଖିଳ ରହିବା ସହ ଆଉ ବର୍ଷେକାଳ ଋଷିଆରେ ଅତ୍ୟନ୍ତ ଜ୍ଞାନଭିତ୍ତିକ ଓ ସୂଚନା ପ୍ରଯୁକ୍ତିର କଷ୍ଟସାଧ୍ୟ ତାଲିମ ଗ୍ରହଣ କରିବେ ।

ଓଡ଼ିଆ ପୁଅଙ୍କ ଏ କୃତିତ୍ୱ ପ୍ରତିଟି ଓଡ଼ିଆଙ୍କ ଭିତରେ ଆନନ୍ଦ, ଉତ୍ସାହ, ଗର୍ବ ଓ ପ୍ରେରଣା ସୃଷ୍ଟି କରିଛି । ନିଖିଳଙ୍କ ଏହି ସଫଳତା ପଛରେ ତାଙ୍କ ପରିବାରର ଦେଶ ପାଇଁ ଉତ୍ସର୍ଗୀକୃତ ସେବାର ବଡ଼ ଯୋଗଦାନ ରହିଛି । ଅନେକ ହୁଏତ ଜାଣିନଥିବେ ତାଙ୍କ ଜେଜେବାପା ଚିନ୍ତାମଣି ରଥ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ । ସ୍ଥାନୀୟ ଅଞ୍ଚଳରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ଦେଶ ମାଟିର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ନିଖିଳଙ୍କ ବଡ଼ବାପା ସ୍ୱର୍ଗତଃ ଶୈଳେନ୍ଦ୍ର ରଥ ସିଆରପିଏଫ୍ର ଜଣେ କମାଣ୍ଡାଣ୍ଟ ଥିଲେ । ତାଙ୍କ ବଳୀଦାନ ମଧ୍ୟ ପ୍ରାତଃ ସ୍ମରଣୀୟ । ଆତଙ୍କବାଦୀଙ୍କ ସହ ଲଢ଼ି ନିଜ ଦେଶ ପାଇଁ ଶହୀଦ ହୋଇଥିଲେ । ତେଣୁ ପିଲାବେଳୁ ମାଟି ମାଆକୁ ଭଲପାଇ ଦେଶ ସେବା କରିବାର ଲକ୍ଷ୍ୟ ରଖି ୨୦୦୪ ମସିହାରେ ବାୟୁସେନାରେ ନିଖିଲ ସାମିଲ ହୋଇଥିଲେ । ପଞ୍ଜାବର ଚଣ୍ଡୀଗଡ଼ ଏୟାରବେସରେ ୱିଇଂ କମାଣ୍ଡର ଭାବେ କାର୍ଯ୍ୟ କରୁଥିବାବେଳେ ଗଗନ ଯାନ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ବାର ଜଣିଆ ଟିମ୍ରେ ସାମିଲ ହୋଇ ନିଜ ସଫଳତାର ପ୍ରଥମ ପାଦ ଆଗକୁ ବଢ଼ାଇଥିଲେ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପାଣିପାଗ ଓ ଭୌଗୋଳିକ ପରିବେଶଷର ମହାକାଶ ଯାନର ଅବତରଣ ଓ ସେଠାରୁ ସେମାନଙ୍କୁ ଉଦ୍ଧାର କରି କିପରି ଅଣାଯିବ ଏବଂ ଇଲୁ୍ୟସିନ-୭୬ ସ୍ପେଶାଲ ଏମ୍ଡିକେ ବିମାନ ଭିତରେ ବି ଜିରୋ ଗ୍ରାଭିଟର କାର୍ଯ୍ୟ କରିବାର ପ୍ରଶିକ୍ଷଣ ଦିଆଯାଇଛି । ଋଷର ଗାଗାରିନ ମହାକାଶ ଗବେଷଣା କେନ୍ଦ୍ରରେ ଏମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଏୟାର ଫୋର୍ସର ଅନେକ କଠିନ ମିଶନରେ ନିଖିଳ ସାମିଲ ହୋଇଥିଲେ । ଏହାପୂର୍ବରୁ ବାୟୁସେନାର ବହୁ ମିଶନ ସଫଳତାର ସହ ସମ୍ପାଦନ କରି ଅନେକ ଥର ପୁରସ୍କୃତ ବି ହୋଇଥିଲେ । ତାଙ୍କର ପ୍ରଥମ ପ୍ରଚେଷ୍ଟା ସୂଚୀତ କରିଥିଲା ତାଙ୍କ ଭବିଷ୍ୟତର ସଫଳତା ସମ୍ବନ୍ଧରେ । ସେ ସଫଳତାର ସହ ନ୍ୟାସନାଲ ଡିଫେନ୍ସ ଏକାଡ଼େମୀ ପରୀକ୍ଷାରେ କ୍ୟାଡେଟ୍ ଭାବରେ ପାସ ହୋଇଥିଲେ ଏବଂ ୨୦୦୩ ମସିହାରେ ବାୟୁସେନାରେ ଯୋଗ ଦେଇଥିଲେ । କୃତବିଦ୍ୟ ଓଡ଼ିଆ ପୁଅଙ୍କ ଏହି ସଫଳତା ସମସ୍ତଙ୍କୁ ଆନନ୍ଦ ଓ ଗୌରବ ଦେଉଥିବାବେଳେ ଓଡ଼ିଶାବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଉଛୁ ।

Leave A Reply