Odisha news

ବୈତରଣୀ ନଦୀରେ ଆସିଲା ଦ୍ୱିତୀୟ ବନ୍ୟା , ତଳିଆ ଅଂଚଳରେ ବଢ଼ିଲା ଦୁର୍ଦ୍ଦଶା : ବହୁଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ

0

ଭଦ୍ରକ/ଦୋବଲ/୨୧ /୮ : ଦୋବଲ ଅଂଚଳରେ ଲଗାଣ ବର୍ଷା ଦ୍ୱାରା ନଦୀକୂଳ ଓ ଚାଷଜମି ବର୍ଷା ଜଳରେ ଭରପୁର ଥିବାବେଳେ ବୈତରଣୀ ନଦୀର ପ୍ରଥମ ବନ୍ୟାରେ ବ୍ଳକର ୨୬ ପଂଚାୟତର ଚାଷଜମି ଜଳମଗ୍ନ ହୋଇଥିବାବେଳେ ୧୫ଟି ପଂଚାୟତର ଅନେକ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଥିଲା । ପ୍ରଥମ ବନ୍ୟା ଛାଡ଼ିବାର ୫ଦିନ ପରେ ପୁଣି ବୈତରଣୀ ନଦୀର ବନ୍ୟା ଆସିବା ଦ୍ୱାରା ଆଜି ଧାମନଗର ବ୍ଲକର ବହୁ ଚାଷକମି ଓ ଗ୍ରାମମାନଙ୍କରେ ବନ୍ୟା ଜଳ ପଶିଛି । ସୂଚନାଥାଉକି ଆଜି ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବିପଦ ସଂକେତ ଉପରେ ଅର୍ଥାତ ୧୮. ୯୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏବେ ବନ୍ୟା ଜଳ ତଳିଆ ଅଂଚଳରେ ବୃଦ୍ଧିପାଇଛି । ବୈତରଣୀର ବନ୍ୟଦ୍ୱାରା ଏହାର ଶାଖା ନଦୀ କୋଚିଳା , ଗେଙ୍ଗୁଟିରେ ମଧ୍ୟ ବନ୍ୟା ଜଳ ହୁ ହୁ ହୋଇ ବଢୁଛି ।

ଅପରପକ୍ଷେ ବୈତରଣୀ ନଦୀରୁ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସକେପ ସମେତ ଗେଙ୍ଗୁଟି ନଦୀର ମଠମାହାରା , କନକେଇ ଓ ଗାଇଛନ୍ଦା ଏସ୍କେପରୁ ବନ୍ୟା ଜଳ ବାହାରି ଦେହୁଡିଆନନ୍ଦପୁର , ଖଡ଼ିପଦା , କରଦା , ସୋହଡ଼ା , ପଧାନୀ , ଅର୍ଜୁନପୁର , ଦଳାଙ୍ଗ , ନଦୀଙ୍ଗା , ଭଙ୍ଗସାହି , ମୁସ୍ତଫାପୁର , ଦୋବଲ , ବୟାଙ୍ଗଡ଼ିହି , କୋଠାର , ଅର୍ଜୁନପୁର , ସାହସପୁର , ହସନାବାଦ ଆଦି ପଂଚାୟତରେ ଅନେକ ଗ୍ରାମ ସମେତ ଚାଷଜମିରେ ବନ୍ୟାକଳ ପ୍ରଭାହିତ ହେଉଛି । ଖଡ଼ିପଦା ପଂଚାୟତର କାଞ୍ଜିଆପାଳ-ଖଡିପଦା ଓ ଆନନ୍ଦପୁର , ସେଣ୍ଡପୁର- ଦବଲ , ବେଦପୁର- ସୋହଡା , ପଧାନୀ- ଭଗତପୁର , ବାଲିପାଟଣା – ଅର୍ଜୁନପୁର , ହସିନାବାଦ– ଗୋପବନ୍ଧୁନଗର ଆଦି ରାସ୍ତା ଉପରେ ବନ୍ୟ ଜଳ ପ୍ରଭାହିତ ହେବା ଦ୍ୱାରା ଯାତାୟତରେ ବାଧାପ୍ରାପ୍ତ ହେଉଛି ।

ଗେଙ୍ଗୁଟି ନଦୀର ମଳିକସାହି ଓ ରାମେଶ୍ୱରପୁର ଠାରେ ବନ୍ଧ ଧସିଥିବା ବେଳେ ସ୍ଥାନୀୟ ଲୋକ ଓ ଜଳସେଚନ ବିଭାଗ ସହଯୋଗରେ ବନ୍ଧ ମରାମତି କରାଯାଇଥିବା ବେଳେ ସେଠାରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେହିପରି ବୈତରଣୀ ନଦୀର ସୋହଡା ପଂଚାୟତର ପିତେଇପୁର , ଡାଙ୍ଗୁଆପାଟଣା ଓ ଅର୍ଜୁନପୁର ପଂଚାୟତର ମମଦୁଲା ଠାରେ ନଦୀବନ୍ଧରେ ବଡ଼ ବଡ଼ ଘଳିଆ ପଡ଼ିଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଥିଲେ ମଧ୍ୟ ଯୁଦ୍ଧକାଳୀନ ଭିତରେ ମରାମତି କାର୍ଯ୍ୟ ଚାଲିଛି । ଆଜି ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାପାଳ ସିଦେ୍ଧଶ୍ୱର ବୋନ୍ଦର ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରି ଧାମନଗର ପଂଚାୟତ ସମିତିରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଯେପରି ଭାବରେ ବନ୍ୟା ବିପନ୍ନମାନେ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ସଜାଗ ରହିବାପାଇଁ ନିଦେ୍ର୍ଦଶ ଦେଇଥିଲେ ଏବଂ ବିଭିନ୍ନ ପଂଚାୟତର ଅଧିକାରୀମାନେ ରହି ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଦୋବଲର ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରି ବନ୍ୟା ବିପନ୍ନମାନଙ୍କ ସହ ଆଲୋଚନା କରିଥିଲେ ।

ତେବେ ସାମାନ୍ୟ ବନ୍ୟାରେ ଷେପୁର- ଖଡ଼ିପଦା ରାସ୍ତା ବିଛିନ୍ନ ହେଉଥିବାରୁ ସେଠାରେ ପୋଲ କରାଯିବା ପାଇଁ ପୁର୍ବତନ ବିଧାୟକଙ୍କ ନିକଟରେ ସ୍ଥାନୀୟ ଅଂଚଳବାସି ଦାବି କରିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପୁର୍ବତନ ବିଧାୟକ ଶ୍ରୀ ଦାସ ପ୍ରତିଶୃତି ଦେଇଥିଲେ । ଏ ଅବସରରେ ପୁର୍ବତନ ସରପଂଚ ଶରତ ମଝି ଓ ଅତିଶ ନନ୍ଦ, ବ୍ଲକ ବିଜୁ ଛାତ୍ର ସଭାପତି ତୁଷାର ମହାପାତ୍ର, ଯୁବନେତା ମାନସ ରାଉତ, ଲକ୍ଷ୍ମଣ ସାହୁ, ଓ ସେକ ମୁସ୍ତାକ ପ୍ରମୁଖ ଉପସ୍ଥିତ ଥିଲେ । ଆମ ଭଣ୍ଡାରିପୋଖରୀ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ପାର ହୋଇ ବର୍ତ୍ତମାନ ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତ ସମ୍ପୁର୍ଣ୍ଣ ଭାବେ ଜଳବନ୍ଦୀ ହୋଇଛି । ଏହି ସବୁ ପଞ୍ଚାୟତର ମଣିନାଥପୁର, ବିନ୍ଧାଣ, ବରାହନୂଆପଡା, ଷୋଳମପୁର, ବିରୋଳି, ମୁଢ଼ାପଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ଜାନଗଡିଆ, ମହିଷାଗଡିଆ, ବଡମାଳଦା, ସାନମାଳଦା, ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ, ବାଙ୍କମୂହାଁ, ଗିଲପଦୀ, ଦେଉଳପଦୀ, ରାଢୋ, ନୌରଙ୍ଗପୁର, ରହଣିଆ, କେଶପୁର, ଷଠଗାଁ, ବନ୍ଦାଳୋ, ମଢ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମର ୩୧ହଜାର ଲୋକ ଓ ୭,୫୦୦ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି । ଏହି ସମସ୍ତ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ମଧ୍ୟ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହି ଋଆ ଧାନ ଓ ଧାନତଳିକୁ ନଷ୍ଟ କରିପକାଇଛି । ବନ୍ୟା ଜଳ ପ୍ଳାବିତ ହେବା ଯୋଗୁଁ ଭଣ୍ଡାରିପୋଖରୀ-ମଣିନାତପୁର ପୁର୍ତ୍ତରାସ୍ତାରେ ଯାତାୟତ ଠପ ହୋଇଯାଇଛି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାପ୍ରବଣ ଅଞ୍ଚଳ ଗସ୍ତ କରିବା ସହ ଉଦ୍ଧାର ଓ ଚିକିସôା ବ୍ୟବସ୍ଥା ତଦାରଖ କରିଥିବା ଜଣାଯାଇଛି । ବନ୍ଦାଳୋ-ମଢିଆଳି ସରପଞ୍ଚ ବିଶ୍ୱନାଥ ସାହୁ ଜିଲ୍ଲାପାଳଙ୍କୁ ବନ୍ୟାବସ୍ଥା ସମ୍ପର୍କରେ ସୂଚୀତ କରିଛନ୍ତି । ବିଜେପି ନେତା ବଦ୍ରୀନାରାୟଣ ଧଳ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ରିଲିଫ ପ୍ରଦାନ ପାଇଁ ଦାବି କରିଛନ୍ତି । ଆମ ଆରଡି ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଉପରମୁଣ୍ଡରେ ବାଦଲଫଟା ବର୍ଷା ଯୋଗୁ ପୁଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଦେଖା ଦେଇଛି ବନ୍ୟା ବିଭିଷିକା । ଫଳରେ ଚାନ୍ଦବାଲି ବ୍ଲକ ତଳିଆ ଅଂଚଳ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀର ବନ୍ୟାଜଳ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ବନ୍ୟାରେ ଧୋଇଯାଇଥିବା ନଦୀବନ୍ଧ ଓ ରାସ୍ତାକୁ ନେଇ ଚିନ୍ତାରେ ଏବେ ନଦୀକୂଳିଆ ବାସୀ । ଫଳରେ ଦୃବଳ ନଦୀବନ୍ଧକୁ ଜଗି ବସିଛନ୍ତି ନଦୀକୂଳିଆ ଗାଁର ଲୋକ ।

ଏପରିକି ରବିବାର ସଂଧ୍ୟାରେ ଦୋହରାପାଟଣା ନିକଟରେ ବୈତରଣୀ ନଦୀବନ୍ଧର ଘଳିଆ ପଡି ସିଧାସଳଖ ଗାଁରେ ବନ୍ୟାପାଣି ପସିଯାଇଛି । ୨ଶହ ପରିବାର ଜଳବନ୍ଦୀ ହୋଇ ରହିଥିବାରୁ ପ୍ରଶାସନ ପହଁଚି ଘଳିଆ ବନ୍ଦ କରିବା ପାଇଁ ଜଳସମ୍ପଦ ଅଧିକାରୀଙ୍କ ସହ କଥା ହେବା ସହ ବାଲିବସ୍ତା ପକାଇ ବନ୍ଦ କରାଯାଇଛି । ସେହିପରି ମୁଆଁ ଗାଁ ଠାରୁ ୧ କମି ଦୂରରେ ବୈତରଣୀ ନଦୀବନ୍ଧର ଶହେ ଫୁଟର ଅତଡା ଧସିବାରୁ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳିଆ ଗାଁର ଲୋକ । ବିଶେଷ କରି ବୈତରଣୀନଦୀର ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍ୟାଜଳ ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଆରଡି, ଓଳଗ, ସୁନ୍ଦରପୁର ଦେଇ ସମୁଦ୍ରକୁ ନିଷ୍କାସନ ହୋଇଥାଏ । ଅନ୍ୟପଟେ ହଦଗଡ ଡ୍ୟାମର ୩ଟି ଗେଟ ଖୋଲା ଥିବାରୁ ସାଳନ୍ଦୀ ନଦୀର ବନ୍ୟାଜଳ ଦୃତଗତିରେ ବୃଦ୍ଧି ପାଇଥିବାରୁ ଏବେ ତଳିଆ ଅଂଚଳ ଜଳମଗ୍ନ ହୋଇଛି । ଚଳିତ ବନ୍ୟାର ମୁକାବିଲା ନିମନ୍ତେ ଚାନ୍ଦବାଲି ବ୍ଲକର ଆରଡିରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ମୃତୟନ କରିଛି ଭଦ୍ରକ ଜିଲା ପ୍ରଶାସନ

Leave A Reply