ବାଲେଶ୍ୱର-୨୧/୦୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଜଳସ୍ତର ବଢିବା ଫଳରେ ବିଭିନ୍ନ ସ୍ଥାନ ବର୍ତ୍ତମାନ ବନ୍ୟା ପାଣି ଘେରରେ । ରାସ୍ତାଘାଟ ସବୁଠି ପାଣି । ଲଗାଣ ବର୍ଷା ଫଳରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବହୁ ପଞ୍ଚାୟତ ଗୁଡିକରେ ରାସ୍ତା ଏବଂ ଧାନ ବିଲ ସମାନ ହୋଇଯାଇଛି । ବନ୍ୟା ପାଣି ମାଡି ଥିବାରୁ ଜନସାଧାରଣ ଓ ଗୃହପାଳିତ ପଶୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତତ୍ ସହିତ ଶହ ଶହ ଏକର ଚାଷ ଜମି ପାଣି ମାଡିଥିବାରୁ ଚାଷୀ ଭାଇର ମେରୁଦଣ୍ଡକୁ ଭାଙ୍ଗିି ଦେଇଛି । ତେଣୁ ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପିର ଏକ ଟିମ୍ ବନ୍ୟା ପ୍ରଭାବିତ ବଇଁଚା, ପାଖରାବାଡ, ନଗ୍ରମ, ଖିଦିରପୁର ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିବା ଲୋକଙ୍କ ସ୍ଥିତି ସମୀକ୍ଷା କରିଛନ୍ତି । ଭାରତୀୟ ଜନତା ପାର୍ଟି ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ସବୁ ପ୍ରକାର ସାହାର୍ଯ୍ୟ ପ୍ରଦାନ କରିବ ବୋଲି ମାନସ କୁମାର ଦତ୍ତ ପରିପ୍ରକାଶ କରିବା ସହ ଜରୁରୀକାଳୀନ ସେବା ତଥା ଯାତାୟତ ପାଇଁ ବୋଟ ବ୍ୟବସ୍ଥା ପାଇଁ ସଦର ତହସିଲଦାରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଦଳର କାର୍ଯ୍ୟକର୍ତ୍ତା ତଥା ଜନ ପ୍ରତିନିଧି ମାନେ ମଧ୍ୟ ଲୋକଙ୍କୁ ଉଦ୍ଧାର ଏବଂ ବନ୍ୟାର ସଫଳ ମୁକାବିଲା କରିବା ଦିଗରେ କାର୍ଯ୍ୟରତ ଅଛନ୍ତି । ବନ୍ୟାର ଜରୁରୀକାଳୀନ ପରିସ୍ଥିତିରେ ସାମୂହିକ ଭାବେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ଦତ୍ତ ଆହ୍ୱାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ ଓ ବନିତା ଭୂୟାଁ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ଲୋକନାଥ ଭୂୟାଁ, ସର୍ବେଶ୍ୱର ମହାନ୍ତି, ଶ୍ରୀନିବାସ ମହାଳିକ ଭୀମକାନ୍ତ ତରେଇ, ପ୍ରଶାନ୍ତ ନାୟକ, କାର୍ତ୍ତିକ ମହାପାତ୍ର, ପଙ୍କଜ ମହାପାତ୍ର, ବାବୁଲା ଖୁଣ୍ଟିଆ, ବିଶ୍ୱଜିତ ନାୟକ, ସର୍ବେଶ୍ୱର ବୁଗୁଡାଇ, ସତ୍ୟଜିତ ଦାସ, ବାବାଜି ପାଣି, ଶକ୍ତିଶଙ୍କର ପାଣିଗ୍ରାହୀ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।