ରାୟଗଡା,୧୫ ।୫(Rabindra Patakhandal)- ରାୟଗଡା ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା ୧୦୦ ଶଯ୍ୟା କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କରି ଏହାର ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିୟାନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ବହୁ ପୂର୍ବରୁ କୋରନା ରୋଗୀଙ୍କ ନିମନ୍ତେ ୧୦୦ ଶଯ୍ୟା ହସ୍ପିଟାଲ ପ୍ରସ୍ତୁତ ଥିଲେ ମଧ୍ୟ ଆଜି ସଚିବ ଶ୍ରୀପାଣ୍ଡିୟାନ ଆଉ ୧୦ଟି ଆଇସିୟୁ ଯଥାଶୀଘ୍ର ହସ୍ପିଟାଲ ପରିସରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦେଶ ଦେଇଥିଲେ ।
ଆଇସିୟୁ ନିମନ୍ତେ ଆବଶ୍ୟକୀୟ ସମସ୍ତ ପ୍ରକାର ଯନ୍ତ୍ରପାତି ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ ସଚିବ ପାଣ୍ଡିୟାନ । ଯଦି ସବୁ ଠିକ ଠାକ ରହେ ତବେ ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ଆଇସିୟୁ କୋଭିଡ ହିସ୍ପିଟାଲ ପରିସରରେ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଥିଲେ । କୋରନା ରୋଗୀ ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଲେ ରୋଗୀ ମାନଙ୍କୁ କିପରି ଚିକିତ୍ସା କରାଯିବ ଏବଂ ଏଥି ନିମନ୍ତେ ଚିକିତ୍ସାଳୟ ତରଫରୁ କେଉଁ ସବୁ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରାଯାଇଛି ସେ ନେଇ କୋଭିଡ ହିସ୍ପିଟାଲର ମୁଖ୍ୟ ଡାକ୍ତରଙ୍କ ସହ ସଚିବ ଶ୍ରୀପାଣ୍ଡିୟାନ ଆଲୋଚନା କରିଥିଲେ ।
ଯେପରି ରୋଗୀ ସେବାରେ କୌଣସି ପ୍ରକାର ସମସ୍ୟା ନ ଉପୁଜିବ ସେଥି ନିମନ୍ତେ କୋଭିଡ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଯଥେଷ୍ଟ ଧ୍ୟାନ ଦେବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ଶ୍ରୀପାଣ୍ଡିୟାନ । ବର୍ତମାନ ଦେଶରେ ଲକ ଡାଉନ ପରିସ୍ଥିତି ଯୋଗୁଁ ବିଶେଷ କରି ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାହାର ରାଜ୍ୟର ଶ୍ରମିକ ମାନେ ଚାଲି ଚାଲି ନିଜ ନିଜ ରାଜ୍ୟ ମୁହାଁଉଥିବା ବେଳେ ଓଡିଶା ସୀମାନ୍ତ ଦେଇ ଯେପରି ଶ୍ରମିକ ମାନେ ଚାଲି ଚାଲି ନ ଯାଆନ୍ତି ସେଥି ନିମନ୍ତେ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ଶ୍ରୀପାଣ୍ଡିଆନ ନିର୍ଦେଶ ଦେଇଥିଲେ । ଚାଲି ଚାଲି ଆସୁଥିବା ଶ୍ରମିକ ମାନଙ୍କୁ ଗାଡି ଓ ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ।
ଯେଉଁ ଶ୍ରମିକ ମାନେ ଫେରୁଛନ୍ତି ବା ଫେରିଛନ୍ତି ସେମାନଙ୍କୁ ମନରେଗା ଯେଜନାରେ ଅଧିକରୁ ଅଧିକ କାମ ନିଜନିଜ ଅଚଂଳରେ ଯେଗାଇ ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ୧୯ ହଜାର ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ଦିଆଯାଇଥିବା ବେଳେ ବର୍ତମାନ ତାହା ବଢି ୩୦ ହଜାର ହୋଇଥିବା ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଥିଲେ । ଜିଲ୍ଲାରେ ଲକଡ଼ାଉନ ଯୋଗୁଁ ବନ୍ଦ ରହିଥିବା ହାଟ ବଜାରକୁ କିଭଳି ସାମାଜିକ ଦୁରତା ବଜାଇରଖି ପୁନ କାର୍ଯ୍ୟକ୍ଷମ କରାଯିବ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଥିବା ନେଇ ସେ ସଚିବଙ୍କୁ ଅବଗତ କରିଥିବା କହିଛନ୍ତି ।
ସେହିପରି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅନ୍ତେବାସୀ ମାନଙ୍କୁ ସ୍ୱେଛାସେବୀ , ଗଣମାଧ୍ୟମ ପ୍ରତିନିଧି ଏବଂ ଗାଁ ଭାଇଙ୍କୁ ନେଇ କରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ହାତକୁ ନେବାକୁ ସଚିବ ପାଣ୍ଡିୟାନ ପରାମର୍ଶ ଦେଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଡ଼ି, ଡିଆରଡିଏ ଅମୃତ ରୁତୁରାଜ , ସିଡ଼ିଏମଓ ଡ଼ା.ଆର୍ତବନ୍ଧୁ ନାୟକ, ଡାକ୍ତର ଭି.ଏଲ.ଏନ.ରାଜୁ, ଏସଡପିଓ ତପନ ନାରାୟଣ ରଥ,ଚାନ୍ଦିଲି ଥାନା ଡିଏସପି ତଥା ଥାନା ଅଧିକାରୀ ଅରୁପ ଅଭିସେଖ୍ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କରୋନା ସ୍ଥିତି ଏବଂ ସେ ଦିଗରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉଭୟ ସଚିବଙ୍କୁ ଅବଗତ କରାଇଥିଲେ ।