ଡ. ଗଣେଶ ଚନ୍ଦ୍ର କୁଣ୍ଡ , ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି) : ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ୍) ର ତଥ୍ୟ ଅନୁଶାରେ, ଆମ ଦେଶରେ ପିଲା ଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ । ଗ୍ରାମାଞ୍ଚଳ ରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ପରାମର୍ଶ ଅନୁସାରେ, ଜଣେ ବ୍ୟକ୍ତି ବର୍ଷ କୁ ଅତି କମ ରେ ୧୧ କେଜି ମାଛ ଖାଇବା ଆବଶ୍ୟକ । ଆମ ରାଜ୍ୟରେ ଲୋକମାନେ ମାଛ ର ଗୁରୁତ୍ୱକୁ ଉପଲବ୍ଧି କଲେଣି, ତେଣୁ ଦିନକୁ ଦିନ ମାଛ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ରେ ଏବେ ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜି କୁ ବୃଦ୍ଧି ପାଇଲାଣି ।
ଆମକୁ ସୁସ୍ଥ ରହିବା କୁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ପରିମାଣ ର ମାଛ ସାମିଲ କରିବା ଦରକାର । ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛ ରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ । ଚୂନା ମାଛ ରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ସୁସ୍ଥ ମସ୍ତିସ୍କ ବୃଦ୍ଧି ହେବା ସହିତ ଚଷୁ ସୁସ୍ଥ ରହେ, ରକ୍ତହୀନତା ଦୂର ହୁଏ ।
ହାଡ ଓ ଦାନ୍ତ ଶକ୍ତ ଓ ସୁସ୍ଥ ରହେ । ମାଛ ରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଗର୍ଭାବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା ଓ ଶିଶୁ ଙ୍କ ପାଇଁ ଅଧିକ ଉପଯୋଗୀ ଅଟେ । ମାଛ ତେଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଅଧିକ ପରିମାଣରେ ମାଛ ତେଲରେ ଥାଏ । ମାଛ ତେଲ ଯନ୍ତ୍ରଣା ଓ ମାନସିକ ଚାପ ହ୍ରାସ କରିଥାଏ । ମାଛ ତେଲ ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ପ୍ରତିଦିନ ମାଛ ତେଲ ବ୍ୟବହାର କରିବା ଦ୍ୱାରା ହୃଦଘାତ ହବାର ସମ୍ଭାବନା କମିଯାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହା ଲାଭଦାୟକ ଅଟେ । ପଞ୍ଜାବ ର ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ମାଛ ବିସ୍କୁଟ ପ୍ରସ୍ତୁତ କରାଯାଇଛି ।
ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କରୋନା ମହାମାରୀ ଆସିବା ପରେ, ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେଣୁ ହାଇ ପ୍ରୋଟିନ ଯୁକ୍ତ ମାଛ ବିସ୍କୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଏ । ବିସ୍କୁଟ ପ୍ରସ୍ତୁତକାରୀ ଙ୍କ କହିବା ଅନୁସାରେ, ଏହି ବିସ୍କୁଟ ସାଧାରଣ ବିସ୍କୁଟ ତୁଳନାରେ ମହଙ୍ଗା ଅଟେ କିନ୍ତୁ ଏହା ଔଷଧ ଭଳି କାମ କରିବ ।
Comments are closed.