Odisha news

ଶେଷରେ ଚାଷୀ ଆନ୍ଦୋଳନ ବନ୍ଦ ଘୋଷଣା କଲେ : ୧୧ରେ ବିଜୟ ଯାତ୍ରା ସହ ଘରକୁ ଫେରିବେ

0

ନୂଆଦିଲ୍ଲୀ : ଦୀର୍ଘ ୧୫ ମାସରୁ ଊର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ସୀମାରେ ଆାନ୍ଦୋଳନରେ ବସିଥିବା ଚାଷୀମାନେ ଶେଷରେ ଗୁରୁବାର ଦିନ ଆନ୍ଦୋଳନ ବନ୍ଦ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ଅଧିକାଂଶ ଦାବି ପୂରଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଆନ୍ଦୋଳନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାଷୀମାନେ ଗତବର୍ଷ ଅଗଷ୍ଟରୁ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ। ସରକାର ସେମାନଙ୍କର ପ୍ରାୟ ସବୁ ଦାବି ମାନି ନେବାପରେ ଆସନ୍ତା ୧୧ ତାରିଖରେ ‌ସେମାନେ ଆନ୍ଦୋଳନ ବନ୍ଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଦିନ ଏକ ବିଜୟ ଯାତ୍ରା‌ କରି ଆନ୍ଦୋଳନକାରୀ ଘରକୁ ଫେରିବେ।

ଆନ୍ଦୋଳନ ବନ୍ଦ ଘୋଷଣା କରି ଏସକେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) ନେତାମାନେ କହିଛନ୍ତି, ଆସନ୍ତା ଜାନୁଆରି ୧୫ରେ ଆମେ ସମୀକ୍ଷା ବୈଠକ କରିବୁ। ସରକାର ଆମ ପ୍ରତିଶ୍ରୁତି ପୂରଣ କରିବା ଦିଗରେ କେତେ ଆଗେଇଛନ୍ତି ସେନେଇ ଆମେ ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ । ଯଦି ସରକାର ପ୍ରତିଶ୍ରୁତି ପୂରଣ ନକରନ୍ତି ତେବେ ପୁଣିଥରେ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚାଷୀ ନେତା ଗୁର୍ନମ ସିଂହ ଚରୁନୀ କହିଛନ୍ତି। ଏସକେଏମ୍‌ ମାସିକ ସମୀକ୍ଷା ବୈଠକ କରି ଏହି ଆଧାରରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଡିସେମ୍ବର ୧୫ ସୁଦ୍ଧା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନ ପରିସମାପ୍ତି ହେବ ବୋଲି ସେ କହିଛନ୍ତି।

ସରକାର ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ପ୍ରତିଶ୍ରୁତି ଦେବାପରେ ଏବଂ ଏମ୍‌ଏସପି ସଂକ୍ରାନ୍ତରେ ଏକ କମିଟି ଗଠନ କରିବାକୁ କହିବାପରେ ଆଜି ଚାଷୀ ନେତାମାନେ ଏକ ବୈଠକରେ ଆନ୍ଦୋଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସାମ୍ବାଦିକ ସମ୍ମିଳନୀରେ ଏ ବାବଦ ଘୋଷଣା କରିଥିଲେ। ଆନ୍ଦୋଳନରେ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ସଂକ୍ରାନ୍ତରେ ମଧ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସରକାର କହିଛନ୍ତି, ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାପାଇଁ ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ଦୀର୍ଘ ବ‌ର୍ଷକରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଆନ୍ଦୋଳନ ପାଇଁ ଯେଉଁ ଅସୁବିଧା ଉପୁଜିଛି ସେଥିପାଇଁ ଚାଷୀ ନେତାମାନେ କ୍ଷମା ମାଗିଛନ୍ତି। ଚାଷୀମାନେ ଆସନ୍ତା ୧୧ ତାରିଖରେ ସିଂଘୁ ଏବଂ ଟିକିରି ଆନ୍ଦୋଳନ ସ୍ଥଳରେ ବିଜୟ ଯାତ୍ରା କରିବେ। ଏହାପରେ ସେମାନେ ଘରକୁ ଫେରିଯିବେ। ଜାନୁଆରି ୧୫ରେ ଏସକେଏମ୍‌ ଦିଲ୍ଲୀରେ ପୁଣି ଆଉ ଏକ ବୈଠକ କରିବ।

Leave A Reply